ହଁ ମୁଁ ଦ୍ରୌପଦୀ - ରଞ୍ଜନ କୁମାର ମହାନ୍ତି



ଆଭିଜାତ୍ୟର ଅନାହୂତ ମନ୍ତ୍ରେ 
ମୁଁ ଏକ ପୁରୋଧା ବୀହିନ ଯଜ୍ଞବେଦୀ 
ସ୍ୱାଭିମାନର ସୀମାରେଖା ତଳେ 
ମୁଁ ପୁଣି ସମ୍ପର୍କର ଶୁଷ୍କ ରକ୍ତନଦୀ 
ଅଗ୍ନିର ଅଞ୍ଜଳି ନେଇ 
କପାଳ କାନ୍ଥେ ଲେଖଇ 
ମୁକ୍ତିକାମୀ ମର୍ଯ୍ୟାଦାର ଭିନ୍ନ ଏକପଦୀ 
ହଁ ମୁଁ ଦ୍ରୌପଦୀ, କେବଳ ଦ୍ରୌପଦୀ

କୃଷ୍ଣାରୁ ମାଳିନୀର ପଥ ଦେଇ 
ଲଭିଛି ମୁଁ ନିତ୍ୟଯୌବନୀର ଉପାଧି 
ପଞ୍ଚମଣିର ଛତ୍ରଛାୟା ତଳେ 
ଲଂଘିଛି ଯାଜ୍ଞସେନୀ ପାଞ୍ଚାଳ ପରିଧି 
ଶପଥ ମୁଁ ଶତାବ୍ଦୀର 
ପ୍ରତିଜ୍ଞା ମୁଁ ପ୍ରଳୟର 
ହସ୍ତିନାର ଶ୍ମଶାନରେ ଗର୍ବର ସମାଧି
ହଁ ମୁଁ ଦ୍ରୌପଦୀ, କେବଳ ଦ୍ରୌପଦୀ 

ଅଗ୍ନିସୂତାର ଅବଗୁଣ୍ଠନରେ 
ନିର୍ମଳ ନାରୀତ୍ୱ ମୁଁ ନିୟତିକୁ ଛେଦି 
ଇତିହାସର ଇତିବାକ୍ୟ ଲେଖି 
ନର୍କର ନିର୍ମାଲ୍ୟ ମୁଁ ମୁକ୍ତକେଶ ବାନ୍ଧି 
ଯୁଗେ ଯୁଗେ ମହୀତଳେ 
ସତୀତ୍ୱର ଦାଵାନଳେ 
ନିଷ୍କଳଙ୍କ ଚରିତ୍ରମୁଁ ଚେତନାକୁ ଭେଦୀ 
ହଁ ମୁଁ ଦ୍ରୌପଦୀ, କେବଳ ଦ୍ରୌପଦୀ ।


ରଞ୍ଜନ କୁମାର ମହାନ୍ତି 
ବାଲେଶ୍ୱର 
ମୋ --8658574945

Post a Comment

0 Comments