ମାନବିକତାର ସୂକ୍ଷ୍ମ ଅନୁଭବରେ
ଭାବନାର ସ୍ରୋତ
ଆଖିକୁ ଦିଶେ ,ମନରେ ବସେ
କଲମ ମୁନରୁ ଝରି ବହିଯାଏ
କାଗଜ ଦେହରେ
ତାପରେ ତୁମେ
କବିର କଭରକୁ ଦେହେ ଲଗେଇ
ନିଜକୁ କବି ବୋଲି କୁହ
ଆଉ କବିତା ହେଇଯାଏ ତୁମର ll
ତର୍କ, ନର୍କ ,ସ୍ୱର୍ଗ ,ସମର୍ପଣତାର
ବିଚାର ଠାରୁ
ଆଲୋଚନା ,ସମାଲୋଚନା ଠାରୁ
ଦୂରେଇ ଯାଇ
ବାରମ୍ବାର ତୁମେ ତୁମ କବିତା ପଢ଼
ନିଜ ବ୍ୟକ୍ତିତ୍ବର ମାପ କାଠିରେ
ପ୍ରଶଂସାର ଚାଦର ଘୋଡେଇ ହୁଅ
କାରଣ ,କବିତା ତୁମର ll
କିନ୍ତୁ କେବେ ଭାବିଛ କି ?
ତୁମ କବିତାର ଶବ୍ଦ ସବୁ କାହାର
କାହାର ପୁଣି ଅର୍ଥ ଓ ଆନ୍ତରିକତା
ଯଦି କିଏ ବେଦନାର
ଅନ୍ତଃର୍ଜ୍ୱାଳାରେ ଜଳି ମରେ
ତେବେ ତୁମ କବିତା ବାହାରେ
ତୁମ କବିତା ପୁଣି ବାହାରେ
ପ୍ରକୃତିର ବୈଚିତ୍ର୍ୟମୟ ସୃଷ୍ଟିରୁ
ଘଟଣା ,ଦୁର୍ଘଟଣା ,ପ୍ରେମ ,ପାପ
ଶୂନ୍ୟତା ଭିତରେ
ତୁମ କବିତାର ପରିଭାଷା
ତେବେ କୁହତ
କବିତା ତୁମର କେମିତି
କାହିଁକି ତୁମେ ମୂଲ୍ୟ ପ୍ରାପ୍ତିର ଅଭିଳାଷରେ ll
ନବ କୁମାର ଦାସ (ଶିକ୍ଷକ)
ସୁରଡ଼ିହା , ବାଲିଆପାଳ ,ବାଲେଶ୍ୱର




0 Comments