ଦିନ ଥିଲା ଦିନେ ଭାଇ ପାଇଁ ଏଠି
ଦେଉଥିଲା ସେ ଜୀବନ
ଜଟା କୋଉପିନି ଆଦରି ନେଇ ସେ
ତ୍ୟାଗ କଲା ସିଂହାସନ
ଭାଇ ସାଥେ ଭାଇ ସବୁ ଛାଡ଼ିଦେଇ
ଘୋର ଅରଣ୍ୟକୁ ଚଳିଲା
ପତ୍ନୀ ସ୍ନେହ ସୁଖ ବରଜୀ ଦେଇ ସେ
ଭାଇ ସେବାରେ ଯେ ମଜ୍ଜିଲା
ଶାସ୍ତ୍ରେ ଲେଖା ଅଛି ଭାଇ ବଳ ଦିଏ
ନଈ ଦେଇଥାଏ ଥଳ
କ୍ଷୀର ଖାଇବାକୁ ଗାଈ ପାଳିଥିବ
ଯୁଦ୍ଧ ପାଇଁ ଭାଇ ବଳ
ନେବିନି ନେବିନି ଭାଇ କହୁଥିଲା
ଯାହା ଯାଚିଲେ ବି ଭାଇ
ଭାଇ ମୋର ବନ୍ଧୁ ଭାଇ ମୋର ସଖା
ଭାଇ ବିନୁ ଗତି ନାହିଁ
ଏବେ ସେହି ଭାଇ କାହିଁ ଦିଶୁ ନାହିଁ
ନାହିଁ ସେଇ ସ୍ନେହ ପ୍ରିତୀ
ଭାଇ ଠାରୁ ଏବେ ବେଶି ମୂଲ୍ୟବାନ
ଭାଇର ଯେତେ ସମ୍ପତ୍ତି
ନାହିଁ ସ୍ନେହ ଆଉ ନାହିଁ ତ ଆଦର
ଭାଇ ହୁଏ ଅବିଶ୍ୱାସୀ
ଭାଇର ଆଦେଶ ମୂଲ୍ୟହୀନ ହୋଇ
ପ୍ରାଣ ଦିଏ କେବେ ନାଶି
ଗୋଟିଏ ଥାଳିରେ ଖାଉ ନାହିଁ ଆଉ
ଭାଇ ସାଥେ ମିଶି ଭାଇ
ଜଣେ ବସିଥିଲେ ଆଉ ଜଣେ ତାକୁ
ଯାଉଛି ଦେଇ ଆଡେଇ
କହିଲେ କୁହନ୍ତି ପୁରୁଣା କାଳିଆ
ଢାଞ୍ଚା ସବୁ ଥିଲା ସିଏ
କାହାଣୀ ସେ ସବୁ ସତ ନୁହେଁ କେବେ
ପାଗଳ ଲେଖିଲା ଯିଏ
ନୂଆ ଯୁଗ ଇଏ ନୂଆ ଲୋକ ଆମେ
ଗଢ଼ିବୁ ନୂଆ ସଂସ୍କୃତି
ଭାଇ କି କାର୍ଯ୍ୟରେ ଲାଗିବ କୁହତ
ପାଖେ ରହିଲେ ସମ୍ପତ୍ତି
ଅନାରେ ଅନାରେ ବିକୃତ ମଣିଷ
ବଡ଼ ଦେଉଳ କୁ ଥରେ
ଭାଇ ସାଥେ ଭାଇ ରହିଛି କେମିତି
ବସିଛି ସିଂହାସନରେ
ସଂସ୍କୃତି ତାହାର କେତେ ଯେ ମହାନ
ଆଦର୍ଶ ର ଗାଥା ଗାଏ
ତୁମ ମାନଙ୍କର ବିକୃତ ସଭ୍ୟତା
ତା ପାଖେ ଲାଜେଇ ଯାଏ
ସାରା ଦେଶ ଆଜି ସଲାମ କରୁଛି
ଜଗନ୍ନାଥ ସଂସ୍କୃତିକୁ
ତୁ,କିଆଁ ବୁଲୁଛୁ ମୃଗ ପରାୟକ
ପାଖେ ରଖି କସ୍ତୁରୀକୁ
ମନେ ରଖିଥା ରେ ପଥ ହୁଡ଼ା ଜୀବ
ଭାଇ ପରି ଶବ୍ଦ ନାହିଁ
ବିପଦ ବେଳରେ ଯେତେ ଦୂରେ ଥାଉ
ଶୁଣିଲେ ଆସିବ ଧାଇଁ
ଭାଇକୁ ଦେବୁରେ ସ୍ନେହ ମମତା ତୁ
ନକରି ବାଛ ବିଚାର
ଦୋଷ ଦେଖି ତାର କ୍ଷମା କଲେ ତାକୁ
(ସେ) ପୂଜିବ ଚରଣ ତୋର
ଅବିଶ୍ୱାସ କେବେ ନକରିବୁ ତାକୁ
ସେ ପରା ରକତ ତୋର
ଜାଣିଥା ଏତିକି ବିପଦ ବେଳରେ
ସାହା ସେ ସୁଖ ଦୁଃଖର.
ବୈଦ୍ୟନାଥ ପଣ୍ଡା
ଅବଦଲ ପୁର. ଯାଜପୁର
ଦୂରଭାଷ=9439854199




0 Comments