ସମୟର ସ୍ମୃତି ହୃଦୟେ ସାଇତା
ନିବୁଜ କୋଠରୀଟିରେ
ଦୁଃଖ ସୁଖ ଭରା କେତେଯେ କାହାଣୀ
ସ୍ମୃତିର ଝଲକ ଝରେ l୧l
ଅତୀତ ବିତିଛି ଅତୀତ ଗର୍ଭରେ
କିଛି ସ୍ମୃତି ରହି ଯାଏ
ଅଭୁଲା ସ୍ମୃତି ସେ ଭୁଲି ହୁଏ ନାହିଁ
ପ୍ରାଣ ଦୋହଲାଇ ଦିଏ l୨l
ମିଠା ସ୍ମୃତି ଦିଏ ମଧୁର ମହକ
ଓଠେ ମିଠା ହସ ଝରେ
ମନ କୁଞ୍ଜବନେ ପ୍ରଜାପତି ଉଡେ
ମନ ପକ୍ଷୀ ଆକାଶରେ l୩l
ଦୁଃଖଦ ଘଟଣା କିଛି ଘଟିଥିଲେ
ହୃଦୟରୁ ରକ୍ତ ଝରେ
ସେ ଆଘାତ କେବେ ମଉଳି ନ ଯାଏ
ଦିନ ବିତେ ଯନ୍ତ୍ରଣାରେ l୪l
ଉତ୍ତମ ବାନ୍ଧବ ମିଳିଗଲେ କେବେ
ପ୍ରେମ ମଲମ ଲଗାଏ
ନିଃସ୍ୱାର୍ଥର ସେବା ଆପଣାର କଥା
ସ୍ମୃତି ଚି଼ହ୍ନ ହୋଇ ଯାଏ l୫l
ଜୀବନ କାଳରେ ଅନେକ ସ୍ମୃତି ତ
ଚି଼ହ୍ନ ହୋଇ ରହି ଥାଏ
କେତେ ଆଶା ସ୍ବପ୍ନ ସଫଳ ହୁଅଇ
କେତେ ଅଧା ରହି ଯାଏ l୬l
ବାସନ୍ତୀ ଲତା ଜେନା
ଶିକ୍ଷୟିତ୍ରୀ, ଗାନ୍ଧିନଗର, ନବରଙ୍ଗପୁର




0 Comments