ଟଙ୍କାଏ ପୁରସ୍କାର- କେଶବ ଚନ୍ଦ୍ର ନାୟକ

ଟଙ୍କାଏ ପୁରସ୍କାର
**********

           ବର୍ଷା ଅବିଶ୍ରାନ୍ତ ଗତିରେ ଚାଲିଛି।ଶ୍ରାବଣ ମାସ।ଗାଁ ସେପାରି ନଈ।ନଈରେ ପ୍ରବଳ ପାଣି। ମଂଗଳପୁର ଗାଁର ଜଣେ ଧନୀ ଲୋକ  ନାଁ କୁବେର ;ବଡ଼ ଅର୍ଥ ଲୋଭୀ।ବେଶି ମାପିଚୁପି ଚଳେ।ଭଲ ଭାବରେ ପେଟକୁ ଦି ମୁଠା ଖାଏ ନାହିଁ;ବଳି ଯାଇଥିବା ବାସି ପଖାଳରେ ଓଳିକ ଚଳାଇ ଦିଏ;ଧୋତି କି ଗାମୁଛା ପୁରୁଣା ହୋଇ ଫାଟି ଗଲେ ଛୁଞ୍ଚି ସୂତାରେ ଶିଲେଇ କିଛି ଦିନ କାଟି ଦିଏ;କାହାର ବାହା ପୁଆଣି ହେଲେ ଆଗୁଆ ଖଲି ପକାଇ ହସି ହସି ପେଟେ ଠୁଙ୍କି ଦିଏ;ଘରକୁ ଅଧିକା ଭାତ ତିଅଣ ମାଗି ଗାମୁଛାରେ ଗଣ୍ଠି ପକାଇ ଆଣି ଘରଣୀ  ସାବିକୁ ଖାଇବାକୁ ଦିଏ;ପ୍ରତି ଦିନ ପିଆଜ,କଂଚା ମରିଚ,ଆମ୍ବୁଲ ଫଡା,ତେନ୍ତୁଳି ଫଡେ,ଦି ଟିପେ ଲୁଣ,ପଖାଳ,ଶୁଖୁଆ ପୋଡା,ବାଇଗଣ ପୋଡା ଆଉ ବାଡିର ସଜନା ଶାଗ ଖରଡା ଘିନେ ହେଲେ, ତଣ୍ଟିକୁ ଗଳ ଗଳ ଭାତ ଗଲା;ଘରର ଘରଣୀ ଏମିତି ଶୁଣ୍ଠା ମଣିଷର ହାତ ଧରି ହିନସ୍ତା/ସଜ ମାଛ କି ମାଉଁସ କେବେ କିଣା ନାଇଁ;ତୁଣ୍ଡ ଗନ୍ଧିଆ ଲାଗିଲାଣି ବୋଲି କୁବେରକୁ ସାବି ଗୁଜୁ ଗୁଜୁ ହୁଏ;ହେଲେ କୁବେର ସାବିର କଥାକୁ ଧ୍ଯାନ ଦିଏ ନାହିଁ;ମାଇପି ଲୋକ ସବୁ ବେଳେ ଭଲମନ୍ଦ ଗିଳିବା ତାଂକର ଜନ୍ମଗତ ଗୁଣ ! ଧନ କମେଇଲା ବାଲକୁ ଜଣା ଧନଟା ହାତକୁ କେତେ କଷ୍ଟରେ ଆସେ !ଧନ ହେଉଛି ଚଞ୍ଚଳା...ଏ ହାତରୁ ସେ ହାତକୁ ଯିବା ପାଇଁ ଛଟ ପଟ !ସାବିଟା ହୁଣ୍ଡିଟା ! ଟଂକାର ମୂଲ୍ଯ ସେ କଣ ଜାଣିବ ?ଆଜି କାଲି ଟଂକା ନଥିଲେ କିଏ କାହାକୁ ଖାତିରି କରେ ନାହିଁ ;ମଂଗଳପୁର ଗାଁରେ କୁବେରଂକ ଜମି ଜୁମା ଅଛି ବୋଲି ଲୋକେ...ଅବଧାନେ ଆଉ ସାଆନ୍ତେ ଡାକନ୍ତି ! ନିଆଅ ନିଷ୍ପତ୍ତି ପାଇଁ ଗାଁର ମୁଖିଆ କରିଛନ୍ତି ! କିନ୍ତୁ ଅକାଳେ ସକାଳେ କାହାରିକୁ ବିପଦ କି ଆପଦ ପଡିଲେ ଫଟା ଅଦୁଲିଟିଏ ଦେବାର କିଏ କେବେ ଶୁଣି ନି! ଯାନି ଯାତ୍ରା ହେଉ କି ମେଳା ମଉଛବ ହେଉ, ବାହା ପୁଆଣି ହେଉ କାହାରିକୁ ଅଦୁଲିଟିଏ ଦାନ ଧର୍ମ କରିବାର ନାହିଁ ! ଜଣା ଶୁଣା ଭିକାରୀ ମଧ୍ଯ ଭିକ ମାଗିବାକୁ କୁବେର ଦାଣ୍ଡରେ ଠିଆ ହେବାର କିଏ କେବେ ଦେଖି ନି!ମାଛ ମାଉଁସ ଖାଇଲେ ଟଂକା ପଇସା ସରିଯିବ ବୋଲି କେବେ ଘରେ ଏ ସବୁ ପଶେ ନା;ମାତ୍ର କେବେ କିମିତି ଶୁଖୁଆ ବିକିବା ପାଇଁ ନୋଳିଆଣି ଆସିଲେ କିଲେ ପଥର ମୁଣ୍ଡି ଶୁଖୁଆ କିଣିଲେ କଟକଟା ମାସେ ଦି' ମାସ ଚାଲେ ! ନାଁ ଟି ସିନା କୁବେର; କରାଟରୁ କି ଗାଞ୍ଜିଆରୁ ଟଂକା ବାହାରିବା କାଠିକର ପାଠ ! 

ଜୀବନ ସାରା ଖାଲି ଖରଚ କଲେ କିଏ କେବେ କୁବେର ହେବ କି ? କୁବେର ହେବାକୁ ହେଲେ ସଂଚୟ ଦରକାର ! କୁବେରଂକ ବୋପା ଅର୍ଜିଲା ସଂପତି କହିଲେ ଦଶ ଏକର;ସେଥିରୁ ଯାହା ଫସଲୀ ଆୟ;ଦୁଇ ପ୍ରାଣୀ କୁଟୁମ୍ବ;କୋଳରେ ସନ୍ତାନଟିଏ ନାହିଁ;ପିଲା ଝିଲା ନାହିଁ ବୋଲି ମନରେ ଜମା ଦୁଃଖ ନାହିଁ;ଭାରିଜା କହୁଛି ଯାଜ୍ଞ ଯଜ୍ଞ ତୀର୍ଥ ବ୍ରତ କଲେ କୁଆଡେ ପିଲା ଝିଲା ହେବ ବୋଲି ଗାଁ ପାଇପେ ତୋଠ ବାଟରେ ଟୁପୁରା ଟୁପୁରୀ ହେଉଛନ୍ତି ! ବାଂଝ ମୁହଁଟା ସକାଳୁ ସକାଳୁ ଚାହିଁଲେ କୁଆଡେ ଅଶୁଭ ବୋଲି ଟାହି ଟାପରା କରନ୍ତି !ସାବି ବେଳେ ବେଳେ ଲାଜ ହୋଇ ନଈ ପୋଖରୀକୁ ଗଲା ବେଳେ ମାଇପି ମେଳରେ ଯିବା ପାଇଁ ଖଂଗସ କରେ ! ଏକା ଏକା ଯାଏ !

ପାଲା ମାନସିକ କଲେ କୁଆଡେ ସନ୍ତାନ ସନ୍ତତି ପ୍ରଭୁ କୃପା କରନ୍ତି ବୋଲି ଶୁଣା ଶୁଣି ! ହେଲେ ପଇସା ପତର ଖରଚ ହୋଇ ଯିବ ବୋଲି କୁବେର ଏ ସବୁ ଗୋଲକ ଧନ୍ଦାରୁ ବହୁ ଦୂରରେ !ସାବିର ମାଆ ହେବାକୁ ଭାରି ଇଛା କିନ୍ତୁ କରିବ କଣ ? ଏମିତି ମନ କରି ସୁନ୍ଦର ଯଉବନଟା ଢଳି ଗଲାଣି ! ଅଲାଜୁକ ଲୋକଟି ନାରୀ ମନ କଥା ଜାଣିଲେ ତ ? ଖାଲି ଧନ ଧନ ! ଧନ କାହା ପାଇଁ ଅର୍ଜିବ ? ଖାଇବ କିଏ ? ବଉଁଶ ନାହିଁ କି ଡାଅଁଶ ନାହିଁ ! ସାବି ସଂଜ ହେଲେ ସଂଜବତୀ ଜାଳି ମାଆ ତୁଳସୀଂକୁ ଅନ୍ତର ବେଦନା ଜଣାଏ ! ତଥାପି ଆଶା ... ଆଶାରେ ଅଟକି ଗଲା ! ସାବି ମଧ୍ଯ ଜାଣିଲାଣି ଯେ ଆଉ ଭବିଷ୍ଯତରେ ପିଲା ଝିଲା ହେବ ନି ! ଯାହା ଥିବ ଭାଗ୍ଯରେ !

ଏମିତି ଏଇ ଝଡ଼ ବର୍ଷାରେ ଦିନେ କୁବେର ତାଙ୍କ ଶାଳକ ଘରକୁ ବାହାରି ଥାନ୍ତି ନିମନ୍ତ୍ରଣ କରିବା ଆଶାରେ।ସାବିର ପିଲା ପିଲି ହେଉନି ,ଜ୍ଯୋତିଷ କହିଛି ଶନି କୋପରୁ ନିସନ୍ତାନ ସେ ! ଏଣୁ ଶନିଶ୍ଚର ମେଳା କରିବାକୁ ହେବ ! ପିଲା ପିଲି ନାହିଁ ବୋଲି ସାବିର ମନ ବଡ ଦୁଃଖ ! ଶନିଂକ ଦୟାରୁ ଯଦି ଖଣ୍ଡେ ପଟେ ପିଲା ଅଧା ବୟସରେ ହେଲା...ତା ହେଲେ ଭାଗ୍ଯ ତେଜ ! ସାବି ମନ ବି ଆନନ୍ଦରେ କୁଣ୍ଢେ ମୋଟ ହୋଇ ଯିବ ! ପତି ପତ୍ନୀ ଦୁହେଁ କଥା ହେଲେ ଆସନ୍ତା ଶନିବାର ଦିନ ଶନିଶ୍ଚର ମେଳା କରେବେ,ଏମିତି ସାତ ଶନିବାର ଏହି ମେଳା ହେବ!ପ୍ରଥମ ମେଳାଟାରେ ଶାଳଂକୁ ନ ଡାକିଲେ ସାବି ଖପା ହେବ ! ଶାଳକ ଆସିଲେ ପୂଜା ସାମଗ୍ରୀ କିଣା ହେବ ! ବାମୁଣଂକୁ ଡକା ହେବ ! ପୂଜା ପାଠ ନୀତି କାନ୍ତିରେ ଚଳିବାକୁ ହେବ ! ଏକେଲା ମଣିଷ କରିବ କଣ ! ଶାଳକଟା ଟିକେ ସାହାଯ୍ଯର ହାତ ବଢାଇଲେ କାମ ଫତେ !

ବର୍ଷା ଯୋଗୁଁ ନଈରେ ପ୍ରଖର ସୁଅ।ଧନୀ ଲୋକ ଟି ଭାବିଲା-ନଈରେ ପଶି ପାର ହେବି।ନଈ ପାଖରେ ନାଆ ଧରି ନାଉରୀ ବସିଥିଲେ ମଧ୍ଯ ସେଥିରେ ପାର ହେବାକୁ ମନସ୍ତ କଲା ନାହିଁ! କାରଣ ନାଉରୀକୁ ଭଡା ଦେବାକୁ ପଡିବ! ଛୋଟିଆ ନଈଟି ଦି' ହାତ ବୁଲେଇ ଦେଲେ ସେ କୂଳକୁ ପାର ! ତୁଛାଟାରେ ଟିକେ ପାର ପାଇଁ ତଣ୍ଡ ଗଣିବ କିଆଁ?କୁବେର ମନରେ ପାଞ୍ଚୁ ପାଞ୍ଚୁ ନଈ ଭିତରେ ପଶିଲା!

ବର୍ଷା ଯୋଗୁଁ ନଈରେ ପ୍ରଖର ସୁଅ ! ଧନୀ ଲୋକଟି ନଈ ପାର ବଳେ ସୁଅରେ ଭାସି ଭାସି ତଳକୁ ତଳ ଗଲା।ପହଁରା ଆସୁ ନଥିବାରୁ ଧନୀ ଲୋକଟି ବଞ୍ଚିବା ପାଇଁ  ଚିତ୍କାର କଲା । ନିକଟରେ ନାଉରୀଆ ନାଆ ଘାଟରେ ଧରି ଲୋକମାନଂକୁ ନଈ ପାର ହେବାକୁ ଜଗି ବସିଥାଏ !ସେ ଦେଖିଲା ନଈରେ ଜଣେ ଭାସି ଯାଉଛି।ନିଜ ଜୀବନକୁ ବିପନ୍ନରେ ପକାଇ  ନାଉରୀଆଟି  ଲୋକଟିକୁ ଉଦ୍ଧାର କଲା। ନାଉରୀଆ କହଲା-ତୁମେ ଡଂଗାରେ ନବସି ନଈ ପାର କାହିଁକି ହେଉଥିଲ ?ଯଦି ପାଖରେ ପଇସା ନାହିଁ ପରେ ଦେଇଥାନ୍ତ;ଏବେତ ପ୍ରାଣଟା ନିମିଷକେ ଚାଲିଯାଇଥାନ୍ତା ! ଧନୀ ଲୋକଟି ବଞ୍ଚି ଯାଇ ଥିବାରୁ ସେ ବଡ଼ ଖୁସି।ଭଗବାନଙ୍କୁ ପ୍ରାର୍ଥନା କଲା ମନେ ମନେ।ପୈତୃକ ପ୍ରାଣଟି ବଞ୍ଚିଗଲା।ସେଇ ଧନୀ ଲୋକ ଟି ଭାବିଲା-ତା ଜୀବନ ବଞ୍ଚାଇଥିବାରୁ ନାଉରିଆକୁ ପୁରସ୍କୃତ କରିବ। ଗାମୁଛାରେ ଗଣ୍ଠି ପକେଇ ସାଇତି ଥିବା କିଛି ଚିଲର ପଇସାରୁ ଟଙ୍କାଏ ହାତରେ କାଢ଼ିଲା।ଜୀବନ ବଞ୍ଚାଇଥିବା ଲୋକଟିକୁ ଦେଇ କହିଲା--"ଏଇ ନିଅ ତୁମ ବକ୍ସିସ" ! ନାଉରୀ ଦେଖିଲା- ଲୋକଟି ଟଙ୍କାଏ ମାତ୍ର ପୁରସ୍କାର ଦେଇଛି।ସତରେ ଜୀବନର ମୂଲ୍ୟ କ'ଣ ଏକ ଟଙ୍କା?ନାଉରୀ ଆଶ୍ଚର୍ଯ୍ଯ ହେଲା ! ଗାମୁଛାରେ ଲୋକଟି ବୁଜୁଳାଏ ଗେଣ୍ଡୁ ଟଂକା ବାନ୍ଧିଛି,ତେବେ ଟଂକାଏ ମାତ୍ର ମୁଦ୍ରା ପୁରସ୍କାର ସ୍ବରୂପ ଦେଉଛି;ସେ ଜାଣିଲା ଏ ଧନୀ ଲୋକଟି ଏକ ନମ୍ବର ଶୁଣ୍ଠା ! ନାବୀକ ବିରକ୍ତ ହୋଇ କହିଲା-ମତେ ପୁରସ୍କାର ଲୋଡା ନାହିଁ।ତୁମ ପୁରସ୍କାର ତୁମେ ପାଖରେ ରଖ କହି ଓଲଟି ଟଙ୍କାଟିଏ ଫେରେଇ ଦେଲା ଶୁଣ୍ଠା ଲୋକର ହାତକୁ।  ଟଂକାଏ ମୁଦ୍ରା ନ ନେବାରୁ କୁବେର ମଧ୍ଯ ଖୁସୀ ! ସଥି ପ୍ରତି ତିଳେ ବି ଅନୁଶୋଚନା ନାହିଁ ! ଧନୀ ଲୋକଟି କହିଲା- ମତେ ଭଗବାନ ବଂଚେଇଲେ ! ମୋର ଯଦି ପରମାୟୁ ନଥାନ୍ତା,ତାହା ହେଲେ ମୁଁ କଣ  ବଂଚି ଥାନ୍ତି ?ରେଖେ ହରି ମାରେ କିଏ ନା ମାରେ ହରି ରଖେ କିଏ ? ଧନୀ ଲୋକଟି ଶାଳକ ଘରକୁ ଯାଇ ପୁଣି  ଅପରାହ୍ନରେ ଫେରିଲା।ନଈରେ ସେମିତି ସୁଅ।ନାଉରୀ ଖାଲି ଡଂଗାଟି ଧରୀ ଯାତ୍ରୀମାନଂକ ଅପେକ୍ଷାରେ ଅଛି;ତେବେ ଶୁଣ୍ଠା ଲୋକଟି ଭାବିଲା ଡଂଗା ପାରି ହେଲେ ୫ ଟଂକା ଦେବାକୁ ପଡିବ ! କାହିଁକି ଦେବ ! ସେମିତି ନଈରେ ପଶି ଚିତ୍କାର କଲେ ପୁଣି ନାଉରିଆ ଉଦ୍ଧାର କରିବ;ଉଦ୍ଧାର କଲେ ପୁଣି ଟଂକାଏ ମୁଦ୍ରା ପୁରସ୍କାର ଦେବ; ନାଉରୀ ବିରକ୍ତ ହୋଇ ନେବ ନି;ସେ ମାଗଣାରେ ନଈ ପାର ହୋଇ  ଘରକୁ ଚାଲି ଯିବ ! ଭାବୁ ଭାବୁ ପୂର୍ବ ଭଳି ନଈରେ ପଶି ଧନୀ ଲୋକଟି ପାର ହେଲା ବେଳେ ତଳକୁ ତଳ ଭାସି ଗଲା।ମୋତେ -"ରକ୍ଷା କର...ରକ୍ଷା କର" ବୋଲି ବଡ ପାଟିରେ ଚିତ୍କାର କଲା। ନଈ ତଟରେ ସେଇ ନାଉରିଆଟି ଠିଆ ହୋଇଥିଲା। ଧନୀ ଲୋକଟି ବଞ୍ଚିବା ପାଇଁ ଯେତେ ଚିତ୍କାର କଲେ ମଧ୍ୟ  ନାଉରିଆ କର୍ଣ୍ଣପାତ କଲା ନାହିଁ; ନାଉରିଆ କହିଲା ତୁମେ ଭଗବାନଂକୁ ଡାକ ନିଶ୍ଚୟ ଉଦ୍ଧାର କରିବେ ! ମାରେ ହରି ରଖେ କିଏ ନା ରଖେ ହରି ମାରେ କିଏ ? ଏଥର ତୁମକୁ ହରି ଭରସା,ନାଉରିଆ ସେ ଦିଗକୁ ଚାହିଁଲା ନାହିଁ;ପୁଣି କହିଲା-ମତେ ଟଙ୍କା ଏ ପୁରସ୍କାର ଦରକାର ନାହିଁ କି ତୁମ ଭଳି କଂଜୁସ ଲୋକକୁ ଉଦ୍ଧାର କରିବା ମୋର  ଆବଶ୍ୟକ ନାହିଁ।ଶେଷରେ ସେହି କୃପଣ ଲୋକଟି କହିଲା ମୋ ପାଖରେ ଯେତେ ଟଂକା ଅଛି ତୁମକୁ ଦେଇ ଦେବି-ମତେ ଉଦ୍ଧାର କର | ନାଉରିଆ ସେଇ କୃପଣ ଲୋକଟିକର କଥାକୁ ବିଶ୍ବାସ କଲା ନାହିଁ! ସଂଜ ହୋଇ ରାତି ହେଲା;କୁବେର ମଂଗଳପୁର ଗାଁକୁ ଫେରିବ ବୋଲି ସାବି ଡିବିରୀ ଆଲୁଅ ଜାଳି ସାରା ରାତି ଉଜାଗର ହୋଇ ବସିଛି ! ସକାଳ ହେଲା କୁବେରର ମଲା ଦେହଟି ପଥର ସାମ୍ପଡାରେ ଲାଗିଛି ବୋଲି କେତେ ଲୋକ ହୁରି ଛାଡିବାରୁ ନଈ ଆଡକୁ ସାବି କାନ୍ଦି କାନ୍ଦି ଗଲା !ସତକୁ ସତ କୁବେର ପେଟେ ପାଣି ପିଇ ମରି ଯାଇଛି! ଲୋକମାନେ ରୁଣ୍ଡ ହୋଇ ମଲା ମଢକୁ କାଢି କୂଳକୁ ଆଣିଲେ;ଏ କଥା ନାଉରିଆ କାନରେ ପଡିଲା ପରେ ସେ ବି ଦୁଃଖ ପ୍ରକାଶ କରି ଦୁଇ ଟୋପା ଲୁହ ଗଡେଇ ଦେଲା ! ତା ଭୁଲ ପାଇଁ ଲୋକଟିର ଅମୂଲ୍ଯ ଜୀବନ ଚାଲି ଗଲା !ଜଣକର ସଂସାର ଉଜୁଡି ଗଲା ! ଲୋକମାନେ ନାଉରିଆ ପାଖକୁ ଯାଇ କହିଲେ-ତୁ କାହିଁକ ସେ ଲୋକଟିକୁ ଡଂଗାରେ ପାର କଲୁ ନାହିଁ ? ତୋ ପାଇଁ ଲୋକଟି ମରି ଗଲା ! ନାଉରିଆ ସକଳ ବୃତ୍ତାନ୍ତ କହିଲା ପରେ ଲୋକେ ଶାନ୍ତ ହେଲେ ;ନାଉରିଆ ସମସ୍ତଂକୁ କ୍ଷମା ମାଗିଲା;ଏଥର ତାକୁ ଆଉ ପୁରସ୍କାର ଦରକାର ନାହିଁ ! ତା କର୍ତ୍ତବ୍ଯ ଠିକ ଭାବରେ ତୁଲାଇବ !

ନଈରୁ କୁବେରର ଶବ ଉଦ୍ଧାର କରି ଲୋକମାନେ ମଂଗଳପୁର ଗାଁ କୁ ଆଣିଲେ!ସାବି ଶବ ପାଖରେ ମଥା ପିଟି ଅତି ବିକଳେ କାନ୍ଦୁଥିଲା ! 

- ସମାପ୍ତ - 

କେଶବ ଚନ୍ଦ୍ର ନାୟକ
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମୋନଂ:9437779447

Post a Comment

0 Comments