କଟକ ଜିଲ୍ଲାର ସତ୍ଯଭାମା ପୁରେ
ହୋଇଥିଲ ତୁମେ ଜାତ
ପିତା ରଘୁନାଥ ବଡ ନ୍ଯାୟବନ୍ତ
ପାର୍ବତୀ ଦେବୀଯେ ମାତ।
ପିଲାଟି ଦିନରୁ ତୁମରି ପ୍ରତିଭା
ଜଣାପଡୁଥିଲା ଫୁଟି
ଓଡିଆଙ୍କ ପାଇଁ ପ୍ରାଣ କାନ୍ଦୁଥିଲା
ଛାତି ଯାଉଥିଲା ଫାଟି।
ଛାତ୍ର ଜୀବନରୁ ରଚିଲ ସଂଗ୍ରାମ
ଇଂରେଜ ବିରୁଦ୍ଧେ ରହି
ଉତ୍କଳ ମାତାର ଦୁଃଖ ନିରନ୍ତର
ପାରିଲନି ତୁମେ ସହି।
ଉତ୍କଳର ତୁମେ ପ୍ରଥମ ସ୍ନାତକ
ଇଂଲଣ୍ଡକୁ କଲ ଗସ୍ତ
ମଧୁ ବାରିଷ୍ଟର ନାମରେ ତୁମେହେ
ଘରେଘରେ ପରିଚିତ।
ଉତ୍କଳ ମାତାର ଖଣ୍ଡ ବିଖଣ୍ଡିତ
ରୁପଦେଖି ହତବାକ
ସ୍ବତନ୍ତ୍ର ଓଡିଶା ଗଠନ ନିମନ୍ତେ
ଦେଇଥିଲ ତୁମେ ଡାକ।
ଉତ୍କଳ ସଭାକୁ ଗଠନ କରିଲ
ଓଡିଶା ଉଦ୍ଧାର ପାଇଁ
ଜାତି ନନ୍ଦିଘୋଷ ଗଡାଇବା ପାଇଁ
ସମସ୍ତେ ଉଠିଲେ ଚେଇଁ।
ଓଡିଆ ଭାଷାକୁ ଉଜ୍ଜୀବିତ କରି
କହିଗଲ କାନେକାନେ
ତୁମ ଯଶ କୀର୍ତ୍ତି ଯୁଗଯୁଗ ପାଇଁ
ରହିଗଲା ଆମ ମନେ।
ଜନ୍ମ ଜୟନ୍ତୀରେ ଦିଅହେ ଆଶିଷ
ଓଡ଼ିଆର ରହୁ ଟେକ
ଉତ୍କଳ ସନ୍ତାନ ଉତ୍କଳ ମାତାକୁ
ମାଆ ମାଆ ବୋଲି ଡାକ।
ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର, ନୟାଗଡ଼



0 Comments