ଦାଦନ


ରାମ ଚନ୍ଦ୍ର ପ୍ରଧାନ

କାହିଁକି ସାଜିଛୁ  ଆଜି ତୁ ଦାଦନ
     ପର ବିଦେଶକୁ ଯାଇ 
ଗାଆଁ ବିଲବାଡ଼ି  ପଡିଆ ପଡିଛି     
      ଟାଙ୍ଗରା ଭୂଇଁଟେ ହୋଇ...                             
ଚାଷବାସ କରି  ଯୋଗାଇ ଦେଏରେ 
      ମୁହଁରେ ମୁଠାଏ ଦାନା 
ଚାଷ ତୋବେଉସା ଚାଷ ତୋ ଭରସା
     ଭାବେନା ତୁ ଅନାବନା... 
ଦିନରାତି ତୁହି କେତେବା ଖଟିବୁ 
     ପର ଘର ଭାତ ଖାଇ  
ଆଖେପାଖେ ତୋର କେହିସାହା ନାହିଁ
    ଫେରିଆ ଫେରିଆ ଭାଇ... 
ମାଆ ହାତରନ୍ଧା ଏଣ୍ଡୁରି ଆରିସା
    ମନେ ପଡୁନି କି ତୋର 
ରଜଦୋଳି ଖେଳ ସାଙ୍ଗସାଥି ମେଳ
    ହୋଇଗଲେ କି ତୋ ପର... 
ମାଆ ଆଖି ଲୁହ  ଶୁଖି ଆସିଲାଣି 
    ତୋତେ ବାପ ଝୁରି ଝୁରି 
ଭିଟାମାଟି ଛାଡି  କେମିତି ରହିଛୁ 
     ଆପଣାକୁ ପର କରି...
ଡାକେ ତୋର ମାଆ ଆଉ ମାଟି ମାଆ 
     ଫେରିଆ ଫେରିଆ ଧନ 
ଡେରି ନକରି ତୁ ସଅଳ ଫେରିଆ
      ଅଧିର ହେଲାଣି ମନ...।।
 
 ସାନ୍ତରାପଲ୍ଲୀ, ଗଞ୍ଜାମ

Post a Comment

0 Comments