ଜଗନ୍ନାଥ ଓ ମାଆ ଲକ୍ଷ୍ମୀଙ୍କ ଝଗଡା - ଅର୍ଜୁନୀ ଚରଣ ବେହେରା

 


ସୁଦଶା ବ୍ରତ ଗୁରୁବାର ଦିନ ଜଗନ୍ନାଥଙ୍କ ଠାରୁ ଅନୁମତି ନେଇ ଲକ୍ଷ୍ମୀ ନଗର ଭ୍ରମଣରେ ଯାଇ ଗୁଣ୍ଡିଚା ମନ୍ଦିର ଓଳାଉଥିବା ଶ୍ରୀୟା ଚାଣ୍ଡାଳୁଣୀ ଘାରେ ପହଞ୍ଚି ତାର ପୂଜା ଘେନା କରିଛନ୍ତି l ବଳଦେବ ଲକ୍ଷ୍ମୀ ଚାଣ୍ଡାଳ ଘାରେ ପୂଜା ଘେନି ଥିବା କଥା ଜାଣି ପାରିଛନ୍ତି l ଦୁଇ ଭାଈ ମିଶି ବିଚାର କରିଛନ୍ତି ଲକ୍ଷ୍ମୀ ଚାଣ୍ଡାଳ ସାହି ଯାଇ ଅପବିତ୍ର ହୋଇଛନ୍ତି, ତାକୁ ପ୍ରାୟଶ୍ଚିତ କରି ଜାତି ନ କରାଇଲେ ଶ୍ରୀ ମନ୍ଦିରରେ ପୁରାଇ ଦେବା ନାହିଁ l ଲକ୍ଷ୍ମୀ ଫେରି ଆସିଛନ୍ତି l ସିଂହ ଦ୍ୱାରରେ ଓଗାଳି ବସିଥିବା ଦୁଇ ଭାଇଙ୍କୁ ମନ୍ଦିର ଭିତରକୁ ଛାଡ଼ିବା ପାଇଁ ଅନୁରୋଧ କରିଛନ୍ତି l ତହୁଁ ଜଗନ୍ନାଥ ଲକ୍ଷ୍ମୀଙ୍କୁ କହିଲେ :-

          ଗୋବିନ୍ଦ  ବୋଇଲେ ଲକ୍ଷ୍ମୀ ହୋଇଲ କି ବାଇ l

          ଚାଣ୍ଡାଳ ସାହିକୁ ଯାଇଥିଲ କାହିଁ ପାଇଁ ll

          ଆମ୍ଭେ ନ ଦେଖୁଣୁ ଯେ ଦେଖିଲେ ବଡ଼ଭାଈ l

          ଆମ୍ଭେ ଦେଖିଥିଲେ ସିନା ଦିଅନ୍ତୁ ଘୋଡାଇ ll

          ଯାଅ ଲକ୍ଷ୍ମୀ ତୁମ୍ଭ ଠାରେ ଆଉ କାର୍ଯ୍ୟ ନାହିଁ l

          ଧିକ୍କାର ବହୁତ ମୋତେ କଲେ ବଡ଼ ଭାଈ ll

ଜଗନ୍ନାଥ ଏପରି କହିବାରୁ ଲକ୍ଷ୍ମୀ ଓ ଜଗନ୍ନାଥଙ୍କ ଭିତରେ ବଚସା ଆରମ୍ଭ ହୋଇଛି :-

 ଲକ୍ଷ୍ମୀ - ତା ହେଲେ ମୋତେ ଛାଡ଼ପତ୍ର ଦେଇ ଶ୍ରୀ ମନ୍ଦିରରୁ ତଡ଼ି ଦିଅ l

ଜଗନ୍ନାଥ - ଛାଡ଼ପତ୍ର ଆମ୍ଭ ଜାତିରେ ଚଳେ ନାହିଁ ତୁ ସେମିତି ବାହାରି ଯାଆ l ତୋର ମୁହଁ ମୁଁ ଚାହିଁବି ନାହିଁ l

         ତୋହ ଠାରେ କୋପ କରିଛନ୍ତି ବଡ଼ ଭାଈ l

         ଲକ୍ଷ୍ମୀ ଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ ll

         ଛାଡ଼ପତ୍ର ଦେଇ ମୋତେ ଦିଅ ଘଉଡ଼ାଇ l

         ଜଗନ୍ନାଥ କହୁଛନ୍ତି ଲକ୍ଷ୍ମୀ ମୁଖ ଚାହିଁ ll

         ଆମ୍ଭ ଜାତିରେ ଛାଡ଼ ପତ୍ର ଚଳେ ନାହଁ l

         ଛାଡ଼ିବା ଭାରିଜା ମୁଖ ଚାହିଁ ନ ଯୋଗାଇ ll

ଲକ୍ଷ୍ମୀ - ପ୍ରଭୁ ସାଗର ମନ୍ଥନ କାଳରେ ମୋତେ ଯେତେବେଳେ ପାଇଥିଲେ ସେ ସମୟରେ ମୋତେ ଦେଇଥିବା ପ୍ରତିଶ୍ରୁତି କଥା ଭୁଲି ଗଲେଣି ବୋଧ ହୁଏ l

         ଅଷ୍ଟଦିନେ ପଡ଼ିବ ମୋହର ଗୁରୁବାର l

         ପଡ଼ି ଚରଚିବି ମୁହିଁ ସଭିଙ୍କ ଘରର ll

         ପଡ଼ି ଚରଚିବି କୀଟୁ ବ୍ରହ୍ମ ପରିଯନ୍ତେ l

         ଏହି ଦୋଷ ମୋର ପ୍ରଭୁ ନଧରିବ ଚିତ୍ତେ ll

         ହେଉ ବୋଲି ଶ୍ରୀମୁଖରେ ଆଜ୍ଞା ଅଛ ଦେଇ l

         ଏବେ କିମ୍ପା ସତ୍ୟ ଭଗ୍ନ ହେଉଛ ଗୋସାଇଁ ll

ଏଥର ଜଗନ୍ନାଥ କ୍ରୋଧିତ ହୋଇ ଲକ୍ଷ୍ମୀଙ୍କୁ ତାଙ୍କ ବାପ ଘର ନାଁ ନେଇ ଗାଳି ଦେଇଛନ୍ତି :-

           ଜଗନ୍ନାଥ କହୁଛନ୍ତି କୋପଭର ହୋଇ l

           ବାପ ତୋ ଲୁଣିଆ ଯେ ଗରଜି ମରୁଥାଇ ll

           ଝିଅ ଟେରି ତୋ ଦୁର୍ଗୁଣ କହିଲେ ନ ସରେ l

           ବାପର ଗର୍ଜନ ଶବ୍ଦେ କିଏ ରହି ପାରେ ll

           ଚାରି ପାଖେ ମେଘନାଦ ପାଚେରୀ ତୋଳାଇ l

           ବଡ଼ ଦେଉଳରେ ରହିଅଛୁ ଦୁଇ ଭାଈ ll

ଆଉ ମାଆ ଲକ୍ଷ୍ମୀଙ୍କୁ ସମ୍ଭାଳେ କିଏ l କହିଲେ,ହେ ଠାକୁରେ ଦଣ୍ଡେ ମାତ୍ର ଅଛବ ଘରେ ପାଦ ଦେଇଥିଲି ଆପଣ ମୋ ବାପ ଜାତି ଗୋତ୍ର ନେଇ ଗାଳି ଦେଉଛନ୍ତି ତେବେ ଶୁଣ ତୁମ ଜାତି ଗୋତ୍ର କଥା l

         ଅଛବ ବିଟାଳ ବୋଲି ଦିଅ ଘଉଡ଼ାଇ l

         ପୁଣି ଜାତି କୁଳ ଗୋତ୍ର କହିଲ ଗୋସାଇଁ ll

         ପ୍ରଭୁ ହେତୁ ସବୁ ଯାଇଅଛି ଗୋପ୍ୟ ହୋଇ l

         ତୁମ୍ଭ ଜାତି କୁଳର ତ ଠିକଣା ନ ଥାଇ ll

         ତୁମ୍ଭ ଜାତି କୁଳ ଯେ କହିଲେ ନ ସରଇ l

         ଗଉଡ଼ ଘରେ ରହିଲ ଦୁଇଗୋଟି ଭାଈ ll

         ନିମା ନାମେ ସିପୁଟି ଯେ ଜାତିରେ ଗୋଲକ l

         ତାହା ଘରେ ଜଗନ୍ନାଥ କଲ ଅନ୍ନ ଭକ୍ଷ ll

         ଦୂତପଣେ ଯାଇଥିଲ ହସ୍ତିନା ଭୁବନ l

         ବିଦୁର ଘରେ ଯେ ପୁଣି କରିଲ ଭୋଜନ ll

         ଜାରା ନାମେ ଶବର ଯେ ଅରଣ୍ୟରେ ଘର l

         ସେ ତୁମ୍ଭକୁ ପୂଜିଲା ବରଷ ଦଶ ବାର ll

         ଅରଣ୍ୟର ଫଳ ମୂଳ ଖୋଜିଣ ଆଣଇ l

         ବସିଣ ପ୍ରଥମେ ଭଲ ମନ୍ଦ ସେ ଖାଅଇ ll

         ଶବର ବିଟାଳ ତୁମ୍ଭେ ବେନିଗୋଟି ଭାଈ l

         ଏକଥା କି ତୁମ୍ଭ ମନୁ ଗଲା ଭୁଲି ହୋଇ ll

         ଆପଣେ ପାତକୀ କିମ୍ବା ପର ନିନ୍ଦା କର l

         ପାପ ପୁଣ୍ୟ ଦୁଇ କଥା ବିଚାର ନ କର ll

         ଭାରିଯା ଯେ ଦୋଷ କଲେ ପତି ତା ସହଇ l

         ଏକ ଅପରାଧେ ପ୍ରଭୁ ଭୃତ୍ୟେ କି ତେଜଇ ll

         କିମ୍ପା ନ କର ଗୋସାଇଁ ଏମନ୍ତ ବିଚାର l

         ଯାଅ ଯାଅ ବୋଲୁଅଛ ମୋତେ ବାରମ୍ବାର ll

ଏତେ କହି ସାରିଲା ପରେ ବି ଜଗନ୍ନାଥ  ଵୁଝି ନାହାଁନ୍ତି l ସେ କହିଛନ୍ତି ତୋର ଆଉ ଶ୍ରୀ ମନ୍ଦିରରେ ସ୍ଥାନ ନାହିଁ l ବାହାରେ ରୁହ, ତୋତେ ପଡ଼ି ଅନ୍ନ ଯୋଗାଇବୁ, ଭାଇଙ୍କ ଆଜ୍ଞା ଅବଜ୍ଞା କରି ପାରିବୁ ନାହିଁ l

             ଜଗନ୍ନାଥ କହୁଛନ୍ତି ଏମନ୍ତ କରିବା l

             ମାଣେ ମାଣେ ପଡ଼ି ତୋତେ ନିତ୍ୟେ ଦେଉଥିବା ll

             ଭାଇଙ୍କୁ ବୁଝାଇ ପଛେ ତୁମ୍ଭଙ୍କୁ ଆଣିବୁ l

             ଭାଇଙ୍କ ଆଜ୍ଞା ଅବଜ୍ଞା କେବେ ନ କରିବୁ ll

ଏହାପରେ ମାଆ ଦେହରୁ ସବୁ ଅଙ୍ଗଭୂଷଣ ଅଳଙ୍କାରମାନ କାଢ଼ି ଦେଇ ବାହାରି ଯାଇଛନ୍ତି l ଯିବା ବେଳେ କହି ଯାଇଛନ୍ତି :-

             ସତେ ଯେବେ ଚନ୍ଦ୍ର ସୂର୍ଯ୍ୟ ହୋନ୍ତି ଆତଯାତ l

             ତୁମ୍ଭକୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ ll

             ବାରବର୍ଷ ଯାଏ ତୁମ୍ଭେ ଦରିଦ୍ର ହୋଇବ l

             ଅନ୍ନ ବସ୍ତ୍ର ଜଳ ଯେ ତୁମ୍ଭଙ୍କୁ ନ ମିଳିବ ll

ତାହାହିଁ ହେଲା, ଲକ୍ଷ୍ମୀଛଡ଼ା ହୋଇ ଜଗନ୍ନାଥ ବଳରାମ ନାନା କଷଣ ପାଇଲେ l ଶେଷକୁ ନିଜର ଭୁଲ ବୁଝି ପାରି ଲକ୍ଷ୍ମୀଙ୍କୁ ଶ୍ରୀ ମନ୍ଦିର ଫେରାଇ ଆଣିଲେ l ଆସିଲା ବେଳେ ଲକ୍ଷ୍ମୀ ସର୍ତ୍ତ ରଖିଥିଲେ ଓ ଜଗନ୍ନାଥ ତାହା ମାନିଥିଲେ l ସର୍ତ୍ତ ଥିଲା ଶ୍ରୀ ମନ୍ଦିରରେ ଆଉ ଜାତିଭେଦ ରହିବ ନାହିଁ :-

           ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡାଇ ଖାଇବେ l

           ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ ll

           ଅନ୍ନ ଖାଇ ସର୍ବେ ମୁଣ୍ଡେ ପୋଛୁ ଥିବେ ହସ୍ତ l

           ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ ll

ଲକ୍ଷ୍ମୀ ପୁରାଣ ଶେଷ କରି ଭକ୍ତ ବଳରାମ ଦାସ କହିଛନ୍ତି :-

           ଏ ପୁରାଣ ଅଟଇ ଯେ ମୁକତିର ପଥ l

           ଏହା ଫଳ କଥନରେ କେ ହେବ ସମର୍ଥ ll

           ଲକ୍ଷ୍ମୀଙ୍କ ପୁରାଣ ଏହୁ ସମ୍ପୂର୍ଣ୍ଣ ହୋଇଲା l

           ଭାବେ ବଳରାମ ଦାସ ଗୀତରେ କହିଲା ll

ବାଃ ବାଃ ରେ ଓଡ଼ିଆ ପୁଅ ବଳରାମ l ଓଡ଼ିଆର ମାଆ ଲକ୍ଷ୍ମୀ ଓ ବପା ଜଗନ୍ନାଥଙ୍କୁ ଓଡ଼ିଆ ଘରର କଳିରେ ଯୋଡି ଦେଇ କି କାହାଣୀ ସୃଷ୍ଟି କଲୁ l ସଂସାରକୁ ଏଇ କ୍ଷୁଦ୍ର ଗ୍ରନ୍ଥ ମାଧ୍ୟମରେ କେତେ ବାର୍ତ୍ତା ଦେଇଗଲୁ l ଯୁଗ ଯୁଗ ପାଇଁ ଅମର ହୋଇଗଲୁ ମାଣବସା ପୂଜା ସୃଷ୍ଟି କରି l ଆଜି ମାର୍ଗଶୀର ଗୁରୁବାରରେ ଓଡ଼ିଆର ଘରେ ଘରେ ଗୁଞ୍ଜରି ଉଠୁଛି ତୋର ଲକ୍ଷ୍ମୀ ପୁରାଣ ଓଡ଼ିଆ କୁଳବଧୁ କଣ୍ଠରେ l ତୋର ଖ୍ୟାତି କେବଳ ଓଡିଶାରେ ସୀମିତ ହୋଇ ରହି ନାହିଁ l ସେଦିନ ପା ପଡୋଶୀ ପଶ୍ଚିମ ବଙ୍ଗର କବି ଦେବକୀନନ୍ଦନ ତାଙ୍କ ବୈଷ୍ଣବ ବନ୍ଦନା ଗ୍ରନ୍ଥରେ ଲେଖିଥିଲେ :-

            ବନ୍ଦେ ଉଡ଼ିଆ ବଳରାମ ଦାସ ମହାଶୟ l

              ଜଗନ୍ନାଥ ବଳରାମ ଯାର ବଶ ହୟ ll


                           

ପୋଖରୀପୁଟ, ଭୁବନେଶ୍ୱର 

ମୋ - 7693091971

Post a Comment

0 Comments