ମନ ମୋର କହେ ମୁକ୍ତ ପକ୍ଷୀ ମୁଁ ଯେ
ନୀଳା କାଶେ ଉଡି ଯିବି
ସଭିଙ୍କୁ ବାରତା ଶୁଣାଉ ଥିବି ମୁଁ
ଖୁସିରେ ଘର ଫେରିବି l୧l
ନାଚି ଗାଇ ଖାଲି ଆନନ୍ଦିତ ହେବି
ପ୍ରେମ ବାର୍ତ୍ତା କହୁ ଥିବି
ମୋ ଦେଶ ସଂସ୍କୃତି ମୋ ଦେଶର ଗାଥା
ଗାଇ ଗାଇ ବୁଲୁ ଥିବି l୨l
ଏତେ କଥା ସବୁ ଭାବିଲେ କି ଲାଭ
ଦୁହିତା ଜନମ ମୋର
ବାପା ମାଆ କୋଳେ ରହିଲି ଅଧୀନେ
ଲୁଚି ଗଲା ଇଛା ମୋର l୩l
ଘର ଅଗଣାରୁ ବାହାରକୁ ଗଲେ
ଅନୁମତି ଲୋଡ଼ା ହୁଏ
ନ କହି କି ଗଲେ ଗାଳି ବର୍ଷା ହୁଏ
ମନ ଦୁଃଖ ହୋଇ ଥାଏ l୪l
ବୟସ ହୋଇଲା ଶାଶୁ ଘର ଗଲି
ରହିଲି ତାଙ୍କ ଅଧୀନ
ସବୁ ଗୁରୁ ଜନ ଆଦେଶ ମାନିଲି
ସ୍ୱାଧୀନତା ହେଲା ସ୍ବପ୍ନ l୫l
ଇଛା ମୁତାବକ କାମ ହୁଏ ନାହିଁ
ବୟସ ତ ଗଲା ଗଡି
ପୁଅ ବହୂଙ୍କର ଅଧିନେ ରହିଲି
ସ୍ୱାଧୀନତା ଗଲା ଛିଡି l୬l
ଜନ୍ମରୁ ବାର୍ଦ୍ଧକ୍ୟ ଅଧୀନେ କାଟିଲା
ସଭିଙ୍କୁ ନିଜର କରି
ଶେଷ ମୁହୂର୍ତ୍ତରେ ଭଗଵାନ ସାହା
ରହି ଅଛି ଆଶ୍ରା କରି l୭l
ସ୍ୱାଧୀନତା ହୀନ ଅଧୀନ ଜୀଵନ
ବେଳେ ବେଳେ ଲାଗେ କଷ୍ଟ
ଆଖି ଲୁହ ଧlରେ ପଣତ ଭିଜଇ
ମନ ହୋଇ ଯାଏ ରୁଷ୍ଟ l୮l
ବାସନ୍ତୀ ଲତା ଜେନା, ଶିକ୍ଷୟିତ୍ରୀ,
ଗାନ୍ଧିନଗର, ନବରଙ୍ଗପୁର l




0 Comments