ହର ହର ମହାଦେବ ହେ ଉମାପତି
ନୀଳକଣ୍ଠ ଗଙ୍ଗାଧର ନାଶ ଦୁର୍ଗତି ,
ତ୍ରିପୁରାରି ବିରୂପାକ୍ଷ ହେ ମୃତ୍ୟୁଞ୍ଜୟ
ତୁମେହିଁ ମହିମାମେରୁ ମଙ୍ଗଳମୟ ।
ଓଁ ନମଃ ଶିବାୟ, ଓଁ ନମଃ ଶିବାୟ । 1।
ବୃଷଧ୍ୱଜ ବ୍ୟୋମକେଶ ହେ ଜଟାଧାରୀ
ତ୍ରିଲୋଚନ କୃତ୍ତିବାସ ତ୍ରିଶୁଳଧାରୀ,
ଭଷ୍ମ ବିଲେପନ ତନୁ କି ଶୋଭାମୟ !
ତୁମେହିଁ ମହିମାମେରୁ ମଙ୍ଗଳମୟ ।
ଓଁ ନମଃ ଶିବାୟ, ଓଁ ନମଃ ଶିବାୟ ।2।
ସଂହାର ଦେବତା ରୁଦ୍ର ଡମ୍ବରୁ ଧର
ଭୁଜଙ୍ଗ ଭୂଷଣ ଆହେ ପିନାକଧର ,
ହେ ପ୍ରମଥାଧିପ ନାଶ ଏ ଭଵ ଭୟ
ତୁମେହିଁ ମହିମାମେରୁ ମଙ୍ଗଳମୟ ।
ଓଁ ନମଃ ଶିବାୟ,ଓଁ ନମଃ ଶିବାୟ ।3।
ମହାକାଳେଶ୍ବର ତୁମେ ହେ ପରାଶକ୍ତି
କଳିଯୁଗେ ପୂଜାପାଅ ହେ ଲିଙ୍ଗ ମୂର୍ତ୍ତି,
ଆଶୁତୋଷ ବର ତୁମ ଅଟେ ଅଭୟ
ତୁମେହିଁ ମହିମାମେରୁ ମଙ୍ଗଳମୟ ।
ଓଁ ନମଃ ଶିବାୟ,ଓଁ ନମଃ ଶିବାୟ ।4।
ମହାଶିବରାତ୍ରି ବ୍ରତ ଅଟଇ ଶ୍ରେଷ୍ଠ
ତୁମରି କୃପାରୁ ଦୂର ହୁଏ ସଙ୍କଟ ,
ତୁମେ ସତ୍ୟ ଶିବ ତୁମେ ସୁନ୍ଦରମୟ
ତୁମେହିଁ ମହିମାମେରୁ ମଙ୍ଗଳମୟ ।
ଓଁ ନମଃ ଶିବାୟ,ଓଁ ନମଃ ଶିବାୟ ।5।
ବସନ୍ତ କୁମାର ପ୍ରଧାନ
ହରିହରପୁର, ଛେଣ୍ଡିପଦା, ଅନୁଗୋଳ




0 Comments