ସନ୍ତର୍ପଣରେ ପକାଏ
ପାଦ ପରେ ପାଦ
କିଛି ସମ୍ଭାବନା ର ମାଟି
କିଛି ଆଶା ର କଅଁଳ ଘାସ
ଆଉ ସେଇ କଥା କେଇ ପଦ ।
ପାହାନ୍ତିଆ ଧୂସର ଆକାଶ
ଝାପ୍ସା ଦିଶେ ଆଗେ ଥିବା
କଙ୍କରିଳ, ଖାଲ ଢିପ
ବଳକା ରାସ୍ତାର ଅବଶେଷ
ଆଉ ମୋର ଅବଶିଷ୍ଟ ଆୟୁଷ ।
ମୁଁ ଓ ମୋର ସ୍ୱପ୍ନ ଅଭିମାନ
ନିଜ ସାଥେ ପ୍ରବଞ୍ଚନା ଖାଲି
ଜିତିବା ବା ହାରିବା ର ଭ୍ରମ
ନିଜ ଆତ୍ମସୁଖ ପାଇଁ
ମୁଁ ଯେ ଆତ୍ମା ରେ ମଗନ ।
ଚାଲିବାରେ ଥକିଯାଏ ପାଦ
ଖାଲି କେତୋଟି ଥୁଣ୍ଟା ପ୍ରଶ୍ଵାସ
କିଛି ମିଛ ଆଶ୍ୱାସନା
ଜିଇଁବାକୁ କରିଥିବା ପାପ
ଆଉ ସାଥେ ପୁଳେ ଅଭିଶାପ ।
ଆଜି ଏକୁଟିଆ ରାସ୍ତାରେ
ଅନ୍ଧାରିତ ଛଳନା ରେ
ଖୋଜିବାକୁ ଇଚ୍ଛା ତୁମ ଛାଇ
କଥା ତ ନ ଥିଲା ଆସିବ ବୋଲି
ହାତ ଧରି ମୋତେ ନେବା ପାଇଁ ।
ତଥାପି ଅପେକ୍ଷା ର ମନ୍ତ୍ର
ନିଃସ୍ୱ ହାତେ ଧରି
ନୀରବତା ର ସମ୍ଭାଷଣ ପରେ
କ୍ଷୀଣ ହସ ଟିଏ ଅଧରରୁ ଆସେ ମୋର ଝରି ।
ସୁମିତା ଚାରୁଦର୍ଶିନୀ
ବାରିପଦା



0 Comments