ତୁମ ବିନା ମୋର ଚଉଦିଗ ଅନ୍ଧାର
ଦିନ ଲାଗେ ରାତି ପରି
ପାଦ ତଳୁ ଖସିଯାଏ ମାଟି
ସତେକି ମୂଳ ବିହୀନ ମୁଁ ଥୁଣ୍ଟା ବରଗଛ ଟିଏ ।
ମିଛର ତୀର୍ଥଭୂମିରେ
ସତ ଯାତ୍ରୀମାନେ ଅଧା ବାଟରେ
ହୁଅନ୍ତି ଅବାଟିଆ
ବିଶ୍ଵାସର କଅଁଳ ଖରା ଧୋକା ଦିଏ
ସବୁଜ ସକାଳ ବେଳାଭୂମିରେ
ତଥାପି ମୁଁ ନିର୍ବାକ ।
ସହଜେ ହାରିବା ମୋ ଜାତକରେ ନାହିଁ
ଡରିବାର ଲୋକ ନୁହେଁ
କେହି ନ ଜାଣିଲେ ତୁମେ ତ ଜାଣ,
କାଉଁରିଆ କାଠି ପରି ଭାଙ୍ଗି ଯିବି ପଛେ
ବେତ ଖଣ୍ଡେ ମୁଁ ହୋଇ ପାରିବିନି
ସଂଘର୍ଷ କରି ଯାଇପାରେ ହାରି
ପରାଜୟ ଆଗରୁ
ପଛକୁ ଫେରି ପାରେନା ।
ଆସୁ ଯେତେ ଝଡ଼ ବତାସ
ଅଦିନରେ ଅକାରଣେ ମୋ ପାଇଁ
ନଈ ମଝିକୁ ଡେଇଁବା ଶିଖିଛି ତୁମ ଠାରୁ
ଅଛିଣ୍ଡା ଭାଗକ୍ରିୟାରେ
ଭାଗଶେଷ ହେବା ମୋର ଆଦତ,
ଏକ ଘରିଆ ହେବାକୁ ରାଜି
ସାଲିସ୍ କରି ବଞ୍ଚିବା ଜାଣେନି ବୋଲି
ଭୋକର ରାଜୁତିକୁ ସହି ନେଇଛି
ଯାତନା ବନ୍ଦୀ ଶାଳାରେ
କାହା ପାଖେ ପାତି ନାହିଁ ହାତ
ଦେଖାଇନି କାହାକୁ ମୋର ସୁଖିଲା ପେଟ ।
ସେଥିପାଇଁ ମୁଁ ସମ୍ପୂର୍ଣ୍ଣ ଭିନ୍ନ
ନୂଆ ଇତିହାସ ଲେଖିବାର ନିଶାରେ
ଅନ୍ଧକାରକୁ ଭଲ ପାଇଛି
ଆଲୋକ ଠାରୁ ଦୂରରେ ଥାଇ,
ନିଜ ସହ ନିଜର କଥାଚିତ୍ର
ଦେଖି ଆସୁଅଛି
ତୁମ ଗଲା ପର ପହିଲା ଦିନରୁ
ସାଥି କରି ନିଜର ଛାଇକୁ ।
ବାଁଶଡା, ଧାମରା, ଭଦ୍ରକ
ମୋ -୭୮୭୩୧୪୮୧୨୪




0 Comments