ନିଜ ଇଲାକାରେ ନିଜେ ନିର୍ବାସିତ ଆଜି
ଦିଗହରା ପକ୍ଷୀ ପରି ଖୋଜିବୁଲେ
ନିଜର ଠିକଣା
ହେଲେ କିଏ ଦେବ ତାକୁ ଠିକଣା ?
ଏଠି ତ ସମସ୍ତେ ନିର୍ବାସିତ
ନିଜ ନିଜ ଜୀବନଚର୍ଯ୍ୟାରୁ ।
ଅନ୍ଧାରେ ବାଡ଼ି ବୁଲେଇ ଖୋଜେ
ନିଧିମଉସାର ପ୍ରଶସ୍ତ ବାଡ଼ିକୁ
ଆଉ ସାବି ଖୁଡୀର ପଖାଳକଂସାକୁ
ହେଲେ କାହିଁ?
କେଉଁଠି ତ ପାଉନି
ଆଖିର ପରିଧି ଭିତରେ ଦିଶେ ଖାଲି
ମାଳ ମାଳ ସୁଉଚ୍ଚ ପ୍ରାସାଦ ।
ମନେ ମନେ ଖୋଜେ ଅତୀତରେ
ଆଘ୍ରାଣ କରିଥିବା ସେ ଭିଜା ମାଟିର ବାସ୍ନାକୁ
ବାରମ୍ବାର କର୍ଷଣ କଲା ପରେ ଏବେ
ଯେଉଁଥିରୁ ମିଳେ ଖାଲି ଧର୍ଷିତା ନାରୀ ର ଲହୁଭିଜା ଭୁରୁଭୁରୁ ବାସ୍ନା ।
ଭାଗବତ ଟୁଙ୍ଗି ପାଖ ବରଗଛ ଓହଳରେ
ଖୋଜିବୁଲେ ନିଜ ପିଲାଦିନକୁ
ହେଲେ ଜରାଶ୍ରମରେ ଥିବା ଲକ୍ଷୀନାନୀର
କୋଟରଗତ ଆଖିଠାରୁ ଆହୁରି ବିବର୍ଣ୍ଣ ତା'ର
ଶୀର୍ଣ୍ଣ ଚେହେରା
ଅପେକ୍ଷା କରି ବସିଛି
ଟୋପେ ସୁଶୀତଳ ବାରିଧାରାକୁ ।
ଏଠି ସମସ୍ତେ ନିର୍ବାସିତ
କିଏ ବା ଶୁଣିବ କାହାର ବିଳାପ?
ମଶାଣିର ଜୁଇ ପରି
ଜଳି ଜଳି ହେବ ନିର୍ବାପିତ ।
ଭାରତୀ ରଥ
ରଗଡି, ବାଙ୍କୀ, କଟକ




0 Comments