ରତ୍ନ ସିଂହାସନେ ବସିଛ ଠାକୁରେ
ଚକା ଆଖି ମେଲି ଦେଇ
ମୁଁ ଗରୀବ ଆଜି ସିଂହ ଦ୍ୱାରେ ଡାକେ
ଶୁଣୁ ନାହୁଁ କାହିଁ ପାଇଁ l
କଣ୍ଠ ଶୁଖିଲାଣି ଡାକି ଡାକି ତୋତେ
ଆତ୍ମା ହେଉଛି ବିକଳ
ଥରୁଟିଏ ଦିଅ ଦରଶନ ମୋତେ
ପ୍ରାଣ ହେଉ ସୁଶୀତଳ l
ଜଗତର ନାଥ ଆହେ ଜଗନ୍ନାଥ
ଶୁଣ ବାରେ ମୋ ଗୁହାରି
ଅଥଳ ଜଳରେ ଭାସୁଛି ଠାକୁର
ଉଦ୍ଧାରିବ ଦଇତାରୀ l
ନିଃସ୍ୱ ମୁଁ ହୋଇଛି ସବୁ ହରାଇଛି
ଆଶ୍ରା ତୋତେ କରିଅଛି
ମାଗୁନାହିଁ ଧନ ଅବା ଯଶ କିଛି
କୃପା ଟିକେ ମାଗୁ ଅଛି l
କରୁଣା କନିକା ବିନ୍ଦୁଟିଏ ଝରୁ
ଏ ଦୁଃଖିନୀ ମସ୍ତକରେ
ତୁହି ମୋ ଭରସା ତୁହି ମୋ ସାହସ
ଏହି ଭଵ ସଂସାରରେ l
ହେ ନୀଳ ମାଧବ ରକ୍ଷା କର ପ୍ରଭୁ
ଦିବା ନିଶି ଡାକୁ ଅଛି
ଚରଣରେ ସ୍ଥାନ ଟିକେ ଦିଅ ପ୍ରଭୁ
ଅଶ୍ରୁରେ ନିତି ଭିଜୁଛି l
ତୋ ଛାଡ ତୁଳସୀ ଦୟଣlର ମାଳ
କେତେ ଦିନୁ ଚାହିଁ ଅଛି
ମୋ ହସ୍ତରେ ପ୍ରଭୁ ଟିକେ ମିଳି ଯାଉ
ଏତିକି ଭିକ୍ଷା ମାଗୁଛି l
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର




0 Comments