ଉତ୍କଳଗୌରବ ହେ ମଧୁସୂଦନ,
ଉତ୍କଳର ତୁମ୍ଭେ ସୁଯୋଗ୍ୟ ସନ୍ତାନ ।
ଅଠେଇଶ ଅଡ୍ ଚାଳିଶ ମସିହାରେ ,
ଏପ୍ରିଲ ମାସ ଅଠେଇଶ ତାରିଖରେ ।
କଟକ ଜିଲ୍ଲାର ସତ୍ୟଭାମାପୁରେ
ଜନମିଲ ଏକ ଶୁଭ ମୁହୂର୍ତ୍ତରେ ।
ରଘୁନାଥ ଦାସ ଥିଲେ ତୁମ୍ଭ ପିତା,
ପାର୍ବତୀଦେବୀଯେ ଥିଲେତୁମ୍ଭମାତା ।
ଗୋବିନ୍ଦ ବଲ୍ଲଭ ଥିଲା ବାଲ୍ୟନାମ ,
ସେକାଳେ ନ ଥିଲେ ଛାତ୍ର ତୁମ୍ଭସମ ।
କଟକ ରେଭେନ୍ସା କଲେଜିଏଟ୍ ସ୍କୁଲ ,
ଠାରେ ପ୍ରାଥମିକ ଶିକ୍ଷା ଆରମ୍ଭିଲ ।
ଅଠରଶ ଚଉଷଠି ମସିହାରେ ,
ପାଶ୍ କଲ ଏକାଦଶ ପରୀକ୍ଷାରେ ।
ଅଠରଶ ପଞ୍ଚଷଠି ମସିହାରେ ,
ବାଲେଶ୍ଵର ଜିଲ୍ଲା ବିଦ୍ୟାଳୟଠାରେ ।
ତୃତୀୟ ଶିକ୍ଷକ ରୂପେ କାର୍ଯ୍ୟ କଲ ,
ଏହାପରେ ଉଚ୍ଚ ଶିକ୍ଷା ପାଇଁ ଗଲ ।
ଅଠରଶ ଛଅଷଠି ମସିହାରେ ,
ପାଶ୍ କଲ ତୁମ୍ଭେ ଏମ୍ . ଏ ପରୀକ୍ଷାରେ ।
ଏମ୍ .ଏ ପାଶ୍ ପରେ ଆଇନ୍ ପଢ଼ିଲ ,
ରାଜ୍ୟର ପ୍ରଥମ ଓକିଲ ହୋଇଲ ।
ମଧୁ ବାରିଷ୍ଟର ନାମେ ହେଲ ଖ୍ୟାତ ,
ଲୋଡ଼ିଲେ ତୁମ୍ଭଙ୍କୁ ଲୋକ ଶତ ଶତ ।
ସନ୍ ଊଣେଇଶ ତିନି ମସିହାରେ ,
ମଗ୍ନ ହେଲ ତୁମ୍ଭେ ଉତ୍କଳ ଚିନ୍ତାରେ ।
ସେହେତୁ ଉତ୍କଳ ସମ୍ମିଳନୀ ଗଢ଼ି ,
ସମସ୍ତ ଭୋଗ ଓ ବିଳାସକୁ ଛାଡ଼ି ।
ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ,
କାର୍ଯ୍ୟେ ଦିବାନିଶି ହୋଇଲ ମଗନ ।
ଜାଗରଣ ଆଣି ଲୋକଙ୍କ ମନରେ ,
ଦାବି ଜଣାଇଲ ଇ°ରେଜଙ୍କ ଠାରେ ।
ଊଣେଇଶ ଏକୋଇଶ ମସିହାରେ ,
ଵିହାର ଓଡ଼ିଶା ମନ୍ତ୍ରୀ ଭାବରେ ।
ଓଡ଼ିଆରେ ଶପଥ ପାଠ କରିଲ ,
ଓଡ଼ିଆ ଭାଷାର ଗୌରବ ରଖିଲ ।
ସନ୍ ଊଣେଇଶ ପାଞ୍ଚ ମସିହାରେ ,
ଉତ୍କଳ ଟ୍ୟାନେରୀ କଲ କଟକରେ ।
ନିମ୍ନ ମାନର ଯୋତା ପୋଡ଼ିଦେଲ ,
ଓଡ଼ିଶା ରାଜ୍ୟର ମର୍ଯ୍ୟାଦା ରଖିଲ ।
ଊଣେଇଶ ଚଉତ୍ରିଶ ମସିହାରେ।,
ଫେବୃୟାରୀ ମାସ ଚାରି ତାରିଖରେ ।
ଇହଲୀଳା ତୁମ୍ଭେ ସମ୍ବରଣ କଲ ,
ଓଡ଼ିଶାବାସୀଙ୍କୁ ଶୋକେ ଭସାଇଲ ।
ଦୁଇବର୍ଷ ପରେ ତୁମ୍ଭରି କଳ୍ପିତ ,
ସ୍ଵତନ୍ତ୍ର ପ୍ରଦେଶ ହୋଇଲା ପ୍ରାପତ ।
ଆଜି ଅଟେ ତୁମ୍ଭ ପୂଣ୍ୟ ଜନ୍ମଦିନ ,
ପାଳୁଅଛୁ ଆମ୍ଭେ ସର୍ବେ ଅକିଞ୍ଚନ ।
ଦୟାବହି ଆଶିଷ କର ପ୍ରଦାନ ,
ଯୁଗେ ଯୁଗେ ହେଉ ତୁମ୍ଭ ଜୟଗାନ ।
କବିସୌରଭ କୈଳାଶଚନ୍ଦ୍ର ବେହେରା
ବାଲିଗୁଡ଼ା , କନ୍ଧମାଳ




0 Comments