ଅମାନିଆ କାଳିଆ - ଅଜୟ କୁମାର ମହାନ୍ତି


ଛୋଟ ପିଲାଟିଏ କାଳିଆ
ଜମା ମାନେନା କଥା
ଗୁରୁ ଗୁରୁଜନ ସବୁରି
ମନେ ଦିଏସେ ବ୍ୟଥା।
ଖରାଦିନ ଖରାବେଳରେ
ଆମ୍ବ ପାରିବ ବୋଲି
ଲୁଚିଛପି ଘର ଲୋକଙ୍କୁ
ଦିନେ ଗଲା ସେ ଚାଲି।
ଠୁଳ ହେଲେ ଗଛ ମୂଳରେ
ଆମ୍ବ ପାରିବା ପାଇଁ
ଲକ୍ଷ କରି ଢେଲା ଫିଙ୍ଗିଲେ
ଆମ୍ବ ଝଡ଼ିଲା ନାହିଁ।
କାଳିଆର ଯିଦି ବଢ଼ିଲା
ଢେଲା ଫିଙ୍ଗି ଚାଲିଲା
ସହସାକୁ ଢେଲା ଗୋଟିଏ
ଲେଉଟି ଯେ ଆସିଲା।
ଲେଉଟି ଆସିଣ ଢେଲାଟି
ତାର ମୁଣ୍ଡେ ବାଜିଲା
ମୁହଁ ମାଡ଼ି ତଳେ ପଡି଼ଲା
ମୁଣ୍ଡ ତାର ଫାଟିଲା।
ଧାର ଧାର ରକ୍ତ ଝରିଲା
ବୁଦ୍ଧି ଅଣ୍ଟିଲା ନାହିଁ
ଖବର ଦେବକୁ ପିଲାଏ
ବେଗେ ଗଲେ ତ ଧାଇଁ।
ଘର ଲୋକ ଧାଇଁ ଆସିଲେ
ତାର ଅବସ୍ଥା ଦେଖି
ଡାକ୍ତର ଖାନାକୁ ଗାଡ଼ିରେ
ତାକୁ ନେଲେ ଯେ ଟେକି।
ଫାଟିଯାଇଥିବା ସ୍ଥାନରେ
ମୁଣ୍ଡେ ଷ୍ଟିଚ୍ ପଡ଼ିଲା
ଛଟପଟ ହୋଇ କାଳିଆ
ବହୁ କଷ୍ଟ ପାଇଲା।
ଭଲ ହୋଇ ଯେବେ ଘରକୁ
ଲେଉଟି ସେ ଆସିଲା
ବୁଝାଇଲେ ବାପା ବାବୁରେ
ଦେଖ୍ କେମିତି ହେଲା।
କଥା ମାନିଲୁନି କାହାର
ଖାଲି ଚଗଲା ହେଲୁ
ଚଗଲାମି କରି ଦେହରେ
କେତେ କଷ୍ଟ ପାଇଲୁ।
ଚଗଲାମି ଫଳ ଭୋଗିଲା
ମନ ବଦଳିଗଲା
ମନ ଦେଇ ପାଠ ପଢିଲା
ସୁନା ପିଲା ହୋଇଲା।

ଅଜୟ କୁମାର ମହାନ୍ତି 
ହରିପୁର, କବୀର ପୁର, ଯାଜପୁର

Post a Comment

0 Comments