ଖୋଲା ବହି - ଭାରତୀ ରଥ





ମନ କଥା ଖୋଲି କହେ ନାହିଁ ବୋଲି 
      ବୁଝେନା କେ ମନ କଥା 
କାହା ମନରେ ମୁଁ ଚାହେଁ ନାହିଁ କେବେ 
       ଦେବା ପାଇଁ କିଛି ବ୍ୟଥା ।

ସବୁରି ଚିନ୍ତା ମୁଁ କରେ ଦିନ ରାତି 
       ମୋ କଥା ଭାବେନା କେହି 
ଜୀବନରେ କେବେ ଭଲପାଇବା ମୁଁ 
     କା'ଠାରୁ ପାଇଲି ନାହିଁ  ।

କେଜାଣି କେମିତି ଅଶୁଭ ବେଳାରେ 
    ଜନମ ହୋଇଛି ମୋର
ଜୀବନରେ ଖାଲି ପାଇ ମୁଁ ଚାଲିଛି 
    ଅବହେଳା  ଅନାଦର  ।

ହସିବାର ଯେତେ ବାହାନା କଲେ ବି
    ହସି ନାହିଁ ମନଖୋଲି 
ଜୀବନର ଯେତେ ସୁପ୍ତ ଯନ୍ତ୍ରଣାକୁ 
    ପାରେ ନାହିଁ କେବେ ଭୁଲି  ।

ଝରାଇବେନି କେ ମୁଁ ମଲା ପରେ 
    ଆଖି ତଳୁ ଟୋପେ ଲୁହ 
ଏ କଥା ଜାଣି ବି ସମସ୍ତଙ୍କ ପ୍ରତି 
   ଭରି ରହିଅଛି ମୋହ ।

ଭାଗ୍ୟ ସାଥେ ମିଶି ବଇରୀ ସାଜିଛି 
   ନିଦାରୁଣ  ଏଇ ବିହି 
ଜୀବନ କାହାଣୀ ଶୁଣାଇବି କା'ରେ 
 ମୋ ଜୀବନ ତ ଖୋଲା ବହି  ।


ଭାରତୀ ରଥ
 ରଗଡି, ବାଙ୍କୀ, କଟକ

Post a Comment

0 Comments