ଝରକା - ଭରତୀ ରଥ



ମୁଁ ଝରକା.....
କେବେ ଉନ୍ମୁକ୍ତ ତ କେବେ ଆବଦ୍ଧ
କେବେ କବିଟିଏ ହଜିଯାଏ କଳ୍ପନା ରାଜ୍ୟରେ
ମୋ ସୌନ୍ଦର୍ଯ୍ୟକୁ ଦେଖି
କେବେ ପୁଣି ଉପହାସର ସରବ୍ୟ ହୁଏ
ଗରିବ ଝୁମ୍ପୁଡିରେ ମୋ ରୁଗ୍ଣ ଚେହେରା ।
ମୁଁ କିନ୍ତୁ ନିଶ୍ଚଳ, ନିର୍ବାକ ଭାବେ ପଡିରହିଥାଏ
କେବଳ ଆଖିଖୋଲି ଦେଖିଚାଲେ
ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ
ମାନବିକତା ଓ ପାଶବିକତାକୁ
ସକାଳ ପାହିଲେ ଜୀବନ ସଂଗ୍ରାମରେ ଲିପ୍ତ
ସେ କଅଁଳ ଝିଅଟିର ଜରିଗୋଟା କୁନି ହାତକୁ
ଯତ୍ନ ଅଭାବରୁ ଝୁଲିପଡିଥିବା ତା'ନୁଖୁରା ମୁଣ୍ଡର ଅଲରା କେଶକୁ
ଆଉ ଅଲରା କେଶକୁ ସଜାଡ଼ିବା ଆଳରେ
 ହିଂସ୍ର ମାନବର ଲୋଲୁପ ଦୃଷ୍ଟିକୁ ।
ପରିତ୍ୟକ୍ତ ଘର ଭିତରୁ ଶୁଣିଛି
ନିମିଷକେ ଥମିଯାଇଥିବା ତା'ର ଆର୍ତ୍ତ ଚିତ୍କାର ।

ସବୁ ଦେଖି ପଡିରହେ ମୂକସାକ୍ଷୀ ପରି
କେହି କେବେ ଶୁଣିବାକୁ ଚେଷ୍ଟା କରିନି
ବିଳପି ଉଠୁଥିବା ମୋ ଅନ୍ତଃ ସ୍ୱରକୁ।

ମୁଁ ଝରକା.....
ଦେଖିଛି ମାନବ ଜୀବନର ଶେଷ ଦୃଶ୍ୟକୁ
ଲୀଳାଖେଳା ଶେଷ ପରେ କୋକେଇର ଶ୍ମଶାନଯାତ୍ରାକୁ
ଜନ୍ମରୁ ମୃତ୍ୟୁ ଯାଏଁ
ପାପରୁ ପୁଣ୍ୟ ଯାଏଁ
ପଢ଼ିଛି  ପ୍ରତି ମୁହୂର୍ତ୍ତର  ପୃଷ୍ଠା ସବୁକୁ ।


ଭରତୀ ରଥ
ରଗଡି, ବାଙ୍କୀ, କଟକ

Post a Comment

0 Comments