ଭାରତ ମାତା - ରାମ ଚନ୍ଦ୍ର ପ୍ରଧାନ



ବୀର ପ୍ରସବିନୀ  ସଦା ସୁହାସିନୀ 
    ବନ୍ଦେ ମୋ ଭାରତ ମାତା 
ତଟିନୀ ବନାନୀ  ସବୁଜ ଧରଣୀ 
    ସିଏ ତ ଜଗତ ଜିତା  l
ଅମୃତ ସୃଜନୀ  ସନ୍ତାନ ପାଳିନୀ 
     ସଭିଙ୍କର ସେ ଜନନୀ
ଚିର ବନ୍ଦନୀୟା  ସଦା ପୂଜନୀୟା 
    ମା' ସେ ଆଶିଷ ଦାୟିନୀ  l
ସମୃଦ୍ଧି ଶାଳିନୀ  ଶକ୍ତି ପ୍ରଦାୟିନୀ 
     କଥା ତା' ମଧୁ ଭାଷିନୀ 
ଗୌରବ ମଣ୍ଡିତା  ସଂକୃତି ଶୋଭିତା 
     ସାରା ବିଶ୍ୱେ ସେ ବିଦ୍ୱାନୀ  l
ସଞ୍ଜ ନଇଁଗଲେ  ନବବଧୂ ଏଠି 
    ଜାଳେ ଶ୍ରଦ୍ଧା ସଞ୍ଜବତୀ 
ଚାଷୀ ପୁଅ ଗୀତେ ପବନେ ଶୁଭଇ 
    ମାଟିର ସେ ମଧୁଗୀତି  l
ସବୁଠୁ ସୁନ୍ଦର  ଅଟେ ପରା ସିଏ 
   ମିଠା ଲାଗେ ତା'ର ଭାଷା 
ତା' ଦେଶ ସଂକୃତି ସବୁଠୁ ମହାନ 
   ବାର ମାସେ ତେର ଓଷା  l
ହିନ୍ଦୁ ମୁସଲିମ୍ ଜୈନ ଖ୍ରୀଷ୍ଟିଆନ 
    ସବୁ ତା' ପାଖେ ସମାନ 
ବିଭିନ୍ନତା ମଧ୍ୟେ  ବୋହି ସେ ଏକତା 
     ବୋଲାଉ ଥାଏ ମହାନ  l
ହିମାଳୟ ତା'ର ଶିରେ ଶୋଭାପାଏ 
       ସାଗର ଚରଣ ଧୁଏ 
ସୀମାରେ ତାହାର  ବୀର ସଇନିକ 
     ଦେଶପ୍ରେମ ଗୀତ ଗାଏ  l


ରାମ ଚନ୍ଦ୍ର ପ୍ରଧାନ, ଶିକ୍ଷକ 
ସାନ୍ତରାପଲ୍ଲୀ, ଗଞ୍ଜାମ 
ମୋ:9861638736

Post a Comment

0 Comments