ପଖାଳ ଦିବସ - ସାନ୍ତନୁ ବିଶୋଇ


 
                                                               
ଶୁଖୁଆ ପୋଡାକୁ ବାଇଗଣ ପୋଡା
ବାସି ପଖାଳର ସାଥେ
ଦୁଖୀ ଖଟିଖିଆ ଲଲାଟ ଲିଖନ
ନିତ୍ୟ ଜୀବନର ପଥେ।।

ସଜ ପଖାଳରେ ଲେମ୍ବୁ କିମ୍ବା ଟଭା
ଚହ୍ଲା ପୁଣି କେବେ ଦହି
ମଧ୍ୟବିତ୍ତଙ୍କର ମନ ମୋହି ନିଏ
ଆନନ୍ଦେ ଯାଆନ୍ତି ଖାଇ।।

ସଜ ମଲ୍ଲିଫୁଲ ସୁବାସ ପଖାଳ
ଧନୀ ଖାଏ ଆଡମ୍ବରେ
ପ୍ରସଂଶା ସାଉଁଟା ଲୋକଦେଖାଣିଆ
ଆପ୍ଳୁତ ମନମଧ୍ୟରେ।।

ଘିଅ ପଖାଳରେ ଆମ୍ବକଷି ଅଦା
ଅଳ୍ପ ଜିରାଗୁଣ୍ଡ ଫେଣ୍ଟି
ବଡ଼ଦେଉଳରେ ବସି ଜଗା ଖାଏ
କରି ହାତ ଚାଟଚୁଟି।।

ତୁମ ପାଇଁ ଆଜି ମାର୍ଚ୍ଚ କୋଡିଏ
ଆମ୍ଭେ କରୁ ନିତ୍ୟ ଗ୍ରାସ
ପଖାଳ ମହିମା କିପରି ବର୍ଣ୍ଣିବା
ଆଜି ପଖାଳ ଦିବସ

ଦକ୍ଷିଣ ଭାରତ, ଛତିଶଗଡ଼ରେ
ପଖାଳ ମୁଣ୍ଡ ଟେକିଛି
ଆନ୍ଧ୍ରା ଓଡ଼ିଶା ଓ ପଶ୍ଚିମବଙ୍ଗରେ
ପଖାଳ ଚାହିଦା ଅଛି।।


ଦଣ୍ଡୋର, ନୟାଗଡ

Post a Comment

0 Comments