ଗାୟତ୍ରୀ ଙ୍କ ସାବିତ୍ରୀ - ପ୍ରଶାନ୍ତ କୁମାର ହୋତା


କାନ୍ଦୁଥିଲା ଗାୟତ୍ରୀ କେତେବେଳୁ । ସୁବାସ ଅନେକ ଥର କାନ୍ଦିବାର କାରଣ ପଚାରି ସାରିଲେଣି। ଗାୟତ୍ରୀ କିନ୍ତୁ କିଛି ନାହିଁ କହି ପ୍ରଶ୍ନକୁ ଆଡେଇ ଦେବା ପାଇଁ ଚେଷ୍ଟା କରୁଥାନ୍ତି। 

ସୁବାସଙ୍କର ବି ବାରମ୍ବାର ପଚାରି ସାରିବା ପରେ ପଚାରିବାର ଇଛା ତାଙ୍କର ଧିମେଇ ଗଲାଣି। ତଥାପି ଜଣେ ବିନା କାରଣରେ କଣ ପାଇଁ କାନ୍ଦିବ ବୋଲି ସେ ଚିନ୍ତା ରେ ଥାଆନ୍ତି । ସେ ତ କିଛି କହି ନାହାନ୍ତି ଜାଣିବେ କେମିତି?  ଘରୁ କେହି କିଛି ଫୋନ ରେ କହିଥିବେ ଭାବି ମୋବାଇଲ ଚେକ୍ କରିବାକୁ ଲାଗିଲେ। ମେସେଜ ଆଦି ସବୁ ତନ୍ନ ତନ୍ନ କରି ଦେଖିଲେ। କୋଉଠି କିଛି ଚିହ୍ନ ବର୍ଣ୍ଣ ପାଇଲେ ନାହିଁ। 

ଏଥରକ ସୁବାସ ଗାୟତ୍ରୀ ଙ୍କ ପାଖରେ ବସି ପଡିଲେ ଓ କହିଲେ ତମକୁ ବାରମ୍ବାର ପଚାରି ମୁଁ ବିରକ୍ତ କରିବାକୁ ଚାହୁଁନି। କିନ୍ତୁ ତମକୁ ଏମିତି କାନ୍ଦିବା ଅବସ୍ଥା ରେ ଛାଡି ଅଫିସ ଯିବା ପାଇଁ ବି ମନ ହେଉନି। ଆଜି ଛୁଟି ବି ନେଇ ହେବନି। କଣ କରିବି କୁହ। ମୁଁ ଜାଣିବାରେ ତ ମୋର କିଛି ଭୁଲ ହେଇଥିବା ମନେ ପଡୁନାହିଁ। ଅଜାଣତରେ ଯଦି କିଛି ଭୁଲ ମୋର ହେଇ ଯାଇଥିବ ମୁଁ ସେଥିପାଇଁ ବରଂ ଆଗତୁରା ଭୁଲ ମାଗି ଦେଉଛି। 

ଗାୟତ୍ରୀ କାନ୍ଦକୁ ରୋକି ନପାରିଲେ ବି ଆଖିର ଲୁହ କୁ ପୋଛି ଦେଇ କହିଲେ - ତମେ ଯାଅ ଅଫିସ। 

- କେମିତି ଯିବି। ମୋର କଣ ଭୁଲ ହେଲେ କହିଦିଅ। 

ଗାୟତ୍ରୀ କାନ୍ଦ ଭିତରେ ବି ସାମାନ୍ୟ ହସି କହିଲେ - ତମର କଣ ଭୁଲ। ତମେ ଚାହିଁଲେ ବି କିଛି ଭୁଲ କରି ପାରିବ ନାହିଁ। 

ସୁବାସ ନିଜ ପ୍ରଶସ୍ତି ଶୁଣି ଖୁସି ହେଲେ ଓ ମନେ ମନେ ଆଶ୍ଵସ୍ତ ହେଲେ। ଯାହା ହେଉ ତାଙ୍କର କିଛି ଭୁଲ ନାହିଁ। ଗାୟତ୍ରୀଙ୍କୁ ଚାହିଁ କହିଲେ - ମୋର ଭୁଲ ନଥିଲେ ବି କିଛି ତ ଗୋଟାଏ କାରଣ ନିଶ୍ଚୟ ଅଛି। ସେଇଟା ହେଲେ କହିଦିଅ। ମୋ ମନଟା ହାଲକା ହେଇ ଯିବ। 

- ତମେ ବୁଝି ପାରିବନି। ଦଶଟା ବାଜିଲାଣି। ତମର ଡେରି ହେଇଯିବ ଅଫିସ। ତମେ ଯାଅ। 

ସୁବାସ ତଥାପି ଅଫିସ ଯିବାକୁ ମନସ୍ଥ କରି ପାରୁ ନଥିଲେ। ଅଫିସ ଘଣ୍ଟାଏ ବିଳମ୍ବ ପଛେ ହେଇଯାଉ, କାନ୍ଦିବାର କାରଣ ଜାଣିବା ପାଇଁ ସେ ଉତ୍ସୁକତା ର ସହ ଅପେକ୍ଷା କରି ରହିଥିଲେ। ମନେ ମନେ ଭାବିଲେ ବାପ ଘର କଥା ମନେ ପଡ଼ିଲା କି? ବାପାମାଆଙ୍କ ଇଛା ବିରୁଦ୍ଧରେ ଘରୁ ବାହାରି ଆସି ବିବାହ କରିବାର ବର୍ଷେ ପୁରିବ ଏବେ। ସେଥିପାଇଁ ଘର ଲୋକେ କେହି ଆସନ୍ତି ନାହିଁ କି କଥା ହୁଅନ୍ତି ନାହିଁ। ଗାୟତ୍ରୀ ଫୋନ୍ ନମ୍ବର ବି ସେମାନେ ବ୍ଲକ କରି ଦେଇଥିଲେ। ଏକଥା ସବୁ ତ ସେ ଅନେକ ଦିନରୁ ଭୁଲି ଯାଇଛି। ଏବେ ଏସବୁ ମନେ ପଡିବ କାହିଁକି। ଯାହାକୁ ଘରର ଏରୁଣ୍ଡି ବନ୍ଧ ଡେଇଁବା ପାଇଁ ଶକ୍ତ କଟକଣା କରା ହେଇଛି ସେ କେମିତି ହଠାତ ଏତେ ଭାବ ପ୍ରବଣ ହେବ। ନା! କାନ୍ଦିବାର ଅନ୍ୟ କିଛି କାରଣ ନିଶ୍ଚିତ ଅଛି। 

ସୁବାସ ଗାୟତ୍ରୀ ଙ୍କୁ ଭଲ ଭାବରେ ଅନାଇଲେ। ଗାୟତ୍ରୀ ତାଙ୍କୁ ଦେଖି ଦୃଷ୍ଟି ତଳକୁ କଲେ। ସୁବାସ କିନ୍ତୁ ହାତରେ ଚିବୁକ ଧରି ମୁହଁ କୁ ଟେକି ଦେଇ କହିଲେ - ଭଲ ପାଇ ଆମେ ବାହା ହେଇଛେ। କେହି କାହା ପାଇଁ କାନ୍ଦିବାଟା ଆଦୌ ଶୋଭନୀୟ ନୁହେଁ। 

 ଯଦି ତମେ ଘରକୁ ଯିବାକୁ ଚାହୁଁଛ ମୁଁ ତମୁକୁ ଛାଡି ଦେଇ ଆସିବି। 

ଗାୟତ୍ରୀ ଏଥର ଆଖିରୁ ପୁରା ଲୁହ ପୋଛି ମୁହଁ କୁ ଭଲ ଭାବରେ ଧୋଇ ହାଲୁକା କରି ହସି ସୁବାସଙ୍କୁ କହିଲେ ଏବେ ମୋତେ ଦେଖ। ଆଉ ମୋ ମୁହଁରେ କାନ୍ଦ ନାହିଁ। ତମେ ଏଥର ଅଫିସ ଯାଅ। 

ସୁବାସଙ୍କୁ ତଥାପି ଭଲ ଲାଗୁ ନଥାଏ।ସେ ଭାବି ଭାବି ବାଲକୋନି ଆଡେ ଆସିଲେ। ବାହାରକୁ କିଛି ସମୟ ଲକ୍ଷ କଲେ। ତାପରେ ସବୁ ବୁଝି ପାରିଲା ପରି  କଣ ଭାବି ମନରେ ପ୍ରଫୁଲ୍ଲିତ ହୋଇ ଉଠିଲେ ଓ ନିଜ ଖୁସିକୁ ଜାହିର କରିବାକୁ ଯାଇ ଗାୟତ୍ରୀ ଙ୍କୁ ଆଲିଙ୍ଗନ ପାଶରେ ବାନ୍ଧି ଏକ ଶକ୍ତ ଚୁମ୍ବନ ଦେଲେ। ଗାୟତ୍ରୀ ହଠାତ୍ ପ୍ରେମର ଏପରି ଜୁଆର ଅବସ୍ଥା ଦେଖି କିଛି ବୁଝି ନ ପାରୁଥିଲେ  ବି ଆନନ୍ଦ କୁ ଗ୍ରହଣ କରି ବାରେ ପ୍ରତିବନ୍ଧକ ହେଲେ ନାହିଁ। 

ସୁବାସ ଆଉ କିଛି ନ କହି ନିଜ ଅଫିସ ବ୍ୟାଗ ଧରି ଏଥର ବାହାରି ଗଲେ। ଗାୟତ୍ରୀ ପଛପଟୁ ଅନାଇ ରହିଥାନ୍ତି। କିଛି ସମୟ ପରେ ଗାୟତ୍ରୀ ନିଜ ଘର କାମରେ ଲାଗି ଗଲେ। ଅନ୍ୟମନସ୍କତା ହେତୁ ଦୁଇ ତିନି ଥର ବାସନ ହାତରୁ ଖସି ପଡ଼ିଲାଣି। ଦୁଇଟା କପ ମଧ୍ୟ ପଡି ଭାଙ୍ଗି ସାରିଲାଣି । ଦୁଃଖୀ ହେବା ପରିବର୍ତ୍ତେ ମନେ ମନେ ଉତଫୁଲ୍ଲିତ ହେଇ ବାଲକୋନିରୁ ବାହାର ଆଡେ ଅନାଉ ଥାଆନ୍ତି । ପୁଣି ନିରାଶ ହେଇ ଫେରି ଆସି ଭାବୁ ଥାଆନ୍ତି - ଏସବୁ ଅନ୍ଧ ବିଶ୍ୱାସ ମଣିଷକୁ ବେଶି ଅନ୍ଧ କରି ଦେଉଛି। ଯାହାର ଆସିବାର ଥିବ ସେ ଆସିବ।ହାତରୁ ବାସନ ପଡି ଇସାରା ଦେବା କଣ ଦରକାର। ଦୁଇଟା କପ୍ ପଡି ଭାଙ୍ଗି ସାରିଲାଣି ଅଥଚ କାହାର ଦେଖା ନାହିଁ। ହୋଉ ନ ଆସନ୍ତୁ। ସୁବାସ ଗଲାବେଳେ ଗେଲ କରି ଯିବାର ଦୃଶ୍ୟକୁ ଭାବି ମନରେ ତାଙ୍କର ପ୍ରଶାନ୍ତି ଭାବ ଆସୁଥାଏ। ସେହି ପ୍ରଶାନ୍ତି ଭାବରେ କେହି ନ ଆସିବାର ଦୁଃଖ ମନକୁ କବଳିତ କରି ପାରୁ ନଥାଏ। 

ଗାୟତ୍ରୀ ଅପରାହ୍ନ ଭୋଜନ ସାରି ଖଟରେ ଦେହଟିକୁ ଗଡେଇ ଦେଇଛନ୍ତି, କଲିଂ ବେଲ ବାଜି ଉଠିଲା। ମନରେ ଅସଂଖ୍ୟ ଅସୁମାରୀ ଆଶା ପୁଣି ଥରେ ଜଳିବାକୁ ଲାଗିଲା। ସେ ତରତର ହୋଇ କବାଟ ଖୋଲିଲେ। କବାଟ ପରେ ଥିବା ଗ୍ରୀଲକୁ ନ ଖୋଲି ଦେଖିଲେ ଜଣେ ଅଚିହ୍ନା ବ୍ୟକ୍ତି ବାହାରେ ଠିଆ ହେଇଛନ୍ତି। ସେ ଗାୟତ୍ରୀ ଙ୍କୁ ଦେଖି ପଚାରିଲେ - ଏଇଟା ସୁବାସ ପ୍ରଧାନ ଙ୍କ ଘର କି? 

- ହଁ, ସେ ତ ଅଫିସ ପଳେଇଲେଣି। ଆପଣ ତାଙ୍କୁ ଅଫିସରେ ଭେଟି ପାରନ୍ତି। 

- ନା ନା ମୋର ତାଙ୍କ ପାଖରେ କିଛି କାମ ନାହିଁ। 

- ଖୋଜୁଛନ୍ତି କାହିଁକି ତାହେଲେ। 

- ଆପଣ ଗାୟତ୍ରୀ ଦେବୀ କି! 

- ହଁ କଣ ହେଲା 

-ଆପଣଙ୍କ ବାପା ମୋ ହାତରେ ଏଇ ସାବିତ୍ରୀ ଭାରଟା ଧରେଇ ଦେଇ ଅରଜେଣ୍ଟ କାମ ଅଛି ବୋଲି କହି ପଳେଇଲେ। ଆପଣଙ୍କୁ ଦେବା ପାଇଁ କହିଛନ୍ତି। 

ଗାୟତ୍ରୀ ଗ୍ରୀଲ ଗେଟ ନ ଖୋଲି କଥା  ହେଉଥିବାରୁ ଅନୁତାପ କଲେ ଓ ଭିତରକୁ ଡାକି ନମ୍ରତା ର ସହ ପଚାରିଲେ - ଆପଣଙ୍କୁ ମୁଁ ଚିହ୍ନି ପାରିଲିନି। 

ଆପଣ ମୋତେ ଚିହ୍ନି ପାରିବେନି କହି ଲୋକ ଟି ବ୍ୟାଗ ଦୁଇଟି ଥୋଇ ଏଡେ ତୀବ୍ର ଗତିରେ ଉଭାନ ହେଇଗଲା ଯେ ଆଖି ବୁଲାଇଲା ବେଳକୁ ଆଉ ଦିଶିଲେ ନାହିଁ। 

ଗାୟତ୍ରୀ କବାଟ ବନ୍ଦ କରି ବ୍ଯାଗ ଦୁଇଟା ଦେଖିବାକୁ ଲାଗିଲେ। ବ୍ୟାଗ ଭିତରେ ଶାଢୀ ସାୟାଠୁ ଆରମ୍ଭ କରି ଫଳମୂଳ କାଚ ସିନ୍ଦୁର ପର୍ଯ୍ୟନ୍ତ ସବୁ ଥାଏ। 

ପ୍ରତ୍ୟେକ ଟି ଜିନିଷ ଖୋଲିଲା ବେଳକୁ ଗାୟତ୍ରୀ ଙ୍କ ଆଖି ଲୁହରେ ଭିଜି ଯାଉଥାଏ। ବାପା ନିଜେ ନ ଆସି ଆଉ କାହା ହାତରେ କାହିଁକି ପଠାଇଲେ। ଘରୁ ଏତେ ବାଟ ଆସିଲେ ଆଉ ଟିକିଏ ଘରକୁ ଆସି ପାରିଲେ ନାହିଁ। 

ଝିଅ ନିଜ ଇଚ୍ଛାରେ ବାହା ହେଲା ବୋଲି ବୋଧେ ରାଗ ବାପାଙ୍କର ଯାଉନି। ବୋଉର ବି କଣ ମୋତେ ଦେଖିବା ପାଇଁ ଇଛା ହେଉନି? ସେ ଆସିକି ସାଙ୍ଗେ ସାଙ୍ଗେ ପଳେଇଥିଲେ କଣ ମୁଁ ଅଟକାଇ ଥାନ୍ତି। ବିନା ତାଙ୍କ ଆଶିଷରେ ସାବିତ୍ରୀ ଭାର ମୋର କଣ ହେବ ଭାବି କାନ୍ଦ କାନ୍ଦ ହେଇଗଲା। ସକାଳୁ ଏ ପର୍ଯ୍ୟନ୍ତ ଯାହା ଅପେକ୍ଷା ରେ ଥିଲା ଆସି ପହଞ୍ଚିଲା ପରେ ମଧ୍ୟ ମନରେ ସନ୍ତୋଷ ଆସୁ ନଥିଲା। ଆଖିର ଲୁହ ଯେମିତି ଆଜି ବୋହିବାର ବାହାନା ଖୋଜୁଥିଲା। 

ସୁବାସ ସନ୍ଧ୍ୟାରେ ପହଞ୍ଚି ପଚାରିଲେ - ଏ  ଜିନିଷ ସବୁ କଣ ନିଜେ ଯାଇ କିଣି ଆଣିଲ। 

- ନା! ବାପା କାହା ହାତରେ ପଠେଇଛନ୍ତି। କେତେ ଦିନ ରାଗ ରଖିବେ। ହେଲେ ଘରକୁ ନ ଆସି ଆଉ କାହା ହାତରେ ପଠେଇ ଦେଲେ

 

- ହୋଉ ପଠେଇଲେ ତ! ବାପ ଝିଅ ଙ୍କର ସମ୍ପର୍କ ପରା ନିଆରା। ନ ପଠେଇ କଣ ରହି ପାରିବେ? 

ଯେତେ ରାଗ ଥିଲେ ବି ମିଳେଇ ଯିବ।

ତମେ ତାହେଲେ ସକାଳୁ ଭାର କଥା ଭାବି ଭାବି କାନ୍ଦୁଥିଲ। 

- ପ୍ରଥମ ସାବିତ୍ରୀ ମୋର। କେମିତି ଭାବିବିନି ଯେ। ଭଲ ପାଇ ବାହା ହେଲି ବୋଲି କଣ ଏତେ ବଡ ପାପ କଲି। ଦେଖୁନ, ଆସିଲେ ଯେ ପାଖକୁ ଆସିଲେ ନାହିଁ।  ନିଜେ ଟିକେ ଆସି ଦେଇ ପାରି ନଥାନ୍ତେ। 


- ଯେତିକି ମିଳୁଛି ସେତିକିରେ ଖୁସି ରୁହ। କେମିତି ଆସିବେ? ଆମେ ତ ତାଙ୍କ ଇଛା ବିରୁଦ୍ଧରେ ବାହା ହେଇଛେ। ଆମ ଭଲ ପାଇବାକୁ ତାଙ୍କର ସ୍ଵୀକୃତି ନାହିଁ। ଧିରେ ଧିରେ ଆସିପାରେ। ଅପେକ୍ଷା କର କହି ସୁବାସ ଆଗ୍ରହ ରେ ସବୁ ଆସିଥିବା ଜିନିଷ ଦେଖି ବାକୁ ଲାଗିଲେ, କହିଲେ - ଏତେ ଜିନିଷ ପଠେଇଲା ପରେ ବି କାନ୍ଦୁଛ। ମୋ ପାଇଁ ବି ଗୋଟିଏ ପଞ୍ଜାବୀ ଅଛି। 

- ଝିଅ ର କଣ ଖାଲି ଜିନିଷ ଦରକାର। ବାପା ମାଙ୍କ ଆଶିର୍ବାଦ ବି ଦରକାର। 

ସୁବାସ ହସି ଦେଇ କହିଲେ - ତାହେଲେ ତାଙ୍କ ଇଛା ବିରୁଦ୍ଧରେ ମୋତେ ବାହା ହେବାର ନଥିଲା। ବାପାଙ୍କୁ ଅପମାନ ଦେବ ଆଶିର୍ବାଦ ବି ନେବ, ଦୁଇଟା ଯାକ ଜିନିଷ ଏକା ସାଙ୍ଗରେ କେମିତି ହେବ। ଏଥରକ ଭାର ପଠେଇଛନ୍ତି। ଆରଥରକୁ ହୁଏ ତ ନିଜେ ଆସି ପାରନ୍ତି। 


- ନ ଆସନ୍ତୁ। ବୋଉ ଫୋନ୍ କରି  ଜଣେଇ ଥିଲେ କଣ ହୁଅନ୍ତାନି! ଭାରଟା ଏମିତି ଇଛା ନଥିଲା ପରି ଜବରଦସ୍ତି ପଠେଇବା କଣ ଦରକାର !

- ବାପାମାଆଙ୍କ ଠାରୁ ପାଇଥିବା କୌଣସି ଜିନିଷ ଉପରେ ଅସନ୍ତୋଷ ପ୍ରକାଶ କରନ୍ତି ନାହିଁ। ତାଙ୍କର ଝିଅ ପ୍ରତି ସ୍ନେହ ଅଛି ବୋଲି ସେ ଏଇଟା ପଠେଇ ଜଣେଇ ଦେଲେ କିନ୍ତୁ ନ ଆସି ମଧ୍ୟ ଜଣେଇ ଦେଲେ ଯେ ତାଙ୍କ ଅଭିମାନ ତାଙ୍କୁ ଏଠିକି ଆଣି ପାରୁନି। ଭୁଲ ତ ଆମେ କରିଛେ। ଦଣ୍ଡ ଆମେ କେମିତି ଭୋଗିବାନି। 

- ଭଲ ପାଇବା କଣ ଭୁଲ

- ଭଲ ପାଇବା ଭୁଲ ନୁହେଁ। ଭଲ ପାଇ ନିଜକୁ ଠିକ ଭାବି ଅନ୍ୟକୁ ଅବଜ୍ଞା କରିବା ଭୁଲ। 

- ମୁଁ ବାପା ଙ୍କୁ ଅବଜ୍ଞା କରି ନଥିଲେ କଣ ତମ ପାଖକୁ ଆସି ପାରି ଥାଆନ୍ତି 

- ସତ ହେଲେ ବି ସେହି ଅବଜ୍ଞା ର ଫଳ ତ ଆମକୁ ଭୋଗ କରିବାକୁ ପଡ଼ିବ। 

ଗାୟତ୍ରୀ ଆଉ ଯୁକ୍ତି ନକରି ନୀରବ ହେଇଗଲା। ପରଦିନ ସକାଳ ପାହିଲେ ସାବିତ୍ରୀ। ବାପା ବୋଉ ଆସିବେ ବୋଲି କିଛି ଟା ଆଶା ମନ ମଧ୍ୟରେ ବଞ୍ଚିକି ଏବେ ବି ଅଛି ।

ସକାଳ ପାହୁ ପାହୁ ଗାୟତ୍ରୀ କିଛି ବିସ୍କୁଟ ଓ ଚାଉଳ ବାଲକୋନିର ପାରାପିଟ ଉପରେ ଥୋଇ ଦେଇ ଆସିଲା। କାଉ ର କା କା ଡାକରେ ପ୍ରବାଦ ସତ୍ୟ ହୋଇ କାଳେ ବାପା କୁଣିଆ ହେଇ ଆସି ପହଞ୍ଚି ଯିବେ। ଗାୟତ୍ରୀ ନୂଆ ଶାଢୀ ପିନ୍ଧି ପୂଜା କର୍ମ ସାରି ସୁବାସ ଙ୍କ ପାଦ ପ୍ରକ୍ଷାଳନ କରୁଛି ମୋବାଇଲ ବାଜି ଉଠିଲା। ସୁବାସ ଦେଖିଲେ ବୋଉଙ୍କ ର ଫୋନ। ହେଇ ନିଅ - ଯାହା ପାଇଁ ଏତେ କାନ୍ଦ ଏତେ ଅପେକ୍ଷା। ସେ ତମକଥା ବୁଝି ପାରି ଫୋନ୍ କରିଛନ୍ତି। 

ଗାୟତ୍ରୀ ଠିଆ ହୋଇ ଫୋନ୍ ଧରୁ ଧରୁ କାନ୍ଦିବା ଆରମ୍ଭ କରିଦେଲେ। ସୁବାସ ମୋବାଇଲ ର ସ୍ପିକର ଟା ଦେଇ ଶୁଣିବାକୁ ଲାଗିଲେ। ବାପା କାଲି ରାତିରୁ ଆକ୍ସିଡେଣ୍ଟ ରେ ହସ୍ପିଟାଲରେ ପଡିଛନ୍ତି । 

ସୁବାସ ମୋବାଇଲ ଟା ଗାୟତ୍ରୀ ଙ୍କ ହାତରୁ ଛଡାଇ ଆଣ କହିଲେ ଆମେ ସାଙ୍ଗେ ସାଙ୍ଗେ ପହଞ୍ଚି ଯାଉଛୁ। ଆପଣ ବ୍ୟସ୍ତ ହୁଅନ୍ତୁନି। ମୋର ଜଣେ ସାଙ୍ଗ ବି ସେଠି ଡାକ୍ତର ଅଛି। 

ସୁବାସ ଓ ଗାୟତ୍ରୀ ହସ୍ପିଟାଲରେ ପହଞ୍ଚି ଦେଖା କଲା ବେଳକୁ ସବୁ ପରୀକ୍ଷା ପ୍ରାୟ ସରି ଯାଇଥାଏ। ମୁଣ୍ଡରେ ପଟି ପଡିଥାଏ ଓ ଡାହାଣ ହାତ ସାମାନ୍ୟ  ଫ୍ରାକଚର୍ ହେଇଛି ବୋଲି ବ୍ୟାଣ୍ଡେଜ ହେଇଥାଏ। ଡାକ୍ତର କହିଲେ ଆଜି ବ୍ଲଡ୍ ପ୍ରେସର ଟା ନରମାଲ ହେଇଗଲେ କାଲି ଆମେ ଛାଡିଦେବୁ। 

ଗାୟତ୍ରୀ ବାପାଙ୍କ ପାଖରେ ବସି ରହିଲା। ସେତିକି ବେଳକୁ ବୋଉ ହରି ଭାଇକୁ ସାଙ୍ଗରେ ଧରି ପହଞ୍ଚି ଗଲେ। ବୋଉକୁ କୁଣ୍ଢେଇ ଧରି ବହେ କାନ୍ଦି ସାରିଲା ପରେ ଗାୟତ୍ରୀ ପଚାରିଲା - ବାପାଙ୍କୁ ଏକୁଟିଆ ଖରାବେଳଟାରେ ସାବିତ୍ରୀ ଭାର ଧରି ଆସିବା ପାଇଁ କାହିଁକି ପଠାଉଥିଲୁ। ତାଙ୍କର ବିପି ଅଛି ଜାଣି ତୁ ସାଙ୍ଗରେ ଆସିଥିଲେ ହେଇ ନଥାନ୍ତା। ସେ ଏକୁଟିଆ ଆସିଲେ ବୋଲି ମୋଟରସାଇକେଲ ରେ ପଳେଇ ଆସିଲେ। ତୁ ଆସିବା ପାଇଁ ଜିଦି କରିଥିଲେ ସେ କଣ ମନା କରିଥାନ୍ତେ। ବାପାଙ୍କ ବୟସରେ ଆଉ କଣ ଏତେ ବାଟ ମୋଟରସାଇକେଲ ଚଲେଇ ଆସିବା କଥା। 

ବୋଉ ଆଶ୍ଚର୍ଯ୍ୟ ହେଇ ଅନାଇ ଥାଆନ୍ତି। କହିଲେ ତୋ ବାପା ସାଙ୍ଗରେ ତ ସାବିତ୍ରୀ ଭାର ପାଇଁ ଦିନ ସାରା ଝଗଡା ଲାଗିଲି ବୋଲି ରାତିରେ ସେ ମୋତେ ନକହି ମୋଟର ସାଇକେଲ ଧରି ଆସିଛନ୍ତି। ସେ ଖରାବେଳେ ତୋତେ କେମିତି ଭାର ଦେଲେ। 

ସାବିତ୍ରୀ ଆବା କାବା ହେଇ ଏପଟ ସେପଟ ଅନେଇବାକୁ ଲାଗିଲା। 

ସୁବାସ ନୀରବରେ ଠିଆ ହେଇଥାନ୍ତି 

ବାପା କହିଲେ ମୁଁ ତ ସାବିତ୍ରୀ ଭାର ଆଣିନି ।

- କାଲି ତାହେଲେ ଦ୍ଵିପ୍ରହର ରେ ମୋତେ କିଏ ଦେଲା। ସେ ଲୋକ ଟି କହିଲା ବାପା ପଠେଇଛନ୍ତି। ତାଙ୍କର ଅରଜେଣ୍ଟ କାମ ଅଛି ବୋଲି ତା ହାତରେ ଧରେଇ ଦେଇ ଫେରିଗଲେ ବୋଲି ବି କହିଲା ।

ସୁବାସ ହସି ଦେଇ କହିଲେ - ଯିଏ ବି ଦେଉ ଝିଅର ଭାର ତ ଝିଅ ପାଖରେ ପହଞ୍ଚି ଗଲା। ସମସ୍ତେ କାବା ହେଇ ପରସ୍ପରକୁ ଅନାଉ ଥାଆନ୍ତି। 

କିଛି ସମୟ ପରେ ବାପା ସୁବାସକୁ ପାଖକୁ ଡାକି କହିଲେ - କାଲି ଝିଅ କାନ୍ଦୁଥିଲା ନା! 

ସୁବାସ କହିଲେ -ହଁ

ସେଥିପାଇଁ ବୋଧେ ତମେ ମୋ ନାଁ ରେ ଏସବୁ ଜିନିଷ ଘରକୁ ପଠେଇ ଦେଇଛ। 

ସୁବାସ କିଛି ନକହି ମୁରୁକି ହସି ଦେଲେ। ଏତେ ଭଲ ପାଇବା ମୋ ଝିଅକୁ ଆଉ କିଏ ଦେଇ ପାରିବ କହୁ କହୁ ତାଙ୍କ ଆଖି ଭିଜିବାକୁ ଲାଗିଲା। ଗାୟତ୍ରୀ କିଛି ବୁଝି ନ ପାରି ଅନେଇ ରହିଥାନ୍ତି। ବୋଉ ଅଧର୍ଯ୍ୟ ହେଇ କହିଲେ - କଣ ଫୁସୁରୁ ଫାସୁରୁ ହେଉଛ,ଆମକୁ ବି କୁହ ।

ବାପା ଗାୟତ୍ରୀ କୁ ଅନେଇ କହିଲେ - ତୋ ସାବିତ୍ରୀ ଭାର ଆଉ କେହି ନୁହେଁ ତୋ ସତ୍ୟବାନ ହିଁ ଆଣିଛନ୍ତି । ସେଥିପାଇଁ ବୋଧହୁଏ ଭଗବାନ ମୋତେ ଦଣ୍ଡ ଦେଇ ଏଠି ପହଞ୍ଚେଇ ଦେଲେ ଯେମିତି ମୋ ଅହଙ୍କାର ଭାଙ୍ଗିବ ଓ ତମ ସମସ୍ତ ଙ୍କୁ ମୁଁ ଦେଖି ପାରିବି । ସମସ୍ତ ଙ୍କ ମୁହଁ ରେ ହସ ଓ ଅଶ୍ରୁର ଅପୂର୍ବ ମିଶ୍ରଣ ଆନନ୍ଦ ୟ ଲହରୀ ସୃଷ୍ଟି କରୁଥିଲା। 

ଭିନ୍ନ ଏକ ଦୃଷ୍ଟି  ଓ ଭିନ୍ନ ଏକ ମାଧୁର୍ଯ୍ୟ ରେ ଗାୟତ୍ରୀ କଣେଇ କଣେଇ ସୁବାସଙ୍କୁ ଚାହିଁଲେ। ସୁବାସ ମୁରୁକି ମୁରୁକି ହସୁଥାନ୍ତି। ସେଇ ହସରେ ଗାୟତ୍ରୀ କୋଟି ସାବିତ୍ରୀ ର ଫଳ ପାଇଗଲା ପରି ଅନୁଭବ କରୁଥାନ୍ତି। 

ଡାକ୍ତର ଦାସ ପାଖରେ ପହଞ୍ଚି ଏସବୁ ଦେଖି କହିଲେ - ଏତେ ଖୁସି ଏକା ସାଙ୍ଗରେ ଆସିଲେ ଆଉ କଣ ବିପି ରହିଥିବ। ସେ ଛାଡି ପଳେଇଥିବ। ସମସ୍ତେ ଜୋରରେ ହସି ଉଠିଲେ।


ପ୍ରଶାନ୍ତ କୁମାର ହୋତା
ମୋ - +91 94380 04191

Post a Comment

0 Comments