ବହୁରୂପ ଧରୁ ଆକାଶ
ବହୁରୂପା ସମ ତୁ,
ସ୍ବର୍ଣ୍ଣ ଆଭରଣେ ଶରୀର
କେତେବେଳେ ମଣ୍ଡୁ ତୁ।
କେତେବେଳେ ପୁଣି ସୁନେଲି
ତାରା ରତ୍ନ ଖଚିତ,
ଧବଳ ବରଣେ ହେଉତୁ
କେବେ କେବେ ମଣ୍ଡିତ।
ରାତ୍ରୀର ଅନ୍ଧାର କେବେ ବା
ହେଉ ଅଙ୍ଗରେ ବୋଳି,
ଗାଢ଼ ନୀଳରଙ୍ଗ-ରାଜିରେ
କେବେ ଉଠୁବା ଝଳି ।
ମେଘ ଛଳେ କେଡ଼େ ବିଚି଼ତ୍ର-
ରୂପ କରୁ ଧାରଣ,
ମିଶ୍ରିତ ରଙ୍ଗକୁ କେବେ ବା
କରିଥାଉ ଭୂଷଣ ।
କେବେକେବେ ମୁନି ପରାୟ
ଦିଶୁ ଗମ୍ଭୀର ଅତି,
ମନେ ଭାବାନ୍ତର ଜାଗଇ
ଦେଖି ତୋର ସେ ମୂର୍ତ୍ତି।
ନିଃଶଙ୍କ-ନିର୍ମଳ-ନିର୍ଲିପ୍ତ
ତୋର ମୁଖ ମଣ୍ଡଳ,
ଭାବୁକର ଭାବ ସମୁଦ୍ର
ମନ୍ଥି କରେ ଉତ୍ଥଳ।
କ୍ରୀଡ଼ନକ ଶିଶୁ ପରାୟ
କେବେ ଚ଼ପଳ ମତି,
ଧରୁ ରେ ଆକାଶ ଯାଉ ତୁ
ନାନା ଖେଳରେ ମାତି।
କେବେ ବା ସାଗର ପରାୟ
ତୁହି ଦିଶୁ ରୁଚିର,
ଫେନାୟିତ ଶୁଭ୍ର-ଲହରୀ
ଶୋଭେ ବକ୍ଷ ଦେଶର।
ନନ୍ଦସୂତ ପ୍ରାୟ ଅଟୁରେ
ବଡ଼ ମାୟାବୀ ତୁହି,
ତୋ ମାୟାର ଚ଼କ୍ରବ୍ୟୁହ କୁ
କେବା ଭେଦି ପାରଇ।
କେତେଗ୍ରହ କେତେ ନକ୍ଷତ୍ର
ହୃଦେ ରଖିଛୁ ଧରି,
କେତେ ସ୍ବପ୍ନ କେତେ ଆକାଂକ୍ଷା
ପ୍ରାଣେ ଦେଉଛୁ ଭରି।
ଯାଦୁକର ପ୍ରାୟ ଦେଖାଉ
କେତେ ବିଚି଼ତ୍ର ଖେଳ,
ଦେଖି ନାଇଁ କିରେ ଆକାଶ
ଏଇ ଆଖି ମୋହର।
କ୍ଷଣେକ୍ଷଣେ ଧରୁ ମୂରତି
ଭିନ୍ନ ଭିନ୍ନ ପ୍ରକାର,
କେମିତି ବୁଝିବି ତୋ ମାୟା
ନିର୍ମାୟା ମୋ ଅନ୍ତର।
***************
କୈଳାସ ଚ଼ନ୍ଦ୍ର ପାଢ଼ୀ।
କୁମାର ପୁର। ଅନନ୍ତପୁର।
ବାସୁଦେବପୁର। ଭଦ୍ରକ।
=================°




0 Comments