ମାଆ - ବାସନ୍ତୀ ଲତା ଜେନା


ମାଆ 
*****

       
ମାଆ ମୋର ଅଟେ ଶାନ୍ତ ସରଳ ସେ 
      ବିନୟୀର  ମଧୁ ଭାବ 
ଦିଏ ନାହିଁ ବ୍ୟଥା କା ମନରେ କେବେ
         ଘର  କାମେ ଲାଗି ଥିବ । 
ମମତା ମୟୀ ସେ କରୁଣାର ଝରା 
        ସମସ୍ତଙ୍କ ପାଇଁ ପ୍ରିୟ 
ତା କାନି ପଣନ୍ତେ ସନ୍ତାନର ସୁଖ 
       କେବେ ଚାହେଁ ନାହିଁ ଶ୍ରେୟ ।  
ଦିନ ସାରା କାମ ତା ହାତରେ ଥାଏ 
       ସକାଳରୁ ରାତି ଯାଏ 
ଘର ପରିବାର ସେବାରେ ସେ ଥାଏ 
       କେବେ ବିମୁଖ ନ ହୁଏ    । 
ମୋ ମୁଖର ହସ ତା ପାଇଁ ଆନନ୍ଦ 
        ଫୁଲି ଉଠେ ତା ଅନ୍ତର,  
ସୁଖରେ ଦୁଃଖରେ ଥାଏ ମୋ ପାଖରେ 
     ସେତ ଅଟେ ମାଆ ମୋର l 4l 
ଦୁଃଖରେ ଥିଲେ ମୁଁ ମୋ ପାଖରେ ବସେ 
     କେଶ ମୋ ଆଉଁସି ଦିଏ 
କଣ ହେଲା କି ରେ ଆଦରେ ପଚାରେ 
      ମୁଖ ଝାଳ ପୋଛି ଦିଏ  । 
 ତାର କଥା ଶୁଣି ମୋ ହୃଦୟର ବ୍ୟଥା 
      କ୍ଷଣକେ ଉଭେଇ ଯାଏ 
ମାଆର ପରଶ ସ୍ନେହ ବୋଳା କଥା 
     ସତେ ସ୍ୱର୍ଗ ସୁଖ ଦିଏ   । 
ଅନ୍ନ ଥାଳି ଆଣି ଖାଇବାକୁ ଦିଏ 
      ନ ଖାଇଲେ କରେ ଜିଦି 
ଖୁଆଇ ଦିଏ ସେ ଆଦରରେ ମୋତେ 
       କୋଳ ତା ହୁଏ ମୋ ଗଦି । 
ଅସୀମ ଆନନ୍ଦ ପ୍ରାପ୍ତ ହୁଏ ମୋତେ 
      ଦୂର ହୁଏ କାଳ ଭୀତି 
ମମତାର ମୂର୍ତ୍ତି ସ୍ନେହ ପ୍ରଦାୟିନୀ 
    ମାଆ ପରା ମୋ ଏମିତି   । 
ଲାଳନ ପାଳନ ଧାରଣ କରେ ସେ 
       ନିଜ ଠାରୁ ଭଲ ପାଏ 
ତାର ଋଣ ସୁଝି ନ ପାରନ୍ତି କେହି 
      ଯୁଗ ଜନ୍ମା ଯଦି ହୁଏ   । 
ତା ବକ୍ଷର ସୁଧା ଅମୃତ ସମାନ 
      ନିଜ ସୁଖ ଦେଖେ ନାହିଁ 
ନିଜେ କଷ୍ଟ ସହି ଆନନ୍ଦ ସେ ଦିଏ 
      ମାଆ ପରି କେହି ନାହିଁ   ।।


ବାସନ୍ତୀ ଲତା ଜେନା
ଗାନ୍ଧିନଗର, 
ପୋଷ୍ଟ /ଜିଲ୍ଲା : ନବରଙ୍ଗପୁର 

Post a Comment

0 Comments