ଅବୁଝା ମନ - ବାସନ୍ତୀ ଲତା ଜେନା


ଅହଂ ମନୋଭାବ ଯାହା ଠାରେ ଥାଏ
         ଅବୁଝା ମନ ତାହାର 
ଅଳସୁଆ ଜିଦ ତା ପାଖେ ରୁହଇ 
        କର୍ତ୍ତବ୍ୟରେ ହରବର     l୧l

ରାହା ଧରି କାନ୍ଦେ ଛୋଟିଆ ଶିଶୁଟି 
         ଚାହୁଁ ଥିବା ଦ୍ରବ୍ୟ ପାଇଁ 
ଯେତେ ବୁଝାଇଲେ ତା ମନ ନ ବୁଝେ 
         ଅଯଥାରେ କାନ୍ଦୁଥାଇ     l୨l

ଅମନ ଯୋଗୀ ତ ପାଠେ ହୋଇଥିଲେ 
        ପାଠ ମନେ ନ ରୁହଇ   
ଗୁରୁଜୀ ତାହାକୁ ଯେତେ ବୁଝାଇଲେ 
        ସେତ ବୁଝି ନ ପାରଇ    l୩l

ମୁରୁଖ ଅଜ୍ଞାନ ଅବୁଝା ମଣିଷ 
          ସହଜରେ ବୁଝେ ନାହିଁ 
ତା ମୁଣ୍ଡରେ ଥରେ ଯାହା ପଶି ଯାଏ 
        ସେହି କଥା କହୁ ଥାଇ      l୪l

ଯୌଥ ପରିବାରେ ଅବୁଝା ହୋଇଲେ 
          ବୀତସ୍ପୃହ ସୃଷ୍ଟି ହୁଏ 
ଅଶାନ୍ତିର ଚକ୍ର ଲାଗି ରହି ଥାଏ 
        ସମ୍ପର୍କ ସ୍ୱଚ୍ଛତା ଯାଏ      l୫l

ପତି ପତ୍ନୀ ମଧ୍ୟେ ଅବୁଝା  କଳହ 
         ଦାମ୍ପତ୍ୟ ଜୀବନ ନଷ୍ଟ  
ରାଜାଙ୍କର ମନ ଅବୁଝା ହୋଇଲେ 
         ପ୍ରଜା ପାଇଥାନ୍ତି  କଷ୍ଟ      l୬l

ଅବୁଝା ରାଜାଙ୍କୁ ପାଳ ବିନ୍ଧା  ମନ୍ତ୍ରୀ 
        ଏକ ଆରେକ ନ ଊଣା 
ଯାହା ବୁଝି ଥାନ୍ତି ସେଇୟା କରନ୍ତି 
        ହୋଇ ଥାନ୍ତି ବାଟ ବଣା     l୭l

ଭସା ବଦଲଟା କିଶୋର ବୟସ 
       ପରିପକ୍ୱ ସେତ ନୁହେଁ       
କିଶୋର କିଶୋରୀ ପ୍ରେମ କରୁଥିଲେ  
         ଅଵୁଝାର ସ୍ଥାନ ନିଏ    l୮l

ଅଳସୁଆ  ଅଜ୍ଞାନୀ ନିଶାକ୍ତ ବ୍ୟକ୍ତି 
        ଅଵୁଝାର ଗନ୍ତାଘର    
ଧରମର ଜ୍ଞାନ ଯେତେ ବୁଝାଇଲେ 
        ମାନେ ନାହିଁ ମନ ତାର     l୯l

ନବରଙ୍ଗପୁର

Post a Comment

0 Comments