ତୁମେ କ'ଣ ଶୁଣିନ
ନାରୀର ତ୍ୟାଗ
ଅସୀମ ବଳିଦାନ
କେବେ ଶୁଣିଛ କି?
ସତୀ ଅନସୂୟାଙ୍କ କଥା
ଅକର୍ମା କୁଷ୍ଠରୋଗୀସ୍ବାମୀଙ୍କ
କୁବାସନାର ଚରିତାର୍ଥ ପାଇଁ
ଲକ୍ଷେହୀରା ବେଶ୍ୟାର
ଝାଡୁ କରୁଥିଲେ ନିତି ଅଗଣା
ମନର କୋହକୁ
ବୁକୁତଳେ ଚାପି
ସ୍ବାମୀଙ୍କ ପାଇଁ ମାଗିଥିଲେ
ଗୋଟିଏ ରାତି।
ଲକ୍ଷେହୀରା ବେଶ୍ୟା ଅଭିଭୂତ
ପତ୍ନୀ ପୁଣି ମାଗିପାରେ ପତି ପାଇଁ
ବେଶ୍ୟାର ସାଥ
ତୁମପରି ସର୍ବଗୁଣସମ୍ପୂର୍ଣ୍ଣା ପତ୍ନୀ ଥାଉ ଥାଉ
ବେଶ୍ୟାର ସଙ୍ଗ ପୁଣି ଲୋଡେ
କିଏ ସେ ଚଣ୍ଡାଳ?
ଓଃ!ତୁମେ ତାହେଲେ ସେଇ ପୁରୁଷ
ଜୀର୍ଣ୍ଣ ଶୀର୍ଣ୍ଣ ବିବର୍ଣ୍ଣା କୁଷ୍ଠ ରୋଗୀ
ଅନୁପମ ସୁନ୍ଦରୀ ପତ୍ନୀ ଥାଉ ଥାଉ
ଚାହଁ ତୁମେ ବେଶ୍ୟାର ସଙ୍ଗ?
ଠିଆ ହେବାକୁ ନାହିଁ ବଳ
ଟଳମଳ ପାଦ
ସେ କୋଢିଆ ଶରୀରରେ
ପୁଣି କାମନାର ରଙ୍ଗ?
ଛିଃ ଛିଃ ଛିଃ
ଧିକ୍ ତୁମ ପୁରୁଷ ଶରୀରକୁ
ସତୀ ଅନସୂୟା ଙ୍କ ଅନାବିଳ ପ୍ରେମ
ନିଃସ୍ବାର୍ଥପର ସେବା ଯତ୍ନ
କୁଷ୍ଠ ରୋଗୀ ହେଲେ ମଧ୍ୟ
ତୁମପ୍ରତି ନାହିଁ ଘୃଣା ଭାବ
ହେ ପୁରୁଷ !
କେମିତି ପାରିଲ ଦେଇ
ସତୀତ୍ବକୁ ଚରମ ଆଘାତ ?
ସତୀନାରୀ ହୃଦୟକୁ
କରିପାରିଲ ବିଦୀର୍ଣ୍ଣ?
ତୁମେ କ'ଣ ପାରିବ ସହି
ତୁମ ପତ୍ନୀର ଅନ୍ୟ ପୁରୁଷର ସଙ୍ଗ?
ସିଏ ହେବ ସତୀ
କିନ୍ତୁ ତୁମେ ନୁହେଁ ସତ୍ୟବାନ୍
ଯାହା ପାଖରେ ହାରିଥିଲା ସମୟ
ଋଷି ଅଭିଶାପ ହୋଇଥିଲା ନିଷ୍ଫଳ
ଯିଏ କହିଥିଲେ
ନ ପାହୁ ରାତି ନ ମରୁ ପତି
ଏକ ରାତି ହେଉ ସପତରାତି
ଧନ୍ୟ ତୁମେ ନାରୀ
ଧନ୍ୟ ତୁମ ନିଷ୍ଠା ଆଉ ଧୈର୍ଯ୍ୟ
ଭାବିଲେ ଆଶ୍ଚର୍ଯ୍ୟ ଲାଗେ
ତୁମପରି ନାରୀର ତ୍ୟାଗକୁ
ବୁଝିପାରି ନଥିଲା
ଜଣେ ଅକର୍ମା ପୁରୁଷ?
ସବିତା ନାୟକ
ମାଧବାନନ୍ଦ ଜିଉ ସରକାରୀ ଉଚ୍ଚ ବିଦ୍ୟାଳୟ
ମାଧବ,ନିଆଳି,କଟକ
ପିନ୍-754004




0 Comments