ଭକ୍ତ ବିନା ଜଗନ୍ନାଥ - ରଞ୍ଜନ କୁମାର ପଣ୍ଡା




ଭକ୍ତ ବିନା ଜଗନ୍ନାଥ କରିବେ ଯାତରା
କି ହେଲା ଏ କଳିକାଳ ସବୁ ଆଗତୁରା ।
ଘୋଷଣା ସରିଲା ଆଜି ସରକାରଙ୍କର
ଭକ୍ତ ମନ ଦୁଃଖ ହେଲା ଜୀବନ ଅସ୍ଥିର ।
ଭକ୍ତ ବନ୍ଧୁ ଜଗନ୍ନାଥ ଯାଇଛନ୍ତି ଋଷି
ବିନା ଭକ୍ତେ ରଥଯାତ୍ରା ପାଇଁ ବୋଧେ ଖୁସି ।
ଦଇତା ସେବକ ହସ୍ତେ ଟଣାହେବେ ପ୍ରଭୁ
ଜନ ସମାଗମ ଠାରୁ ଦୁରେଇବେ ବିଭୁ ।
ମାନବର କର୍ମ ଦେଖି ଅଭିମାନ କଲେ
ଦଇତା ସେବକଙ୍କୁ ଆପଣା ମଣିଲେ ।
ମାନବ ସ୍ଵଭାଵ ଛାଡି ଦାନବ ସାଜିଲା
ସେଥିପାଇଁ ପ୍ରଭୁଙ୍କର ମନ ଉଣା ହେଲା ।
ହିଂସା ଇର୍ଷା ମନୋଭାବେ ମାନବ ଚଳଣି
ଦେଖି ଦେଖି ବଦଳିଲେ ପ୍ରଭୁ ଚକ୍ରପାଣି।
ଭକତଙ୍କୁ ଛାଡିଲେଣି ନିଜ ମନ୍ଦିରକୁ
ଯାତ୍ରା ଆରମ୍ଭିଲେ ନେଇ ଆପଣା ଲୋକଙ୍କୁ ।
ବଦଳିବା ପାଇଁ ଦେଲେ ଅନେକ ଆଘାତ
ତଥାପି ନ ବଦଳିଲା ଏ ସାରା ଜଗତ ।
ତେଣୁ ପ୍ରଭୁ ଜଗନ୍ନାଥ ଅଭିମାନ କଲେ
ବିନା ଭକ୍ତେ ରଥଯାତ୍ରା ଆରମ୍ଭ କରିଲେ ।
ତ୍ରାହି ତ୍ରାହି ଡାକ ଦିଅ ଭକତ ମଣ୍ଡଳୀ
ଡାକ ଶୁଣି ପ୍ରଭୁ ତୋର ହେବେ ପୂର୍ବ ଭଳି ।
ହଟିବ ଦୁର୍ଗତି ଭାଇ ହସିବ ଜଗତ
ମହାମାରୀ ସଙ୍କଟରୁ ହୋଇବୁ ମୁକତ ।
ବଦଳାଅ ଘୃଣ୍ୟ କର୍ମ ବଦଳାଅ ମନ
ଦେଖିବ ଜଗତ ପୁଣି ହେବ ଛନ ଛନ ।
ଦୁଃଖ ସବୁ ଦୁରେଇବେ ପ୍ରଭୁ ଜଗନ୍ନାଥ
ଦୁଃଖି ଜନେ ସାହା ହେବେ ଅନାଥର ନାଥ ।
ଡାକ ଦେବେ ପୁଣି ଥରେ ଆସ ଆସ ବୋଲି
ସିଂହଦୁଆର ମୋହର ଦେଇଅଛି ଖୋଲି ।
ଭକ୍ତ ବନ୍ଧୁ ବିଜେ ହେବେ ଆନନ୍ଦ ମନରେ
ରଥଯାତ୍ରା ପୁଣି ହେବ ଭକତ ମେଳରେ ।


          ରଞ୍ଜନ କୁମାର ପଣ୍ଡା
                କୋରାପୁଟ

Post a Comment

0 Comments