ତୁମ ଅପେକ୍ଷାରେ ପ୍ରତିଟି ସକାଳ
ନୂଆ ହୋଇ ଦେଖା ଦିଏ,
ବିରହ ହୃଦୟେ ସୁନେଲୀ ସପନ
ଆଖି ଭରି ଦେଖିନିଏ ।
ନିଇତି ନିଇତି ଜଳୁଛି ମୁଁ ଏଠି
ମିଠା ମିଠା ବିଷ ପିଇ,
ନିଇତି ରାତି ମୋ ନୂଆ ହୋଇ ଆସେ
ବିରହ ସ୍ମୃତିକୁ ନେଇ।
ଜିବନଟା ଲାଗେ ଭାରି ଭାରି ମତେ
ବଞ୍ଚୁଛି ବାହାନା ନେଇ,
କାଳେ କେତେବେଳେ ଆସିଯିବ ତୁମେ
ହୃଦୟର ସୀମା ଡେଇଁ।
କୁଆଁରୀ ଶ୍ରାବଣ କବର ସଜାଏ
ଘାଟ କଦମ୍ବରେ ବସି,
ତୁମରି ବାଟକୁ ଚାହିଁ ଚାହିଁ ସାଥି
ସପନ ମୋ ସରେ ନିତି।
ସାରା ସହରରେ ମୌସୁମୀ ଝଡ
ପାନ୍ଥ ମୁଁ ଯେ ନୂଆ ନୂଆ,
ଆଖିରେ ଆଖିରେ କୁହୁଳା ସପନ
ରାତି ସାରା ଧୂଆଁ ଧୂଆଁ।
ଜିଅନ୍ତା ଜୁଇରେ ଆଜି ମୁଁ ଜଳୁଛି
ଅକୁହା କାହାଣୀ ନେଇ,
ବଞ୍ଚିବାଟା ଖାଲି ଅଭିନୟ ମୋର
କା ଆଗେ ପାରୁନି କହି।
ସଞ୍ଜ ନଇଁ ଗଲେ ରାତିର ଅନ୍ଧାରେ
ସପନ କରଇ ଟାହି,
ଅନ୍ଧାର ରାତିରେ ଶୂନ୍ୟତା ସାଉଁଣ୍ଟି
ମୋ ରାତି ଯାଉଛି ପାହି।
ରାଜାରାଣୀ ନାୟକ
ପ୍ରାଣୀ ବିଜ୍ଞାନ ବିଭାଗ,
କୁଶଳେସ୍ଵର ଆଞ୍ଚଳିକ ମହାବିଦ୍ଯାଳୟ
ରେକୁଟିଆ , କେନ୍ଦୁଝର



0 Comments