ପଳାଶ କୁସୁମ - ବାସନ୍ତୀ ଲତା ଜେନା





ପଳାଶ କୁସୁମ ରୂପରେ ସୁନ୍ଦର

      ଗୁଣ ତାର କିଛି ନାହିଁ

ନାଲି ଟହ ଟହ ସୁରଭି ବିହୀନ

       ନ୍ୟୁନ ତାରେ ଗଣା ଯାଇ   l୧l


ଶୀତର  ଶେଷରେ ବସନ୍ତ ଆଗମେ

      ଫୁଟି ଦିଶୁଥାଏ ତୋରା

ଦୂରରୁ ସୁନ୍ଦର    ମନ ମୁଗ୍ଧ କର

       ପାଶେ ବାସ ନାହିଁ ପରା   l୨l


ପତ୍ରହୀନ  ଡାଳେ ରଙ୍ଗ ଭରି ଦିଏ

         ପେନ୍ଥା ପେନ୍ଥା ପୁଷ୍ପ ହୋଇ

ଆଦର ନ ଥାଇ ତଳେ ଲୋଟି ଯାଏ

       ନାଲିଆ ଗାଲିଚା ହୋଇ     l୩l


ରୂପ ପାଇ ଅଛି ଧରାରେ ହସୁଛି

       ଅଭିଶପ୍ତ ପ୍ରାଣ ତାର

ତଥାପି ସୂଚନା ତା ମନରେ ନାହିଁ

      ହସ ଖୁସି ଝରଣାର      l୪l


ଦେବା ଦେବୀ ପାଖେ ପୂଜିତ ନ ହୁଏ

       ହୁଏ ବର୍ଷକରେ ଥରେ

ଶିବ ରାତ୍ରି ଦିନ ଶିବ ମସ୍ତକରେ

     ପଳାଶ ଅରଖ ଶୋହେ    l୫ l


ଏକ ଦିନ ପାଇଁ ସବୁରି  ଆଦରେ

       ସୁଭାଗ୍ୟଶାଳୀ ସେ ହୁଏ

ସାରା ଜୀବନରେ ଦୁଃଖ ଭୂଲି ଯାଇ

      ପ୍ରଭୁ ଧନ୍ୟବାଦ ଦିଏ        l୬l


ଯେତିକି ପାଇଛି ସେତିକିରେ ଖୁସି

       ଅଭିମାନ କରେ ନାହିଁ

ମନୁଷ୍ୟକୁ ଶିକ୍ଷା ସେତ ଦେଉ ଥାଏ

       ମନ ଊଣା କର ନାହିଁ      l୭l


ଯାହା ଭାଗ୍ୟେ ବିହୀ ଯାହାତ ଲେଖିଛି

     ସେଥିରେ ସନ୍ତୁଷ୍ଟ ହୁଅ

ଜୀବନ ମରଣ ବିଧାତା ଲିଖନ

      ତାକୁ ମନେ ରଖି ଥାଅ    l୮l


ହସି ହସାଇବା ଦୁଃଖ ଲିଭାଇବା

      ସ୍ନେହ ପ୍ରେମ ଖୁସି ଦେଇ

ଗଙ୍ଗଶିଉଳୀର ଆୟୁଷକୁ ନେଇ

      ସୁବାସ ଦେବା ବିଛାଇ     l୯l


ଗାନ୍ଧିନଗର, ନବରଙ୍ଗପୁର   

Post a Comment

0 Comments