ପଳାତକର ପ୍ରତ୍ୟାଗମନ - ପ୍ରଶାନ୍ତ କୁମାର ହୋତା



ନବୀନ ଦାସ ଅବସର ନେଲା ପରେ ଦୁଇ ପୁଅ ବୋହୁଙ୍କ ସହିତ ବେଶ ହସ ଖୁସି ରେ ସମୟ କାଟୁଥାନ୍ତି । ସଂସାର ଟା ଯେ ଏତେ ସୁଖମୟ ହେଇପାରେ ସେ ଅବସର ନେଲା ପରେ ଅନୁଭବ କରୁଥିଲେ।  ସୁଖର ସମୟ ତାଙ୍କର ଏତେ ଶୀଘ୍ର ଅତିବାହିତ ହେଉଥିଲା ଯେ ସେ ବେଳେ ବେଳେ ସମୟକୁ ବାନ୍ଧି ରଖିବାକୁ ଭାବୁଥିଲେ ।

ପରିପକ୍ବ ନ ହେଇଥିବା ମଣିଷ ପରିସ୍ଥିତି କୁ ସଦାବେଳେ ଭ୍ରମାତ୍ମକ ଦୃଷ୍ଟିରେ ଦେଖେ। ସେଥିପାଇଁ ଘଟଣା ଚକ୍ର ନିଜ ଆଶା ଅନୁରୂପ ନହେଲେ ସେ ପରିସ୍ଥିତି ରେ ଖୁବ୍ ଶୀଘ୍ର ଭାଙ୍ଗି ପଡେ ଓ ଅନ୍ୟଠାରେ ଦୋଷ ଦେଖେ। ଭାଗ୍ୟ ଭଗବାନ ସମସ୍ତଙ୍କୁ ଦୋଷ ଦେଇ ନିଜେ ଦୋଷମୁକ୍ତ ହେବାକୁ ବସିଯାଏ।

ନବୀନ ଦାସ ଙ୍କର ଏଭଳି ଏକ ପରିସ୍ଥିତି ଆସିଥିଲା ଯୋଉଦିନ ତାଙ୍କ ଦେହରେ କରୋନା ଲକ୍ଷଣ ସବୁ ଦେଖା ଦେଲା। ସମସ୍ତେ ଭୟର ବାତାବରଣ ରେ ରହିବାକୁ ଆରମ୍ଭ କଲେ। ପୁଅ ବୋହୂ ସ୍ତ୍ରୀ ସମସ୍ତେ  ଥରକୁ ଥର  ଶୁଣେଇ ଶୁଣେଇ ବାପାଙ୍କୁ କହିଲେ ଯେ ସେ ବାରମ୍ବାର ବାହାରକୁ ଯିବା ଦ୍ଵାରା ହିଁ ଏସବୁ ହେଇଛି। ତାଙ୍କ ଯୋଗୁଁ ଘରେ ଏବେ ସମସ୍ତେ ହଇରାଣ ହେବେ। ବାପା ଯଦି ନିଜ ନାତି ନାତୁଣୀଙ୍କୁ ଭଲ ପାଉଥାନ୍ତି, ତାଙ୍କ କଥା ବି ଟିକେ ଚିନ୍ତା କରି ଥାଆନ୍ତେ ତାହାଲେ ଏମିତି ବାହାରକୁ ସେ ଯାଇ ନଥାନ୍ତେ କି କରୋନା ଆଣି ନଥାନ୍ତେ ।
ତୁରନ୍ତ ହସ୍ପିଟାଲରେ ଛାଡି ଦେବା ପାଇଁ ବୋହୂମାନେ କହୁଥାନ୍ତି।

ନବୀନ ବାବୁଙ୍କ ର ମୁଣ୍ଡ ଘୁରେଇଗଲା ଏସବୁ କଥା ଶୁଣି। ଯିଏ ନାତି ନାତୁଣୀ ଙ୍କ ସହ ଦିନ ତମାମ ଲାଗି ରହେ ସେ ପୁଣି ନାତି ନାତୁଣୀ ଙ୍କୁ ଭଲ ପାଏ ନାହିଁ ବୋଲି କହି ପାରିଲେ।
ସମସ୍ତେ ନବୀନଙ୍କ ଠାରୁ ଦୂରତାରେ ରହିବା ଆରମ୍ଭ କରି ଦେଇଥିଲେ ।

ଆଣ୍ଟିଜେନ ଟେଷ୍ଟ ରିପୋର୍ଟ କୁ ଭିତ୍ତି କରି ତାଙ୍କୁ ତଳେଥିବା ଆଉଟ ହାଉସରେ ରହିବିକୁ କୁହାଗଲା। ସେ ମଧ୍ୟ ବାଧ୍ୟ ପିଲାଟିଏ ପରି ଚାଲିଗଲେ। ଆରଟିପିସିଆର୍ ଟେଷ୍ଟ କରାଇବା ପାଇଁ କିଏ ସାଙ୍ଗରେ ଯିବ ଚିନ୍ତା ହେଇଗଲା। ଶେଷରେ କେହି ସାଙ୍ଗରେ ଗଲେ ନାହିଁ। ହସ୍ପିଟାଲ ରୁ ଲୋକ ଘରକୁ ଆସି ଟେଷ୍ଟ କଲେ ଓ ପଜିଟିଭ ବାହାରିବା କ୍ଷଣି ଆମ୍ବୁଲାନ୍ସ ଡକାଇ ପଠାଇ ଦେଲେ । ପାଖକୁ ଆସି ଭଲ ମନ୍ଦ ପଚାରିବା ପାଇଁ ବି କାହାର ଆଗ୍ରହ ରହିଲା ନାହିଁ। ଗଲା ବେଳେ ନବୀନ ବାବୁ ନିଜ ମୋବାଇଲଟା ନେବାକୁ ଭୁଲିଗଲେ ଯେ ତାକୁ ମଧ୍ୟ ଦେବାକୁ କେହି ଆସିଲେ ନାହିଁ। ଉଦାସ ମନରେ ତାଙ୍କର ହଠାତ୍ ବୈରାଗ୍ୟ ଭାବ ଆସିବାକୁ ଲାଗିଲା। ଆମ୍ବୁଲାନ୍ସ ରେ ଗଲାବେଳେ କିଛି ବୁଲା କୁକୁର ତାଙ୍କ ପଛରେ ଗୋଡ଼ାଇ ଗୋଡାଇ ଆସୁଥାନ୍ତି। ସେମାନଙ୍କୁ ସେ ପ୍ରତିଦିନ ସନ୍ଧ୍ୟାରେ ବିସ୍କୁଟ କିଣି ଖାଇବାକୁ ଦେଉଥିଲେ। ପଶୁ ପ୍ରକୃତିରେ ଏପରି ଆତ୍ମୀୟ ଭାବ ଦେଖି ତାଙ୍କ ଆଖି ସଜ୍ଜଳ ହେଇ ଉଠିଲା। ସେମାନେ କିଛି କହି ନ ପାରିଲେ ବି ସେ ସେମାନଙ୍କୁ ବେଶ ବୁଝି ପାରୁଥିଲେ। ମଣିଷର ସ୍ବାର୍ଥପରତା ଆଗରେ ବୁଲା କୁକୁର ଙ୍କ ମହାନତା ତାଙ୍କୁ ଦୃଷ୍ଟି ଗୋଚର ହେଉଥିଲା। ସେ ନିଜ ପକେଟ ରେ ପର୍ସ ଅଣ୍ଡାଳିଲେ। ମନେ ମନେ ଖୁସି ହେଲେ ଯାହା ହେଉ ପର୍ସ ଆଣିବାକୁ ଭୁଲି ନାହାନ୍ତି।
       
ଗୋପାଳ ବାବୁ ହସ୍ପିଟାଲରେ ସତର ଦିନ ରହିଲା ପରେ ଭଲ ହେଲେ  I ତାଙ୍କୁ ପୁରାପୁରି ସୁସ୍ଥ ଘୋଷଣା କରି ଡିସ୍ଚାର୍ଜ ପରେ ଘରକୁ ଯିବା ପାଇଁ ଅନୁମତି ଦିଆ ଗଲା I କଣ୍ଟ୍ରୋଲ ରୁମ ରୁ ବାରମ୍ବାର ଫୋନ ଯିବା ସତ୍ତ୍ୱେ ଘରୁ କେହି ପହଞ୍ଚି ନଥାନ୍ତି।
ସେ ହସ୍ପିଟାଲରୁ ବାହାରକୁ ଆସି ଦେଖନ୍ତି ତ ଏକ ନୂଆ ଦୁନିଆଁ ଯେମିତି ତାଙ୍କୁ ସ୍ଵାଗତ କରୁଛି I

ତାଙ୍କ ପିଲାମାନଙ୍କ ଗାଡି ତାଙ୍କୁ  ନବାକୁ ପହଁଚିବା ପୂର୍ବରୁ ସେ  ଅନ୍ୟ ଦିଗରେ ସେ ବାହାରି ଯାଇଥିଲେ I ସେ ଦିନଠାରୁ ତାଙ୍କୁ କେହି ଆଉ ଦେଖି ନାହାନ୍ତି I

ତାଙ୍କ ନିଖୋଜ ହବା ଖବର ପୋଲିସ ରେ ଦିଆ ହେଇଛି, ଖବର କାଗଜରେ ବି ଫଟୋ ସହ ପ୍ରକାଶ ପାଇ ସାରିଛି I ଖବରକାଗଜ ପଢି  ତାଙ୍କର ମନେ ପଡିଗଲା ଘର କଥା, ନିଜର ପରିବାର ର ଖୁସି ପାଇଁ ସେ କେତେ କଣ କରିଥିଲେ। କେତେ ଟଙ୍କା ଆନନ୍ଦରେ ଉଡେଇ ଦେଉଥିଲେ । ପିଲାମାନେ ଫେରିବା ଦିନ ବି ଟିକେ ଆଗରୁ ପହଞ୍ଚି ପାରିଲେ ନାହିଁ। କରୋନା କଣ ଭଲ ହେଲା ପରେ ବି ଆକ୍ରମଣ କରିବାର ସମ୍ଭାବନା ଅଛି। ତାହେଲେ ମୁଁ ଆଉ ଘରକୁ ଫେରିବି କାହିଁକି। ଯୋଉଠି ଉପସ୍ଥିତିର ଆଗ୍ରହ ନାହିଁ ସେଠି ଉପସ୍ଥାନ ମଧ୍ୟ ଉପକ୍ରମଣିକା ହେବାର ଯୋଗ୍ୟ ନୁହେଁ। ବରଂ ସଂସାରରୁ ସନ୍ୟାସ ନେଇଯିବା ଭଲ।
ନବିନ ବାବୁ - କଣ ଏତେ ଭାବୁଛନ୍ତି !
ଗୋପାଳ ବାବୁଙ୍କ ପ୍ରଶ୍ନରେ ନବିନ ବାବୁ ଚମକି ଉଠିଲେ ।
କଣ ହେଲା ଚୁପ୍ ରହିଲେ ଯେ - ମୋ ପ୍ରଶ୍ନର ଉତ୍ତର ଦେଲେ ନାହିଁ ।
ନବିନ ବାବୁ ସାମାନ୍ୟ ହସି କହିଲେ - ଉତ୍ତର କଣ ଦେବି ! ଭାବୁଥିଲି ଦୁନିଆଟା କେତେ ସ୍ଵାର୍ଥପର । ଏଠି କେହି କାହାର ନୁହନ୍ତି। ନିଜ ସ୍ଵାର୍ଥ ପାଇଁ ସମସ୍ତେ ବ୍ୟସ୍ତ ।
ଗୋପାଳ ବାବୁ ପ୍ରଶ୍ନିଳ ଦୃଷ୍ଟିରେ ଦେଖୁଥିଲେ ନବିନ ବାବୁଙ୍କୁ । କହିବେ  କି ନାଇଁ ଏହି ଦ୍ଵନ୍ଦ୍ଵରେ ରହି ଶେଷରେ କହିଲେ - ନବିନ ବାବୁ, କାହା ସ୍ଵାର୍ଥ କଥା କହୁଛନ୍ତି। ଏ ସ୍ଵାର୍ଥ କେବେ ବା ନଥିଲା ? ଆଗରୁ ବି ଏ ସ୍ଵାର୍ଥ ଥିଲା ଏବେ ବି ଅଛି ଓ ଏମିତି ରହିଥିବ। ଏଥିରେ ଏତେ ଆଶ୍ଚର୍ଯ୍ୟ ପ୍ରକାଶ କରିବାର କଣ ଅଛି !
ମାନେ ! ନବିନ ବାବୁ ପ୍ରଶ୍ନ କଲେ ।
କାହା ପାଖରେ ସ୍ଵାର୍ଥ ନାହିଁ କହିଲ । ମୋ ପାଖରେ ନାହିଁ ନା ତମ ପାଖରେ ନାହିଁ । ମାନବୀୟ ଚରିତ୍ର ଦୃଷ୍ଟିରୁ ସ୍ଵାର୍ଥ ଯେତେବେଳେ ଆଉ କାହାର ସ୍ଵାର୍ଥରେ ବାଧା ଦିଏ ସେତେବେଳେ ଜଣେ ଆଉ ଜଣଙ୍କୁ ସ୍ଵାର୍ଥପର ବୋଲି ଆରୋପ କରେ କିନ୍ତୁ ସେ ବୁଝି ପାରେ ନାହିଁ ଯେ ସେ ଯାହା କହୁଛି କେବଳ ତା ସ୍ଵାର୍ଥ ପାଇଁ କହୁଛି ।

ନବିନ ବାବୁଙ୍କ ଦୃଷ୍ଟି ଭଙ୍ଗି ବଦଳି ଗଲା । ସେ ଅନୁସନ୍ଧିତ୍ସୁ ହୋଇ ଗୋପାଳ ବାବୁଙ୍କୁ କହିଲେ - ତମେ ମୋର ବନ୍ଧୁ ବୋଲି ମୁଁ ଏମିତି କହିଦେଲି। ତାପରେ ତମେ ଏଇଠି ଆଶ୍ରମ କରି ଅଛ ବୋଲି ମୁ ମଧ୍ୟ ଏଠି ବାକି ଜୀବନ ଶେଷ କରିଦେବି ବୋଲି ଭାବିଲି । ମୋର କଣ ଏଥିରେ ସ୍ଵାର୍ଥ ଅଛି ମୁଁ ଜାଣି ପାରୁନି। ଆପଣଙ୍କ କଥାରୁ ଆପଣ ମୋତେ ହିଁ ସ୍ଵାର୍ଥପର ବୋଲି ଆକ୍ଷେପ କରୁଛନ୍ତି ବୋଲି ବୁଝି ପାରୁଛି ।
ଆରେ ନା ନା - ଏମିତି ଭାବନ୍ତୁ ନାହିଁ। ଗୋପାଳ ବାବୁ ତୁରନ୍ତ କଥାକୁ ସହଜ କରିବା ପାଇଁ କହିଲେ ।

ନବୀନ ବାବୁ କିନ୍ତୁ ବ୍ୟସ୍ତ ହେଇପଡି କହିଲେ, ଆପଣ ମୋତେ ସତ କୁହନ୍ତୁ ଗୋପାଳ ବାବୁ । ଆପଣଙ୍କ ମନରେ କିଛି ଗୋଟିଏ ତ ନିଶ୍ଚୟ ଅଛି। ଦୟାକରି ମୋତେ କୁହନ୍ତୁ । ଆପଣ ମୋର ବନ୍ଧୁ ହେଲେ ବି ମୋ ଆଖିରେ ଆପଣ ଜଣେ ଜ୍ଞାନୀ ଗୁଣୀ ଓ ମୁଁ ଆପଣଙ୍କୁ ଗୁରୁ ପରି ମାନେ। କିଛି ଗୋପନ ନରଖି ମୋତେ କୁହନ୍ତୁ । ମୋର ଯଦି ଚିନ୍ତାଧାରାରେ କିଛି ଭୁଲ୍ ଥାଏ ମୁଁ ନିଶ୍ଚୟ ନିଜକୁ ସଜାଡି ନେବି।

ଗୋପାଳ ବାବୁ ନବିନଙ୍କୁ ଭିନ୍ନ ଏକ ଦୃଷ୍ଟିକୋଣରୁ ଦେଖୁଥିଲେ।
ନବିନ ଗୋପାଳ ବାବୁଙ୍କୁ ପୁଣି ଥରେ ଅନୁରୋଧ କଲେ ।
କହିବାର ପ୍ରକୃତ ସମୟ ଆସି ଯାଇଛି ବୋଲି ଭାବି ଗୋପାଳ ବାବୁ ଆରମ୍ଭ କଲେ - ଦେଖନ୍ତୁ ନବିନ ବାବୁ ଆମର ପ୍ରସଙ୍ଗ ଉଠିଥିଲା ସ୍ଵାର୍ଥପର କଥାରୁ। ତମେ ଥରେ ଚିନ୍ତା କଲ ତମେ ଯୋଉ ପରିବାର ସହିତ ଏତେବାଟ ଆସିଲ କୋଉ କାରଣରୁ ହଠାତ୍ ବୀତସ୍ପୃହ ହେଇଗଲ । ଯୋଉ ବ୍ଯବହାର ଘର ସଦସ୍ୟ ମାନେ ଦେଖେଇଲେ, ସେଥିରେ ତମକୁ ବୋହୁତ ଆଘାତ ଲାଗିଲା। ସେୟାତ! ଟିକିଏ ଚିନ୍ତା କରି କହିଲ! ସତରେ ଏତେବଡ଼ ଭୁଲ ସେମାନେ କଣ କଲେ । ସରକାର ପ୍ରତି ମୂହୁର୍ତ୍ତରେ ଚେତାବନୀ ଦେଉଛନ୍ତି । ସାମାଜିକ ଦୂରତା ରଖିବା ପାଇଁ କୁହା ହେଉଛି। ସେଇଟା ତ ସରକାରଙ୍କର ଗାଇଡ ଲାଇନ୍। ସମସ୍ତେ ସେୟା କରିବେ। ସମସ୍ତଙ୍କ ସ୍ଵାସ୍ଥ୍ୟଗତ କାରଣରୁ ସେପରି ଦୂରତା ରଖିବା ମଧ୍ୟ ଉଚିତ୍ । ତମେ ନିଜେ ତମ ଆଡୁ ସେମାନଙ୍କୁ ପାଖକୁ ଆସିବା ପାଇଁ ବାରଣ କରିବାର ଥିଲା। ତମେ କିନ୍ତୁ ସ୍ଵାର୍ଥପର ହୋଇ ତାଙ୍କ ଠାରୁ ସେବା ଆଶା କଲ। ସେବା ନମିଳିବାରୁ ତମେ ଏହାକୁ ତମର ଅପମାନ ମନେକରି ଘର ଛାଡିଦେଲ। ଏଇଟା କଣ ମନର ଅହଙ୍କାର ନୁହେଁ । ନିଜକୁ ଅତିରିକ୍ତ ଭାବେ ଠିକ୍ ଭାବିବା ଓ ଅନ୍ୟର ଭୁଲ୍ ନିଜ ଆଖିରେ ଜଳ ଜଳ ହୋଇ ଦିଶିବା, ସେଥିରେ ପ୍ରତିକ୍ରିୟାଶୀଳ ହେବା, ଏସବୁ କଣ ନିଜ ଅହଂ ଭାବ ର ପ୍ରକାଶ ନୁହେଁ! ଯେଉଁ ବ୍ୟକ୍ତି ସାମୁହିକ ଭଲ ଚିନ୍ତା କରିଥାଏ ତାର ଦୃଷ୍ଟିକୋଣ କେବେ ଏପରି ହୁଏ ନାହିଁ। କାରଣ ସେ ନିଜ ସ୍ବାର୍ଥ ଅପେକ୍ଷା ଅନ୍ୟର ସ୍ଵାର୍ଥ କୁ ଆଗ ଗୁରୁତ୍ବ ଦେଇଥାଏ।
ମୁଁ କହୁନି ସେମାନଙ୍କ ବ୍ୟବହାର କରି ସମ୍ପୂର୍ଣ୍ଣ ଠିକ ଥିଲା। ସେମାନେ ନିଜ ଆଚରଣକୁ ଆହୁରି ମାର୍ଜିତ କରି ପାରିଥାନ୍ତେ ଯାହା ସେମାନେ କରି ପାରି ନାହାନ୍ତି। ସେଥିପାଇଁ ସେମାନଙ୍କୁ ସତଶିକ୍ଷା ଦେବା ଯାଗାରେ ଏତେ ପ୍ରତିକ୍ରିୟାଶୀଳ ହେବା କଣ ଠିକ୍।
ତମର ଆଜି କରୋନା ନେଗେଟିଭ ହେଲା ବୋଲି ତମେ ଏତେ ଦୃଢତାର ସହ କହି ପାରୁଛ ଓ କାହାର କିଛି କ୍ଷତି ହେଇ ନାହିଁ ବୋଲି ଭାବି ପାରୁଛ । ଥରେ ଚିନ୍ତା କଲ ଯଦି ତମର ପଜିଟିଭ୍ ହେଇଥାନ୍ତା ଓ ତମ ପୁଅ ବୋହୁ ନାତି ନାତୁଣୀ ସମସ୍ତେ ଏ ରୋଗରେ ଆକ୍ରାନ୍ତ ହେଇଥାନ୍ତେ ତାହେଲେ ଏବେ ଯାହା ଭାବୁଛ କଣ ସେୟା ଭାବି ପାରନ୍ତ ! କେବେ ନୁହେଁ। ତମେ ନିଜକୁ କେବେ ବି କ୍ଷମା କରି ପାରି ନଥାନ୍ତ।

ଗୋପାଳ ବାବୁ ପରିସ୍ଥିତି କୁ ହାଲୁକା କରିବା ପାଇଁ ଆଉ ଟିକିଏ ସଜାଡି ହୋଇ ବସିଗଲେ ତାପରେ ଟିକେ ହସି କହିଲେ - ନବୀନ ବାବୁ ! ଜାଣିଛନ୍ତି ତମକୁ ଘରେ ସମସ୍ତେ ମନେ ପକାଉଥିବେ। ତମ ସ୍ନେହର କଣ ସେମାନେ ହକଦାର୍ ନୁହନ୍ତି । ତମେ ଯେମିତି ବୁଲା କୁକୁରକୁ ସ୍ନେହ ଦେଇ ନିଜର କରି ପାରିଛ । ସେମାନେ ବି କୁକୁର ଗୋଟେ ଆଣି ସ୍ନେହ ଦେଇ ନିଜର କରି ପାରିବେ। ସେ କୁକୁର କେବେ ତାଙ୍କୁ ଛାଡି ଯିବ ନାହିଁ। ତା ମାନେ କଣ ସେମାନେ କହିବେ ଯେ ତମେ କୁକୁର ଠୁ ବି ହୀନ। ନା କେବେ ନୁହେଁ । ତେଣୁ ସେମିତି ତୁଳନା ବା କଳ୍ପନା କେବେ କର ନାହିଁ । କୁକୁର ର ମାନସିକତା ଓ ମଣିଷର ମାନସିକତା ସମାନ ନୁହେଁ।
ଗୋପାଳ ବାବୁ ମନ ପକାଇବା ଭଙ୍ଗୀରେ ସ୍ମରଣ କରି କହିଲେ - ତମେ ଏଠାରେ ସବୁଦିନ ଗୀତା ପଢୁଚ। ମୁଁ ଆଜି ତୁମକୁ ଗୀତାର ଗୋଟିଏ ସୁନ୍ଦର ଶ୍ଳୋକ ଶୁଣାଉଛି।

ନବୀନ ବାବୁ ମନୋନିବେଶ କୁ ଦୃଢ କରିବା ପାଇଁ ନିଜକୁ ଆଉ ଟିକେ ସ୍ଥିର କରିବାକୁ ଚେଷ୍ଟା କଲେ।
ଗୋପାଳ ବାବୁ ଗୀତା ର ଶ୍ଳୋକ ଆରମ୍ଭ କଲେ -
ନ ହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ
ତତ୍ ସ୍ଵୟଂ ଯୋଗ ସଂସିଦ୍ଧଃ କାଳେ ନାତ୍ମନି ବିନ୍ଦତି।

ତମେ ଏହାର ଅର୍ଥ ଜାଣିଛ ନବୀନ ବାବୁ। ତଥାପି ଅର୍ଥ କୁ ପୁନଃ ପୁନଃ ମନ୍ଥନ କଲେ ଜୀବନ ଶୈଳୀରେ ତାର ପ୍ରଭାବ ପଡିଯାଏ। ସେଥିପାଇଁ ମୁଁ ଆଉଥରେ ସ୍ମରଣ କରେଇ ଦେଉଛି।
ଏହି ସଂସାରରେ ଜ୍ଞାନ ପରି ପବିତ୍ର କିଛି ନାହିଁ। କିନ୍ତୁ ସଂଯମତା ହିଁ ଜ୍ଞାନ ଆହରଣ କରିବାର ପ୍ରକୃଷ୍ଟ ଉପାୟ। ମନକୁ ଉତକ୍ଷିପ୍ତ କରାଇଲେ ସଂଯମତା ହରାଇବା ସ୍ଵାଭାବିକ ଓ ଜ୍ଞାନ ଆହରଣ କରିବାରେ ପ୍ରତିବନ୍ଧକ। ସେଥିପାଇଁ ଏପରି କହିଲି। ବାକି ତମର ଇଛା।

- ଦୀର୍ଘ ନିଃଶ୍ଵାସ ପକାଇ ନବିନ ବାବୁ କହିଲେ, ତାହେଲେ ମୋର ଭୁଲ ହେଇଗଲା ।
- ଚିନ୍ତା କରନି ନବିନ ବାବୁ, ଯୋଉ ମଣିଷ ନିଜ ଅହଙ୍କାରକୁ ବୁଝିପାରେ ତାର ଚେତନାର ଉର୍ଦ୍ଧ୍ଵଗତି ଆରମ୍ଭ ହେଲା ବୋଲି ଜାଣ। ମୋ ମତରେ ତମେ ଏବେ ଘରକୁ ଯାଅ। ସମସ୍ତଙ୍କୁ ଆଶ୍ଵାସନା ଦିଅ କି ତମେ କାହା ଉପରେ ଦୁଃଖୀ ନୁହଁ । କିଛି ଦିନ ସମସ୍ତଙ୍କୁ ଭଲ ପାଇ ଆନନ୍ଦରେ ସମୟ କାଟ। ତାପରେ ସମସ୍ତଙ୍କ ଜ୍ଞାତସାରରେ ନିଜ ଇଛା ହେଲେ ମୋ ଆଶ୍ରମକୁ ପୁଣି ଫେରି ଆସିଲେ ମନରେ କୌଣସି ଅବଶୋଷ ନଥିବ ଓ ସାଧନା ପଥରେ ଆଉ କୌଣସି ବ୍ୟାଘାତ ଆସିବ ନାହିଁ ।
ନବିନ ବାବୁ ଉଠି ଠିଆ ହେଲେ । କହିଲେ, ତାହେଲେ ମୋର ଆଉ ବିଲକୁଲ ବିଳମ୍ବ କରିବା ଉଚିତ୍ ନୁହେଁ ।
ଗୋପାଳ ବାବୁ ହସି ହସି କହିଲେ - ବିଲକୁଲ୍ ନୁହେଁ। ସଂସାର କ୍ଷେତ୍ରରୁ ଅସନ୍ତୋଷରେ ପଳାତକ ହେଇ ରହିବା ଅପେକ୍ଷା ପଳାତକର ପ୍ରତ୍ୟାଗମନ ହେଲେ ଅସୁବିଧା କଣ! ନବିନ ବାବୁ ବି ପୂର୍ଣ୍ଣ ସନ୍ତୋଷରେ ସମର୍ଥନ କରି ହସି ପକାଇଲେ ।


ପ୍ରଶାନ୍ତ କୁମାର ହୋତା
Nayapally, Krishna Residency
Bhubaneswar



Post a Comment

0 Comments