କଟକରୁ କୋରାପୁଟ
ଓଡ଼ିଶା ଭିତର ରାସ୍ତା
ଭାୟା ଢେଙ୍କାନାଳ, ଅନୁଗୁଳ
ସମ୍ବଲପୁର, ଟିଟିଲାଗଡ଼
ରାୟଗଡ଼ା, କୋରାପୁଟ
ସବୁ ଜିଲ୍ଲା ଓଡ଼ିଶା ମାନଚିତ୍ର ମଧ୍ୟରେ ।
ଜନ୍ମ ଭୂମିରୁ କର୍ମ ଭୂମି
କେନ୍ଦ୍ରାପଡ଼ାରୁ ମାଲକାନଗିରି
ବସିଥିଲୁ କଟକରୁ ସପରିବାରେ
ହୀରାଖଣ୍ଡ ଏକ୍ସପ୍ରେସର ପଞ୍ଚମ ବଗୀରେ
ସନ୍ଧ୍ୟା ସାତ, ଭରପୁର ଲୋକ ନେଇ
କୋଳାହଳ ମଧ୍ଯେ ନିର୍ଜୀବ ବାଷ୍ପୀୟ ଯାନ
ସଂଜୀବ ହୋଇ ଉଠିଲା ଆଗକୁ ଯିବାକୁ।।
ନିଜ ନିଜ ସ୍ଥାନ ଖୋଜି ଖୋଜି
ଯାତ୍ରୀମାନେ ଆସବାବ ପତ୍ର ସଜେଇ ରଖି
କିଏ ବସିଲେ ତ କିଏ ଶୋଇଗଲେ
କିଏ ପୁଣି ଭାବର ଆଦାନ ପ୍ରଦାନରେ ମସ୍ ଗୁଲ୍
ଆଉ କିଏ ପରିବାର ମଧ୍ୟରେ ସୁଖଦୁଃଖର ବାର୍ତ୍ତାଳାପ
କାହା ପାଖେ ଥାଏ ବିଚ୍ଛେଦର ବିରସ ଭାବ
ଥାଏ ପୁଣି ମିଶିବାର ଅସୁମାରୀ ସୁନେଲି ସ୍ବପ୍ନର ପସରା ।।
ଗାଡି ଗଡ଼ି ଚାଲିଥାଏ ତା ନିୟମ ଭିତରେ
ନିର୍ଜୀବ ହେଲେବି, ଦୈନନ୍ଦିନ ପରିଚିତ ବାଟକୁ
ସେ ଭୁଲନ୍ତା କିପରି,ନିତି ପରିଚିତ ଅତି ଆପଣାର
ଯାହା ଉପରେ ତା ଓଜନ ଶରୀରକୁ ଟାଣି ଟାଣି
ଆଗକୁ ଆଗକୁ ନେଉଛି , ପହଞ୍ଚିବାକୁ ନିଜ ଲକ୍ଷ୍ୟ ସ୍ଥଳରେ
ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ,ସେ ଜାଣେ,ସେ ସମୟାନୁବର୍ତ୍ତୀ
ସେ ଜାଣେ,ସେ ଠିକ୍ ନ ଥିଲେ,ଦୁନିଆଟା ଭୁଲ୍ ହେଇଯିବ ।।
ଅଳ୍ପ ସମୟ ବସିବା ଅନ୍ତରେ କିଛି ହୋ ହାଲ୍ଲା ଶବ୍ଦ
ଉଠିପଡି ଦେଖିଲି, ବସିବା ପାଇଁ ତର୍କ ବିତର୍କ
" ୟେ ମେରା ସିଟ୍ , ୟେ ମେରା ସିଟ୍ " ର ଶବ୍ଦ
ମନରେ ବିରକ୍ତିର ଭାବ, ତଥାପି ସମ୍ଭାଳି ନେଲି
କିଛି ସମୟ ପରେ ସେଇଠୁ ଶୁଭିଲା " ଆପଣଙ୍କ ଘର କେଉଁଠି?"
ଦ୍ଵିତୀୟ ଘଟଣା କ୍ରମେ ବାର୍ତ୍ତାଳାପ ଏକ ପରିବାର ମଧ୍ୟରେ
"କ୍ଯା ଖାଓଙ୍ଗି,ସେ ଖାଓଙ୍ଗି "ଇତ୍ୟାଦିର ଶବ୍ଦ ବାଣ
ନିରବି ବସିଲି କିଛି କ୍ଷଣ,ସେଇଠି ଶୁଣିଲି ସେମାନଙ୍କ ଠାରୁ
ମୋବାଇଲ୍ ବାର୍ତ୍ତାଳାପ " ଜେଜେମା,ଖାଇଲଣି,ଆମେ ଭଲ ଅଛୁ।
ତୃତୀୟ ଘଟଣା କ୍ରମରେ ମୋ ନିଜର କାହାଣୀ
ହଠାତ୍ ଆସି ଜଣେ ଚଢା ଗଳାରେ ଦ୍ରୁତ ବେଗରେ କହିଲେ,
""ୟେ ମେରା ସିଟ୍ ,ଛୋଡ,ଟି ଟି ସାହେବ ବୋଲା ""
ମୋର ଉତ୍ତର ଥିଲା ତାଙ୍କୁ ସରଳ ଓଡିଆରେ
"ଦୟାକରି ଟିକେଟ ଦେଖନ୍ତୁ, କେଉଁ ବଗିର କେତେ ନମ୍ବର ସିଟ୍'
ତା ପରେ ରାଗ ତମ୍ ତମ୍ ଗଳାରେ ଟି ଟି ପାଖକୁ
ଚାଲିଗଲେ ଯେ,ଆଉ ଫେରିଲନି ।
ନୀରବରେ ଗୁମୁରି ଗୁମୁରି ଭାବୁଥିଲି
ଧନ୍ୟ ମୋ ଓଡ଼ିଶା ବାସୀ !
ତମେ ମାତୃଭୂମି ମାତୃ ଭାଷା କଥା ଗଳା ଫଟାଇ କୁହ
ଧନ୍ୟ ତୁମ ମାତୃଭାଷା ପ୍ରେମ,
ଜ୍ଞାନୀର ସଙ୍କେତ ଦିଅ, ଜ୍ଞାନର ବିକାଶ କର
ମାଆ କୋଳେ ମାଉସୀର ଭାଷା କହି ।।
ତାର୍ଲାକୋଟା, ମାଲକାନଗିରି




0 Comments