ସୌର ମଣ୍ଡଳରେ ତୃତୀୟ ଗ୍ରହଟି
ପୃଥିବୀ ନାମ ଯାହାର
ବାୟୁ ଜଳ ତାପ ସାଇତି ରଖିଛି
ଜୀବନ ହୁଏ ସୁନ୍ଦର l୧l
ତିନି ଭାଗ ଜଳ ଭୂପୃଷ୍ଠରେ ତାର
ଲବଣlକ୍ତ ହୋଇ ଅଛି
ଏକ ଭାଗ ସ୍ଥଳ ପ୍ରାଣୀ ଓ ଉଦ୍ଭିଦ
ଧରାରେ ଶୋଭା ପାଉଛି l୨l
ଆବର୍ତ୍ତନ ଗତି ପୃଥିବୀ କରଇ
ଦିନ ରାତି ହୋଇ ଥାଏ
ପରିକ୍ରମଣ କଲେ ସୂର୍ଯ୍ୟ ଚାରିପଟେ
ଋତୁ ବଦଳୀ ତ ଯାଏ l୩l
ସବୁତ ସୁନ୍ଦର ପୃଥିବୀ ମାତାର
ଛାଇ ବନଉପବନ
ଦ୍ବୀପ ମହାଦେଶ ତା କୋଳେ ମଣ୍ଡିତ
ଝରଣାର କୁଳୁତାନ l୪l
ଶ୍ୟାମଳ ସୁନ୍ଦର ସବୁଜିମା ଆଭା
ତା ଦେହରେ ବିରାଜିତ
ନରପଶୁ ପକ୍ଷୀ କୀଟ ତରୁ ଲତା
ସମସ୍ତେ ହୁଅନ୍ତି ପ୍ରୀତ l୫l
ଯାହା ପାଇଁ ଯାହା ଦରକାର ହୁଏ
ସବୁ ସାଇତି ରଖିଛି
ଆଧାର ପାନୀୟ ଯୋଗାଇ ଦେଉଛି
ସନ୍ତାନ ଖାଇ ହସୁଛି l୬l
ମାତୃ ଗର୍ଭ ଛାଡି ବସୁଧାରେ ପାଦ
ଯେବେ ମୁଁ ପକାଇ ଥିଲି
ଶ୍ରଦ୍ଧାରେ ପୃଥିବୀ ଆଦରି ନେଲା ସେ
ତା କୋଳେ ଦୋଳି ଖେଳିଲି l୭l
କେତେ ଅରଦଳୀ ସହିଛି ଜନନୀ
ଦିନେ ଗାଳି ଦେଇ ନାହିଁ
ସର୍ବଂସହା ସିଏ ଜନନୀ ପୃଥିବୀ
ସେବିବି ଚରଣ ଛୁଇଁ l୮l
ଜହ୍ନ ଉପଗ୍ରହ ପୃଥିବୀର ପରା
ଦିଏ ଶୀତଳ ଜ୍ୟୋଛନା
ଜହ୍ନ ଆଲୁଅରେ ଘଡିଏ ବସିଲେ
ଲିଭି ଯାଏ ତ ଯାତନା l୯l
ବନ କାନନରେ ଫୁଲ ଫଳ ଭରା
ଶୋଭା ପାଏ ଏଭେରେଷ୍ଟ
ହିମାଳୟ ଗିରି ଜନନୀ ମୁକୁଟ
ମହୋଦଧି ହରେ ରିଷ୍ଟ l୧୦l
ମନ୍ଦ ମନ୍ଦ ହୋଇ ସମୀର ବହଇ
ସ୍ପର୍ଶ କରେ ପ୍ରତି ପ୍ରାଣ
ପ୍ରଭାତ ବନ୍ଦନା ବିହଙ୍ଗ କରନ୍ତି
ମନ୍ଦିରେ ଦେବ ପୂଜନ l୧୧l
ପଲ୍ଲୀ ପ୍ରକୃତିର ମନୋରମ ଦୃଶ୍ୟ
ଆତ୍ମା କରେ ପୁଲକିତ
ଛିଟ ଶାଢ଼ୀ ପିନ୍ଧେ ମୋ ମାଆ ପୃଥିବୀ
ସ୍ନେହ ଭରା ତା ପଣତ l୧୨l
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର




0 Comments