ଚକ୍ରାନ୍ତର ଚକ୍ରବ୍ୟୁହରେ
ଛନ୍ଦି ହେଇଛି ଜୀବନ
ମୁକୁଳିବାର ପ୍ରଶ୍ନ ଉଠୁନି
ବୁଝିବାକୁ ହବ ଏଠି
ଶହଶହ ଅଭିମନ୍ୟୁ ନୀହତ ହେଲେଣି ।
ଘୋଷା ପଦ୍ଧତିରୁ ମୁକ୍ତ ହେଲାପରେ
ଆଉ କ'ଣ ଘୋଷି ପାରୁଛି
ଜିଇଁବାର ସେହି ଦୁର୍ବୋଧ୍ୟ ସୂତ୍ର..?
ଆଉ କ'ଣ ମନେପକେଇ ପାରୁଛି
ସେଇ ମୃତ୍ୟୁ ସଞ୍ଜିବନୀ ମନ୍ତ୍ର..?
ସଂଶୟ ଭିତରେ ମାପି ପାରୁନି
ନିଜର ପରିଧି
ଜାଣି ପାରୁନି କେଇଟା ବିନ୍ଦୁକୁ ଯୋଡ଼ି
ବହୁଭୂଜ ଆଙ୍କିବାର କୌଶଳ ।
ମାୟାମୃଗ ପରି ନିଘଞ୍ଚ ଅରଣ୍ୟେ
ଏକାକୀ ଧାଉଁଛି ଜୀବନ
ମରଣ ସୁଅରେ ଜୁଝି
ଜିଇଁବାର ବାଟ ଖୋଜୁଛି ଜୀବନ
କ୍ଷତାକ୍ତ ଡେଣାରୁ ଜନ୍ତ୍ରଣା ସବୁକୁ
ପୋଛି ପାରୁନି ଜୀବନ ।
ଭୋକର ମାଡ଼ରେ ସହିଯାଏ
ପେଟର ହୁତହୁତ୍ ଜ୍ୱାଳା
ସଫଳତାର ସିଡ଼ି ଚଢ଼ୁଚଢ଼ୁ
ପିଠି ତା'ର ଫାଟିଯାଏ
ଅସଫଳତାର ଚାବୁକ ମାଡ଼ରେ !
ଜୀବନ ସାଜିଛି ମରୁଭୂମିର
ନିଃସଙ୍ଗ ପଥିକ
ହରାଇ ବସିଛି ନିଜର ଠିକଣା
ଚାରି ଦିଗବଳୟରୁ ଘୋଟି ଆସିଲାଣି
କଳାହାଣ୍ଡିଆ ମେଘ
ଭାଙ୍ଗିଯାଇଛି ସାମ୍ନା କରିବାର ସାହସ
କାରଣ ସେ ଏବେ ନିରସ୍ତ୍ର, କ୍ଳାନ୍ତିତ ।
ଶାନ୍ତ ଗହିର, ସିର୍ଜାପାଲି,
କେସିଙ୍ଗା, କଳାହାଣ୍ଡି




0 Comments