ପବନ - ବାସନ୍ତୀ ଲତା ଜେନା



ଶରତ ଆକାଶେ ନିର୍ମଳ ଜ୍ୟୋଛନା 
     ମୃଦୁ ପବନ କହୁଛି 
ଜଗତ ଜନନୀ ଆବିର୍ଭାବ ହେବେ 
     କାଶତଣ୍ଡୀ କହୁ ଅଛି    ।୧।
  
ପବନ ଗାଉଛି ଗୁଣୁ ଗୁଣୁ ଗୀତ 
      କୋଇଲି କୁହୁ କହୁଛି 
ବସନ୍ତର ଶୁଭ ଆଗମନ ବେଳେ 
      ବଉଳ ବାସ୍ନା ହେଉଛି     ।୨।

 ବାୟୁ ଗତି କଲେ ପବନ କହନ୍ତି 
      ଦେହକୁ ଲାଗେ ଆରାମ 
ପ୍ରକୃତି ଯେବେ ଅସନ୍ତୁଳନ ହୁଏ 
       ପ୍ରଭଞ୍ଜନ କରେ କାମ     ।୩।

ଗ୍ରୀଷ୍ମର ପ୍ରଭାବେ ନିଆଁ ଝୁଲ ଝରେ 
        ପବନ ବହଇ ତାତି 
ଝାଞ୍ଜି ପବନରେ ଦେହ ଜଳି ଯାଏ 
      ଜଟିଳ ହୁଅଇ ସ୍ଥିତି    ।୪।

ମାଘ ମାସ ଜାଡ ଶୀତଳ ପବନ 
    ଦେହକୁ ଥରାଇ ଦିଏ 
ସୋଏଟର ଚାଦର ଘୋଡେଇ ହେବାକୁ 
       ମନ ଭାରି ହେଉ ଥାଏ   ।୫।

ବୈଶାଖୀ ପବନେ ମାଟି ଦେହ ଶୁଖେ 
      ପହିଲି ବର୍ଷା ତ ପାଏ          
ଭିଜା ମାଟି ବାସ୍ନା ପବନରେ ଆସେ 
     ମନ ପୁଲକିତ ହୁଏ   ।୬।

କିଶୋର କିଶୋରୀ ବର୍ଷାରେ ଭିଜନ୍ତି 
    ନାଚନ୍ତି ପବନ ସାଥେ 
ଶ୍ରାବଣୀ ଲେଖୁଛି ପ୍ରିୟତମେ ଚିଠି 
     ବାହକ ସମୀର ପଥେ      ।୭।

ସଲୁ ସୁଲୁ ବାଆ ସରସ ସୁନ୍ଦର 
      ବସନ୍ତର ଆଗମନ 
ସମୁନ୍ଦ୍ରର ତରୀ ନାଉରୀ ଚଳାଏ 
      ଅନୁକୂଳେ  ଶୁଭ ଦିନ     ।୮।

ପବନକୁ କେହି ଦେଖି ପାରେ ନାହିଁ 
      ଅନୁଭଵ ଖାଲି ଜଣା 
ଆତ୍ମା ପରି ସିଏ ଦେଖା ତ ନ ଯାଏ 
       ସୃଷ୍ଟିର ସେତ ପୁରୁଣା  ।୯। 

ପବନ ଅଟଇ ପ୍ରାଣ ବାୟୁ ପରା 
      ତା ' ପାଇଁ ଜୀବନ ଅଛି 
ବାୟୁ ଥମି ଗଲେ ଜୀବ ମୃତ ହୁଏ 
     ଶବେ ନାହିଁ କାମ କିଛି  ।୧୦।

 ବାସନ୍ତୀ ଲତା ଜେନା 
 ଗାନ୍ଧିନଗର, ନବରଙ୍ଗପୁର ।

Post a Comment

0 Comments