ଆମପରି ଛୋଟ ପିଲାଟିଏ - ରଞ୍ଜନ କୁମାର ଵ୍ରହ୍ମା




ଆମ ପରି ଛୋଟ ପିଲାଟିଏ

ବ୍ରାହ୍ମଣ ଶାସନେ ଜାତ ସିଏ  ।

ଗ୍ରାମ ଖଜୁରିଆ ଚିକିଟୀର ପାଖେ

ଓଡିଶା ଗଞ୍ଜାମେ ଅଛି ଯିଏ  ।।୧।।


ପାଠ ପ୍ରତି ତାର ନାହିଁ ମନ 

ପାରି ଜାଣି ଥରେ ଗୋଟେ ଦିନ ।

ବାପା କହିଗଲେ ଦେଇଥିବା ପାଠ

ଫେରିଲେ କରିବେ ଆକଳନ  ।।୨।।


ଏହା କହି ବାପା ଚାଲିଗଲେ 

ଯଜମାନ ଗ୍ରାମେ ପ୍ରବେଶିଲେ ।

ପୂଜା ପାଠ ସାରି ଫେରିବା ବେଳକୁ

ରାତ୍ରି ଯୋଗୁଁ ସେଠି ରହିଗଲେ  ।।୩।।


ବାପାଙ୍କ କଥାରେ ରଖି ମନ

ଶ୍ଳୋକ ମୁଖସ୍ଥରେ ଦେଲେ ଧ୍ୟାନ ।

ମନରହୁ ନାହିଁ  କିପରି କହିବେ 

ଫେରିଲେ ବାପାଙ୍କ ପ୍ରଶ୍ନମାନ ? ।୪।


ଦିନ ବୁଡିଯାଇ ସନ୍ଧ୍ୟା ହେଲା

ଆଲୁଅ ଅଭାବେ ପାଠ ଗଲା ।

ନିରୁପାୟ ହୋଇ ମଶାଣି  ଜୁଇକୁ 

ଆଶ୍ରାକରି ଶ୍ଳୋକ ବୋଲା ହେଲା ।।୫।।


ବୋଲୁଥିବା ଶ୍ଳୋକ ଅତି ସ୍ୱଷ୍ଟ 

ସେ କି ଜାଣେ ତାହା ଚଣ୍ଡି ପାଠ ।

ଶ୍ମଶାନର ଦେବୀ ପ୍ରକଟିତ ହେଲେ 

ପିଲାଟିକୁ କଲେ ଶୁଭାଶିଷ  ।।୬।।


ବାପା ଫେରି ଆସି ପରଦିନ 

ପିଲାଟିକୁ କଲେ ଅନୁଧ୍ୟାନ  ।

ସିଦ୍ଧି ପ୍ରାପ୍ତକରି ଜାଗ୍ରତ ରହିଛି

ଜାଣିପାରିଲେ ସେ  ବିଦ୍ୟାବାନ ।।୭।।


*ନରହରି ପଣ୍ଡା* ନାମେ ଖ୍ୟାତ 

ପଣ୍ଡିତ ଜାତିର ରଖେ ଟେକ ।

'ମେଘଦୂତଂ' ବ୍ରହ୍ମ ପ୍ରକଶିକା ଟୀକା 

ସମକକ୍ଷ ଲେଖା କାଳିଦାସ ।।୮।।


ମହାମୋହପଧ୍ୟାୟ ଉପାଧିରେ 

ଭୂଷିତ ହୋଇଣ ଜଗତରେ ।

ଅଷ୍ଟାଦଶ ଶତ-ଅବଦୀ ବେଳରୁ

ସଂସ୍କୃତ ସହିତ୍ୟେ ଚମକିଲେ  ।।୯।।


ରଥଯାତ୍ରା କାଳେ ପୁରୀ ଧାମେ 

ଭାଷ୍ୟକରଙ୍କର ଆସେ ମନେ ।

ଦେଖି ଗୁଣ୍ଡିଚାକୁ ବଖାଣି ଚାଲିଲେ 

ମେଘଦୂତ କାବ୍ୟ ଖୁସି ମନେ  ।।୧୦।।


ତାଙ୍କ ସମ ଆଉ କିଏ ହେବ 

କାବ୍ୟକୁ ବାକ୍ୟରେ ଯୋଡୁଥିବ ।

ପଢ଼ାବହି ସହ ଅନ୍ୟାନ୍ୟ ବିଷୟ

ସଦାବେଳେ ଯିଏ ପଢୁଥିବ  ।।୧୧।।


ଯେ କରେ ସାଧନା ପିଲାବେଳୁ

କାମଦୁଘା ନେଇ ସିଏ ଚଳୁ  ।

ସାଧନା କାହାର ବ୍ୟର୍ଥ ଯାଇନାହିଁ

ଉପାର୍ଜନ କର ମହୀତଳୁ ।।୧୨।।



     ଚିକିଟୀଗଡ଼, ଗଞ୍ଜାମ

     ଫୋନ୍ ନଂ ୯୪୩୭୮୫୮୭୮୮

Post a Comment

0 Comments