ସହରରୁ ଆଜି ଗାଁ ଆସିଛନ୍ତି
ପୁଅ ବୋହୂ ନାତି ନାତୁଣୀ
ନାନାଦି ବ୍ୟଞ୍ଜନ ରାନ୍ଧିବା ନିଶାରେ
ବୁଢ଼ୀ ଗୋଡ଼ ତଳେ ଲାଗୁନି।।
ବୁଢ଼ା କହୁଅଛି ବୋହୁଟା ମୋହର
ଏତେ ବାଟୁ ଧାଇଁ ଆସିଛି
ଆମ୍ବୁଲ ବେସର ଦେଇ ରାନ୍ଧି ଦେବୁ
ଆଣିଛି ମୁଁ ମାଛ ଇଲିଶି।।
ଦିନ କେତେ ରହି ପୁଅ ବୋହୂ ଯେବେ
ଫେରିଗଲେ ନିଜ ସହର
ପୁଅ ବୋହୂ ନାତି ନାତୁଣୀ ପ୍ରଶଂସା
ବୁଢ଼ା କରେ ନିଜ ମୁଖ ର।।
ଏକ ଦିନେ ବୁଢ଼ା ବୁଢ଼ୀର ମଧ୍ୟ ରେ
ଯୁକ୍ତି ତର୍କ ଟିକେ ହୋଇଲା
ବୁଢ଼ୀ କୁ ଗାଁ ରେ ଏକା ଛାଡ଼ି ଦେଇ
ବୁଢ଼ା ପୁଅ ପାଶେ ଧାଇଁଲା।।
କେତେ ଦିନ ବୋହୂ ଆଦର କରିଲା
ସୁଆଦିଆ ଦ୍ରବ୍ୟ ପରଷି
ନାତି ନାତୁଣୀ ଙ୍କ ସେନେହରେ ବୁଢ଼ା
ଖୁସିରେ କାଟେ ଦିବା ନିଶି।।
ଏକଦିନେ ବୋହୂ ବିଚାର କରିଲା
ବୁଢ଼ା ଯିବା ନାଁ ଧରୁନି
ଭଲ କରି ୟାକୁ ପାନଟେ ନ ଦେଲେ
ଏଠାରୁ ବୁଢ଼ା ଟା ଯିବନି।।
ତହିଁ ଆରଦିନ ବୋହୂ ଟି ତାହାର
ବିଶ୍ଵ ରୂପକୁ ଦେଖାଇଲା
ଛଅନଅ କରି ଗେରସ୍ତ ଆଗରେ
ବୁଢ଼ା ନାଁ ରେ ଯୋଡ଼ି କହିଲା।।
ମୁହଁ ଫଣ ଫଣ କରି ବାଢ଼ିଦେଲା
ଲୁଣ ମରିଚ ରେ ପଖାଳ
ଭାତ ପାଖେ ବସି ବୁଢ଼ା ଭାବୁଥିଲା
ବୁଢ଼ୀ ମୋର କେଡେ ସରଳ।।
ଟିକିଏ କଥାରେ ଅଭିମାନ କରି
ତାକୁ ଛାଡ଼ି ଚାଲି ଆସିଲି
ଆଗ ମତେ ବାଢ଼ି ପଛେ ଖାଏ ବୁଢ଼ୀ
ଏକଥା କି କେବେ ଭାବିଲି? ||
ଦାମ୍ପତ୍ୟ ଜୀବନ ସତେକି ମଧୁର
ଛୋଟ ମୋଟ କଳି ବିବାଦ
ପରସ୍ପର ମଧ୍ୟେ ବୁଝାମଣା ହେଲେ
ଘୁଞ୍ଚିବ ସବୁ ଅବସାଦ।।
ଲୋଡ଼ା ନାହିଁ ମୋର ସହରୀ ଜୀବନ
ଚାଲି ଯିବି ମୋର ଗାଁ କୁ
ବୁଢ଼ୀ ସାଥେ ମୋର ଖୁସିରେ ରହିବି
ଭୁଲିବିନି ମାଟି ମାଆ କୁ।।
ସନ୍ଧ୍ୟାରାଣୀ ହୋତା



0 Comments