ପ୍ରତି ବର୍ଷ ଆସେ ମେ ଏକ ତାରିଖ
ଶ୍ରମିକ ଦିବସ ଜାଣ
ଶ୍ରମିକଙ୍କ ପାଇଁ ଶ୍ରମ ସିନା ବଡ଼
ଖୁସିରେ ନ କଟେ ଦିନ l୧l
ଶ୍ରମ ମୋର ପୂଜା ଶ୍ରମ ମୋର କର୍ମ
ଶ୍ରମ ପରା ଧର୍ମ ମୋର
ପରିଶ୍ରମ କରି ରୋଜଗାର କଲେ
ଚଳେ ମୋ ଘର ସଂସାର l୨l
ଆମରି ହାତରେ ଜମି ଚାଷ ହୁଏ
ଯୋଗାଉ ଦେଶେ ଆହାର
ଖରା ବର୍ଷା ଶୀତ ସବୁକୁ ସମ୍ଭାଳୁ
ନ ହେଉ ଶ୍ରମ କାତର l୩l
ଆମରି ହାତରେ କୋଠା ବାଡ଼ି ପୋଲ
କାରଖାନା ଚାଲୁ ଥାଏ
ମୁଣ୍ଡର ଝାଳକୁ ତୁଣ୍ଡରେ ମାରିଣ
ଦେଶର ପ୍ରଗତି ଚାହେଁ l୪l
ଅନ୍ୟ ଘରେ ଯାଇ କାମ କରି ଥାଏ
ବଗିଚା ସଫା କରଇ
ମାଲିକର କଥା ମାନି କାମ କରେ
ଆଳସ୍ୟ କେବେ ନୁହଇଁ l୫l
ଶାଗ ପଖାଳରେ ଦିନ ସରେ ମୋର
ସେଥିରେ ଶାନ୍ତି ମୋହର
ଅଭାବୀ ମଣିଷ ଗରିବୀରେ କଟେ
ତୁଟା ଫୁଟା ଛାତ ମୋର l୬l
ଝାଟି ମାଟି ଘର ନଡା ଛପରରେ
ପିଲା ଛୁଆ ସାଥେ ଥାଏ
ଅନ୍ୟକୁ ଦେଖିଣ ଇର୍ଷା କରେ ନାହିଁ
କର୍ମକୁ ଆଦରି ରହେ l୭l
ଶ୍ରମିକ ଦିବସ ଆଜି ପରା ଭାଇ
ଅଭିନନ୍ଦନର ସୁଅ
ସାରା ଦେଶ ବାସୀ ଶୁଭେଚ୍ଛା ଦିଅନ୍ତି
ସଭିଙ୍କର ମୁଁ ତ ପ୍ରିୟ l୮l
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର




0 Comments