ଦେବୀ ସରସ୍ଵତୀ - ନିବେଦିତା ମହାପାତ୍ର


କୋଇଲି ଗାଉଛି ସୁମଧୁର ସଙ୍ଗୀତ

ବସନ୍ତ ସଜେଇଛି ଫୁଲର ମଣ୍ଡପ

ଚାମର କରିବେ ବୋଲି ନବ ପଲ୍ଲବ

ମଳୟ ସହିତ କରୁଛନ୍ତି ଆଳାପ।


ବୁଦ୍ଧିଦାତ୍ରୀ ବ୍ରହ୍ମଚାରିଣୀ ମା' ଶାରଦା

ଧରଣୀ ବକ୍ଷରେ ହୋଇବେ ଆର୍ବିଭୂତା

ମାଘ ଶୁକ୍ଳପକ୍ଷର ପଞ୍ଚମୀ ତିଥିରେ

ହଂସ ବାହନେ ହୋଇ ଶୁଭ୍ର ବସ୍ତ୍ରାବୃତା।


ଆଶିଷ ବାରୀ ଢାଳି କୃପା ବରଷିବେ

ବ୍ରହ୍ମାଙ୍କ ନନ୍ଦିନୀ ସେ ବିଷ୍ଣୁ ପାଟରାଣୀ

ଜାଳିଣ ଅଜ୍ଞାନତା ପ୍ରକାଶିବେ ଜ୍ଞାନ

ଶ୍ବେତ ପଦ୍ମାସନୀ ମାଆ ବୀଣାପାଣି।


ସିଦ୍ଧିଦାତ୍ରୀ ମାତାଙ୍କ ତେଜୋମୟ ଜ୍ୟୋତି

ପ୍ରକାଶେ ମୁର୍ଖ କାଳିଦାସ ହେଲେ ଜ୍ଞାନୀ

ସିଦ୍ଧେଶ୍ଵର କଣ୍ଠେ ସେ ହୋଇ ବିରାଜିତ

ଲେଖି ମହାଭାରତ ହୋଇଗଲେ ମାନୀ।


ତୁମ ପଦ୍ମପାଦରେ କରୁଛୁ ମିନତୀ

ସବୁରି ଚିତ୍ତେ ଭରିଦିଅ ମା' ଭକତି

ଦୂର ହୋଇ ସଂସାରୁ ଅମା ଅନ୍ଧକାର

ଜଳି ଉଠୁ ହୃଦୟରେ ଶାନ୍ତିର ବତୀ।


ମୁକୁନ୍ଦ ମିଶ୍ର ନଗର, ପୁରୀ

Post a Comment

0 Comments