ପତିତପାବନ ନୀଳଚକ୍ରେ ରହି
ସଦା ଉଡ଼ୁ ଥାଉ ପ୍ରଭୁ
ପ୍ରକୃତି କରାଳ ରୂପ ବଦଳାଇ
ଅଦୃଶ୍ୟ ହୋଇବ ସେ'ଠୁ ।
ପତିତପାବନ ପତିତ ଜନ କୁ
ଅଛି ଉଦ୍ଧାରିବା ପାଇଁ
ପତିତ ନ ଥିଲେ ଅଦରକାରୀ ସେ
ନାମ କିଏ ଧରେ ନାହିଁ ।
ତା' ନାମ ଧରିଲେ ମୁକ୍ତି ହୁଏ ଜନ
ହୃଦୟେ ରଖେ ତା' ନାମ
ପ୍ରତି ମୁହୂର୍ତ୍ତ ରେ ନାମ ଡାକୁ ଥାଏ
ସାର୍ଥକ ପାଇଁ ଜୀବନ ।
ଦର୍ଶନେ ଲାଗଇ ଦୁର୍ଲଭ ସମ୍ପଦ
ଆତ୍ମା କୁ ଲାଗଇ ତୃପ୍ତି
ହସ୍ତ ପ୍ରସାରିତେ ଆଶିଷ ଦେଉଛ
ଭକ୍ତ ହୃଦେ ଦେଖି ଭକ୍ତି ।
ଯେବେ ଦର୍ଶନ ରେ ମିଳଇ ସୁଯୋଗ
ମନେ ଆଙ୍କି ଦିଏ ଛବି
ସ୍ମୃତି ଛବି ତୁମ ସାଉଁଟୁଛି ସଦା
ରୂପ ତୁମ ଭାବି ଭାବି ।
ଭକ୍ତ ଯେବେ ବାନ୍ଧେ ପତିତପାବନ
ନୀଳଚକ୍ର ପାଖେ ରହି
ଭାବ ବନ୍ଧନରେ ମନ ମୁ6ଗ୍ଧ ଫେରେ
ଜଞ୍ଜାଳ କୁ ଯାଏ ସହି ।
ଅତୀତ ଦର୍ଶନ ଭାବ ରେ ଥିଲା କି
ଅଭାବ ହୋଇଲା ଆଜି
ଦର୍ଶନ ପାଇଁ ମୋ ନିତି ଖୋଜେ ମନ
ତୁମ ନାମ ଭଜି ଭଜି ।
ସୁଜାତା ରାଣୀ ଶତପଥୀ
ଶିକ୍ଷୟିତ୍ରୀ
ଦିଗପହଣ୍ଡି, ଗଞ୍ଜାମ




0 Comments