କର୍ମ-ଜ୍ଞାନ-ଭକ୍ତି ଓ ପରମାତ୍ମାଙ୍କ ସତ୍ତା - ସୁଚିତ୍ରା ବେହେରା



  ହିନ୍ଦୁ ଧର୍ମର ସର୍ବଶ୍ରେଷ୍ଠ ଓ ପବିତ୍ର ଧର୍ମ ଗ୍ରନ୍ଥ ହେଉଛି ଶ୍ରୀମଦ୍ ଭଗବତ୍ ଗୀତା।ସମସ୍ତ ତତ୍ତ୍ବ ଜ୍ଞାନରେ ପରିପୂର୍ଣ୍ଣ ଏହି ଧର୍ମ ଗ୍ରନ୍ଥରେ ବର୍ଣ୍ଣିତ ତିନୋଟି ଷଟକ;କର୍ମଯୋଗ,ଭକ୍ତିଯୋଗ ଓ ଜ୍ଞାନଯୋଗ।ଯୋଗ ଅର୍ଥାତ୍ ଆତ୍ମା ସଂଗେ ପରମାତ୍ମାଙ୍କ ସଂଯୋଗ,ତାହା ପୁଣି ନିରନ୍ତର। ଯାହା ଠାରେ ଏଭଳି ଆଚରଣ ପ୍ରକାଶ ପାଏ ସେ ହୁଏ ପରମଭକ୍ତ।କର୍ମ,ଜ୍ଞାନ ଓ ଭକ୍ତି କ୍ଷେତ୍ରରେ ପ୍ରତ୍ୟେକ ମୁହୂର୍ତ୍ତରେ ପରମାତ୍ମାଙ୍କ ସହ ସଂଯୋଗ ବା ପରମାତ୍ମାଙ୍କ ସତ୍ତାକୁ ଉପଲବ୍ଧି କରିବା ହିଁ ଯଥାର୍ଥ ଅଟେ।କର୍ମ,ଜ୍ଞାନ ଓ ଭକ୍ତି-ଏହି ତିନୋଟି ଯାକର ମହତ୍ତ୍ବ ବହୁତ ଅଧିକ।କାରଣ କର୍ମ ବିହୀନ ଜୀବନର ମୂଲ୍ୟବୋଧ କିଛି ନଥାଏ।ଭକ୍ତି ବିନା ଜୀବନର ସାର୍ଥକତା କିଛି ନଥାଏ।ଜ୍ଞାନ ହେଉଛି ମାର୍ଗଦର୍ଶକ।ଭଗବାନଙ୍କୁ ଜାଣିବା ପାଇଁ,ସଂସାର କର୍ମ ଓ ସୃଷ୍ଟିର ନିୟମକୁ ବୁଝିବା ପାଇଁ ଆତ୍ମଜ୍ଞାନର ଆବଶ୍ଯକତା ରହିଛି।ତେଣୁ ଜ୍ଞାନ ବିନା ଜୀବନରେ ସତ୍ଯର ମାର୍ଗଦର୍ଶନ ହୋଇ ନଥାଏ।
   ମାନବ ଯାହା କର୍ମ କରେ ସେଥିପାଇଁ ଜ୍ଞାନ ହିଁ ତାକୁ ସମସ୍ତ ପରାମର୍ଶ ଦେଇଥାଏ।କେଉଁ କର୍ମ ବିହିତ କର୍ମ ଆଉ କେଉଁଟା ଅବିହିତ କର୍ମ ତା'ର ସୂଚନା ଜ୍ଞାନରୁ ହିଁ ମିଳେ।ଜ୍ଞାନୋଦୟ ହେଲାପରେ ସେ ଅବିହିତ କର୍ମ ଠାରୁ ଉର୍ଦ୍ଧ୍ବକୁ ଚାଲିଯାଏ।ସତ୍ଯ ମାର୍ଗର ସନ୍ଧାନ ପ୍ରାପ୍ତି ହୋଇଥାଏ।ସେ ସମସ୍ତ ବିହିତ କର୍ମରେ ନିଜକୁ ନିଯୋଜିତ କରିଦିଏ।ପରମାତ୍ମା ଈଶ୍ବରଙ୍କୁ ଭକ୍ତି କରିବାର ମାର୍ଗ ମଧ୍ଯ ଏହି ଜ୍ଞାନରୁ ହିଁ ମିଳିଥାଏ।ମାର୍ଗଦର୍ଶନ ହେଲା ପରେ ଈଶ୍ବରଙ୍କ ସତ୍ତାକୁ ବୁଝିବାରେ ସାମର୍ଥ୍ଯ ଆସିଯାଏ ନିଜ ଭିତରେ।ପ୍ରତ୍ୟେକ କ୍ଷୁଦ୍ର କଣିକା ମଧ୍ଯରେ ବୃହତ୍ତର ସନ୍ଧାନର ପ୍ରାପ୍ତି ହୁଏ।କର୍ମ,ଜ୍ଞାନ ଓ ଭକ୍ତିର ସମ୍ମିଶ୍ରଣରେ ଈଶ୍ବରଙ୍କ ସତ୍ତାକୁ ଉପଲବ୍ଧି କରିବା ସହଜ ହୋଇଥାଏ।ପରମାତ୍ମା ଈଶ୍ବରଙ୍କ ଅଦୃଶ୍ଯ ଶକ୍ତିରେ ପରିଚାଳିତ ବିଶ୍ବବ୍ରହ୍ମାଣ୍ଡର ସତ୍ଯତାକୁ ଅନୁଭବ କରିହୁଏ।
  ଏହା ସତ୍ଯ ଯେ,ପ୍ରତ୍ୟେକ ଆତ୍ମା ଭିତରେ ପରମାତ୍ମାଙ୍କ ଅବସ୍ଥାନ।ମାତ୍ର ପରମାତ୍ମା ଈଶ୍ବର ନିୟତିର ଅଧୀନ କରିଛନ୍ତି ସମସ୍ତ ପ୍ରବୃତ୍ତିକୁ।ମଣିଷ ଏକାକୀ ଜନ୍ମ ଲାଭ କରି ଏକାକୀ ମଧ୍ଯ ମୃତ୍ଯୁ ଲାଭ କରେ।ତେଣୁ ଏ ଅଳୀକ ସଂସାରରେ କୋଣସି ବସ୍ତୁ ନୁହେଁ,  ଆତ୍ମା ହିଁ ଏକମାତ୍ର ସତ୍ଯ।ପରମାତ୍ମା ହେଉଛନ୍ତି ମହା ସତ୍ୟ।ସବୁ ମାୟାର ଅଧୀନ ହୋଇ ମାନବ ଏ ସଂସାରରେ ଘୂରି ବୁଲେ। ହେଲେ କିଛି ବି ସାଙ୍ଗରେ ନେଇ ଯାଏନାହିଁ। କର୍ମ ହିଁ ଏଇ ସଂସାରରେ ତା'ର ପରିଚୟ ହୋଇଥାଏ।ଇନ୍ଦ୍ରିୟାସକ୍ତ ହୋଇ ସଂସାର କର୍ମରୁ ଉର୍ଦ୍ଧ୍ବକୁ ନଯିବା ପାଇଁ ପରମାତ୍ମା ଈଶ୍ବର ମାନବକୁ ଯେଉଁ ଆତ୍ମଜ୍ଞାନ ପ୍ରଦାନ କରିଛନ୍ତି ତାହାକୁ ନିଜ ଚେତନା ମଧ୍ଯରୁ ଅନୁଭବ କରିବାକୁ ହୁଏ।କାରଣ ମନୁଷ୍ଯ ଯାହା କର୍ମ କରେ ତାହା ତା'ର ଚେତନା ଦ୍ବାରା ନିର୍ଦ୍ଦେଶିତ ହୋଇଥାଏ।
  ପୁଣ୍ଯ କର୍ମ ପାଇଁ ପ୍ରଥମେ ଆତ୍ମଶୁଦ୍ଧି ଓ ଆତ୍ମଜ୍ଞାନର ଆବଶ୍ଯକ ହୋଇଥାଏ।ଆତ୍ମଶୁଦ୍ଧି ନହେଲେ କର୍ମ ଶୁଦ୍ଧି ମଧ୍ଯ ହୁଏ ନାହିଁ।କର୍ମ ଶୁଦ୍ଧି ନହେବା ଯାଏଁ ମାନବ ଜନ୍ମର ସାର୍ଥକତା ମିଳେନାହିଁ।ଈଶ୍ବର ପ୍ରାପ୍ତି ମଧ୍ଯ ସମ୍ଭବ ହୁଏ ନାହିଁ।ଏହି ହେତୁ ଚେତନାରେ ଶୁଦ୍ଧତା ଆସିବା ଦ୍ବାରା ମାନବ ପୁଣ୍ଯ କର୍ମ କରିବାକୁ ମାର୍ଗଦର୍ଶୀ ହୋଇଥାଏ। ପ୍ରକୃତ ବାସ୍ତବ ସତ୍ଯକୁ ଉପଲବ୍ଧି କରିପାରେ। ତେଣୁ ମନୁଷ୍ଯର ସମ୍ବଳ ହେଉଛି କେବଳ ତା'ର କର୍ମ।ଏହି କର୍ମବାଦ ସମ୍ପର୍କରେ ଭାଗବତରେ କୁହାଯାଇଛି-
      ଏ ଜୀବ ନିଜ କର୍ମଫଳ
      ଭୁଞ୍ଜଇ ରହି ଏ ସୟଳ। 
      କର୍ମର ମତେ ସୁଖ ଦୁଃଖ
      ଜନ୍ମ ମରଣ ହାୟେ ଦେଖ।
      କର୍ମଟି ସୁଖ ଦୁଃଖ ଦାତା
      ବିଶ୍ବ ସଂସାରେ ବଳବନ୍ତା।
  ଯେଉଁ କର୍ମ ବର୍ତ୍ତମାନରେ ହାତରେ ନିହିତ ଥାଏ ତାହା ସବୁଠାରୁ ମହତ୍ତ୍ବପୂର୍ଣ୍ଣ ହୋଇଥାଏ।ଯିଏ ସାଂଗରେ ରହି କର୍ମ କରେ ସେ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ବ୍ଯକ୍ତି ହୋଇଥାଏ। ଉପସ୍ଥିତ ସମୟ ହିଁ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ମୁହୂର୍ତ୍ତ ହୋଇଥାଏ।ତେଣୁ ଏସବୁ ବ୍ୟର୍ଥ କରିବା ସର୍ବଦା ଅନୁଚିତ।କର୍ମ ଅନୁଯାୟୀ କର୍ମଫଳ ପ୍ରାପ୍ତି ହୋଇଥାଏ।ଉଚିତ୍ କର୍ମ ପାଇଁ ସୁଫଳ ଏବଂ ଅନୁଚିତ କର୍ମ ପାଇଁ କୁଫଳ ମିଳିବା ବିଧିର ବିଧାନ ଅଟେ।ଏହି ହେତୁ ଆତ୍ମଜ୍ଞାନ ଓ ଆତ୍ମଶୁଦ୍ଧି ହିଁ ଉଚିତ୍ କର୍ମ କରିବାକୁ ଦିଗଦର୍ଶନ ଦେଇଥାଏ।
  ଆତ୍ମଶୁଦ୍ଧି ଅର୍ଥାତ୍ ଚେତନାରେ ଶୁଦ୍ଧତା ଆଣିବା ପାଇଁ ଆତ୍ମଜ୍ଞାନ ଜରୁରୀ ହୋଇଥାଏ।ଆତ୍ମାର ଅନୁଶୀଳନ କରିବା ଅର୍ଥ ଚେତନା ମଧ୍ଯରୁ ସମସ୍ତ ବଦଗୁଣକୁ ପରିତ୍ଯାଗ କରିବା।ଇନ୍ଦ୍ରିୟକୁ ଦମନ କରି ନିୟତ କର୍ମ କଲେ ବିବେକ ତଥା ସତ୍ ଜ୍ଞାନର ଉଦ୍ରେକ ହୋଇଥାଏ। ଆତ୍ମା କୌଣସି ବସ୍ତୁ କି ପଦାର୍ଥ ନୁହେଁ ଯାହାକୁ ପରିଷ୍କୃତ ବା ଶୁଦ୍ଧ କରିବା ପାଇଁ କୌଣସି କୌଶଳ କିମ୍ବା ପଦ୍ଧତିର ଆବଶ୍ଯକତା ରହିଅଛି।ଆତ୍ମା ବା ବ୍ରହ୍ମ ହେଉଛି ଏକ ଚେତନା।ଏକ ସଜୀବ କ୍ରିୟା।ଯାହାର କ୍ଷୟ ନାହିଁ କି ଅନ୍ତ ମଧ୍ଯ ନାହିଁ। ଯାହାକୁ ଦେଖିହୁଏ ନାହିଁ।ମାତ୍ର ଅନୁଭବ କରିହୁଏ।ଶରୀର ଧାରଣ କରି କର୍ମ କରୁଥିବା ପ୍ରତ୍ୟେକ ଜୀବ ମଧ୍ଯରେ ଏହି ଆତ୍ମା ବିଦ୍ୟମାନ।କର୍ମ ଶେଷ ପରେ ଶରୀରର ମୃତ୍ଯୁ ହୁଏ।ହେଲେ ଆତ୍ମାର ମୃତ୍ଯୁ ଘଟେ ନାହିଁ।ଆତ୍ମା ସର୍ବଦା ଜୀବନ୍ତ।ପରମାତ୍ମା ଭଗବାନଙ୍କ ନିର୍ଦ୍ଦେଶରେ ମୃତ୍ଯୁ ପରେ ଶରୀର ଠାରୁ ଆତ୍ମା ପୃଥକ୍ ହୁଏ।ଭିନ୍ନ ଏକ ଜନ୍ମ ବୃତ୍ତାନ୍ତ ହୁଏ।ତେଣୁ ଆତ୍ମା ହେଉଛି ଅବିନାଶୀ,ଅମର ଓ ଅକ୍ଷୟ।ଆତ୍ମା ବିହୀନ ଶରୀର ମୃତ ଶରୀର ଅଟେ।
  ଆତ୍ମଶୁଦ୍ଧି ପାଇଁ ଚେତନାରୁ କୁଟୀଳତା ପରିତ୍ଯାଗ କରି ସରଳ ହେବା ଆବଶ୍ଯକ। ସରଳ ଓ ସମ୍ବେଦନଶୀଳ ହେବା ଦ୍ବାରା ମନରେ ସହାନୁଭୂତି ଆସେ।ଦୟା,ପ୍ରେମ ଓ କ୍ଷମା ଭାବନା ଜାଗ୍ରତ ହୁଏ।ବ୍ଯକ୍ତିର ବାହ୍ୟ ଓ ଆଭ୍ୟନ୍ତରୀଣ ରୂପ,କର୍ମ ଓ ବଚନରେ ସମତା ଆସିଥାଏ।ସରଳତା ଜଗତକୁ ଯୋଡିଥାଏ।ସମ୍ପର୍କକୁ ଦୃଢ ସୂତ୍ରରେ ବାନ୍ଧିଥାଏ।ମାତ୍ର କୁଟୀଳତା ସବୁଥିରେ ବିଚ୍ଛିନ୍ନତା ଆନୟନ କରିଥାଏ। ବ୍ଯକ୍ତିତ୍ବକୁ ନଷ୍ଟ କରିଥାଏ। ପ୍ରତ୍ୟେକ କର୍ମରେ ଅସ୍ବଚ୍ଛତା ଭରିଥାଏ।କୁ ମାର୍ଗରେ ଯାଇ ଅକର୍ମ କରିବାକୁ ପ୍ରବର୍ତ୍ତାଇଥାଏ।
  ସରଳତା ପରମାତ୍ମା ଈଶ୍ବରଙ୍କ ପ୍ରିୟ ହୋଇଥାଏ।ଆଚରଣ ଓ ଉଚ୍ଚାରଣରେ ସରଳ ହେବା ହିଁ ପରମାତ୍ମାଙ୍କର ନିର୍ଦ୍ଦେଶ ଅଟେ।ଗୋସ୍ୱାମୀ ତୁଳସୀ ଦାସ କୃତ ଶ୍ରୀରାମଚରିତ ମାନସରେ ବର୍ଣ୍ଣିତ ହୋଇଛି- "ନିର୍ମଳ ମନ ଜନ ସୋ ମୋହି ପାବା।।ମୋହି କପଟ ଛଳ ଛିଦ୍ର ନ ଭାବା।"
  ଭକ୍ତି ମଧ୍ଯ ଏକ ପ୍ରକାର କର୍ମ ଅଟେ।ଈଶ୍ବରଙ୍କ ପ୍ରତି,ଗୁରୁଙ୍କ ପ୍ରତି,ଗୁରୁଜନଙ୍କ ପ୍ରତି ଭକ୍ତି କରିବା ମାନବ କର୍ମର ଅନ୍ତର୍ଭୁକ୍ତ।ସେବା,ତ୍ୟାଗ,ସମର୍ପଣ,ସମ୍ପ୍ରୀତି-ଏହି ସବୁ କର୍ମ ଭକ୍ତି ଭାବରେ ହିଁ ଆସେ।ଭକ୍ତିଯୋଗ ସମ୍ପର୍କରେ ଭାଗବତରେ ଉପଯୁକ୍ତ ଜ୍ଞାନ ପ୍ରଦାନ କରାଯାଇ ଅଛି।ଭକ୍ତି ଭିନ୍ନ ଭଗବାନ ପ୍ରାପ୍ତି ନାହିଁ।ତେଣୁ କୁହାଯାଇଛି-
   "କର୍ମ ମୋହର ନିଜ ନିଜ ଗୁରୁ
    ଉଦ୍ଧବ କେତେ ତୁ ପଚାରୁ"
  କର୍ତ୍ତବ୍ୟ ପ୍ରତି ବିମୁଖ ହୋଇ ପଳାୟନ କରିବାରେ ଭକ୍ତି ନଥାଏ।ବରଂ କର୍ତ୍ତବ୍ଯ ପାଳନ ପୂର୍ବକ ଈଶ୍ବରଙ୍କୁ ସ୍ମରଣ କରି ସତ୍ଯ ମାର୍ଗରେ ଚାଲିବା ହିଁ ବାସ୍ତବ ଭକ୍ତି ଅଟେ।ଏହି ହେତୁ କର୍ତ୍ତବ୍ଯ ପ୍ରତି ବିମୁଖ ନ ହୋଇ ମନର ବିକାର ଗୁଡିକୁ ତ୍ଯାଗ କରିବାର ପ୍ରୟୋଜନୀୟତା ବାନ୍ଛନୀୟ ହୋଇଥାଏ।ଭକ୍ତି ମଧ୍ଯ ଉତ୍କଳୀୟ ସଂସ୍କୃତିର ମୁଖ୍ଯ ବିଶେଷତ୍ୱ।ଏହି ଭକ୍ତିକୁ ନେଇ ଭାଗବତରେ ବର୍ଣ୍ଣିତ ଅଛି-
    "ନିରତେ ଥିବ ସାଧୁ ସଂଗେ
     ନିର୍ମଳ ଭକ୍ତି ଯୋଗ ମାର୍ଗେ"
  ଜଗତ କର୍ତ୍ତା ଶ୍ରୀଜଗନ୍ନାଥ ହେଉଛନ୍ତି ମହାଶୂନ୍ୟ।ସେ ମଧ୍ଯ ହେଉଛନ୍ତି ପୂର୍ଣ୍ଣ।ସେ ସାକାର ପୁଣି ନିରାକାର।ସେ ନିତ୍ଯ ପୁଣି ଅନିତ୍ୟ।ସେ ହିଁ ଅସୀମ।ସେ ହିଁ ସସୀମ।ସେ ଶିବ ପୁଣି ଶିବା।ସେ ରାମ ପୁଣି ରମା।ସେ ଲୀଳା ରୂପରେ ଅର୍ଦ୍ଧନାରୀଶ୍ବର।ନର ଓ ନାରୀ ଉଭୟ ରୂପର ସମନ୍ବୟ ତାଙ୍କ ଭିତରେ।ଶ୍ରୀକୃଷ୍ଣ ହେଉଛନ୍ତି ପୁରୁଷ।ରାଧା ହେଉଛନ୍ତି ନାରୀ ବା ପ୍ରକୃତି।ପ୍ରକୃତି ଓ ପୁରୁଷଙ୍କ ମିଳନରେ ଏ ସୃଷ୍ଟି ସଚଳ।ପୁରୁଷ ଓ ପ୍ରକୃତି ପରସ୍ପର ପରିପୂରକ।ପୃଥିବୀର ସର୍ବ  ସୁନ୍ଦରତମ ରୂପ ମଧ୍ଯରେ ଶିବ ଓ ଶକ୍ତିଙ୍କ ସମ୍ମିଳିତ ରୂପ ଅତ୍ଯନ୍ତ ମହତ୍ତ୍ବପୂର୍ଣ୍ଣ।ଅର୍ଦ୍ଧାଂଗ ଶିବ ଓ ଅର୍ଦ୍ଧାଂଗ ପାର୍ବତୀ ହେଉଛନ୍ତି ଶକ୍ତିମୟ ରୂପ।ପାର୍ବତୀ ଶ୍ରଦ୍ଧା ଓ ଶିବ ବିଶ୍ବାସର ପ୍ରତୀକ।ବିଷ୍ଣୁ ପୁରାଣରେ ଉଲ୍ଲେଖ ଅଛି,ସୃଷ୍ଟିର ଆରମ୍ଭରେ ରୁଦ୍ର ଅଧା ଶରୀରକୁ ପୁରୁଷ ଓ ଅଧା ଶରୀରକୁ ନାରୀ ଭାବରେ ପ୍ରକଟିତ କରି ଦର୍ଶନ ଦେଇଥିଲେ।ଏହା ଦେଖି ବ୍ରହ୍ମା ସନ୍ତୁଷ୍ଟ ହୋଇଥିଲେ।         "ଅର୍ଦ୍ଧ ନାରୀ ନର ବପୁଃ ପ୍ରଚଣ୍ଡୋତି ଶରୀରବାନ୍।"ବୃହଦାରଣ୍ୟକ ଉପନିଷଦରେ ମଧ୍ଯ ଏହି ଭାବ ବ୍ଯକ୍ତ କରାଯାଇ ଅଛି ଯେ, ସର୍ବପ୍ରଥମେ ସବୁ କେବଳ ଆତ୍ମା ହିଁ ଥିଲା।ତାହା ପୁରୁଷ ସଦୃଶ୍ଯ ଥିଲା।ଏହି ଏକା ଏକା ଭାବ ଭଲ ନ ଲାଗିବାରୁ ପୁରୁଷ ଓ ପ୍ରକୃତିର ମିଳନରୁ ଦୁଇ ଭାଗ ହେଲା।ଏକ ଭାଗ ନାରୀ ଓ ଅନ୍ୟ ଭାଗ ପୁରୁଷ ହେଲା।
  ଆତ୍ମା ହେଉଛି ସମସ୍ତ ଶକ୍ତିର ସର୍ବୋଚ୍ଚ,ସର୍ବ ମହାନ୍ ଓ ସ୍ବୟଂ ସମ୍ପୂର୍ଣ୍ଣ ନିଦର୍ଶନ।ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶୂନ୍ଯ ଆକାରରେ ସବୁକିଛି ଲୀନ ହେଲା ଭଳି ଆତ୍ମା ବା ବ୍ରହ୍ମରେ ହିଁ ସବୁ ଲୀନ ହୋଇଥାଏ।ତେଣୁ ଯଥାର୍ଥରେ କୁହାଯାଇଛି-
    "ଆତ୍ମା କୁଶଳେ ସର୍ବ ସିଦ୍ଧି
     ତରଇ ସଂସାର ବାରିଧି"
  ଭାରତୀୟ ସଂସ୍କୃତି ଆତ୍ମାକୁ ବ୍ୟାପକ  ଅର୍ଥରେ ଗ୍ରହଣ କରେ। ପୁରୁଷ ଓ ପ୍ରକୃତି ସମନ୍ବିତ ରୂପ ଭଳି ଆତ୍ମା ଓ ଶରୀର ଏକତ୍ର ଜଡିତ।ଶରୀର ଠାରୁ ଆତ୍ମା ପୃଥକ୍ ହେଲେ ତାହା ଜଡ ପାଲଟିଯାଏ।ଉପନିଷଦରେ ବର୍ଣ୍ଣିତ ହୋଇଅଛି ଯେ,ଆତ୍ମାରେ ସ୍ତ୍ରୀ ଓ ପୁରୁଷର ପ୍ରଭେଦ ନାହିଁ।ଏହା ବ୍ଯତୀତ ଭାରତୀୟ ସଂସ୍କୃତି ଅନୁଯାୟୀ କେବଳ ନରନାରୀ ନୁହେଁ;ପଶୁପକ୍ଷୀ,ବୃକ୍ଷଲତା ସମସ୍ତଙ୍କ ଠାରେ ଆତ୍ମା ବିଦ୍ଯମାନ। ଶ୍ରୀମଦ୍ଭାଗବତ ଗୀତାରେ ମଧ୍ଯ ବର୍ଣ୍ଣିତ ଅଛି ଯେ,ଯେଉଁ ବ୍ଯକ୍ତି ଏହି ସମତାର ତତ୍ତ୍ବ ଜ୍ଞାନ ଅନୁଭବ କରେ ସେ ହିଁ ପଣ୍ଡିତ।ଏହି ହେତୁ ସମସ୍ତ କର୍ମ ଓ ବୈଭବରେ ଉଭୟଙ୍କର ସମ ଅଧିକାର ରହିଅଛି।ପରମାତ୍ମା ଭଗବାନ ଯେଉଁଠି ପ୍ରକୃତି ବିନା ଅସମ୍ପୂର୍ଣ୍ଣ,ତା'ସହିତ ଏ ସୃଷ୍ଟି ଅସମ୍ଭବ ତେବେ ଆତ୍ମା ଭିତରେ ପରମାତ୍ମାଙ୍କ ସତ୍ତା ରହିବା ମଧ୍ଯ ସତ୍ଯ ଅଟେ।ଏହି ସତ୍ତାକୁ ଉପଲବ୍ଧି କଲା ପରେ ପରମାନନ୍ଦ ପ୍ରାପ୍ତି ହୋଇଥାଏ।ଜୀବନର ସାର୍ଥକତା ଆସିଥାଏ।
    

 

ସୁଚିତ୍ରା ବେହେରା
ପ୍ଲଟ ନଂ-୧୩୬/୮୫୦
ବ୍ରହ୍ମେଶ୍ୱର ପାଟଣା
ଭୁବନେଶ୍ୱର-୧୮

 

         

Post a Comment

0 Comments