ତୁମ୍ଭେତ ରହିଛ ମୋ ଛାତି ଭିତରେ
ହୃଦୟ ସ୍ପନ୍ଦନ ହୋଇ,
ତୁମବିନା ମନ ଭଲଲାଗେ ନାହିଁ
ଦେହ ବିନା ଯେହ୍ନେ ଛାଇ ॥
ନୀରବିନା ସଫରୀରକି ଅବସ୍ଥା
ଜାଣ ତୁମ୍ଭେ ଭାବଗ୍ରାହୀ,
ଚକ୍ଷୁବିନା କଜ୍ଵଳର କି ମହତ୍ତ୍ୱ
ମୁହିଁ ତେସନେକ ହୋଇ ॥
ନବବିବାହିତ ପତିପତ୍ନିଙ୍କର
ବିଚ୍ଛେଦ ଦଶା ଯେମିତି,
ତୁମ୍ଭ ବିନା ନାଥ ମୋହରି ଅବସ୍ଥା
ଆଜି ହୁଅଇ ସେମିତି ॥
ଶାବକ ପକ୍ଷୀକୁ ମାତା ଛାଡ଼ିଯାଏ
ଆହାର ଅନ୍ୱେଷଣରେ,
ଶାବକ ଅବସ୍ଥା ସେ ସମୟେ ଯାହା
ଆଜି ମୁଁ ସେହି ସ୍ଥିତିରେ ॥
ବାଛୁରୀକୁ ଛାଡ଼ି ଗୋମାତା ଚଳଇ
ନିଜର ଆହାର ପାଇଁ,
ବାଛୁରୀ ଅନାଇ ରହେ ମାତା ପଥ
ସେପରି ରହିଛି ମୁହିଁ ॥
ଆହେ ଦୟାମୟ ସଦୟ ହୋଇଣ
କୃପାବାରି ଦିଅ ଢ଼ାଳି ,
ଅଧମ ମୁରୁଖେ କୋଳେଇ ନିଅହେ
କୃପାମୟ ବନମାଳୀ ॥
ଏତିକି ସୁଦୟା କରହେ ମଣିମା
ତୁମ୍ଭଠାରେ ଚିତ୍ତ ରହୁ,
ତୁମ୍ଭ ଯଶ ଗୁଣ ନାମାମୃତ ଗାଇ
ପ୍ରାଣବାୟୁ ଚାଲିଯାଉ ॥
ଅନ୍ତର୍ଯ୍ୟାମୀ ସାହୁ
ପଲମ, କେସିଙ୍ଗା, କଳାହାଣ୍ତି




0 Comments