ତୁମ ଜନ୍ମ ଦିନେ - ସସ୍ମିତା ପଣ୍ଡା



ପଉଷ ତିଥିର

ଏ ଶୁଭ ଲଗନେ

      ଛୁଇଁଲ ଉତ୍କଳ ଧାମ ।

ଯୋଗଜନ୍ମା ତୁମେ

ଭାଷା ସାହିତ୍ୟର

      ତୁମେ ପୂଣ୍ୟ ନିଦର୍ଶନ ।।

ସୁକର୍ମ ମହକେ

ମହକିତ କବି

       ଅନୁପମ ଶବ୍ଦ ଶିଳ୍ପୀ ।

ଶବ୍ଦ ପଦ୍ମବନେ

ପ୍ରସ୍ଫୁଟିତ ଭାଷା

        ଭାବନାର ରୂପକଳ୍ପି ।।

ଆଜିବି ପ୍ରତିକ୍ଷା

କରିଛି ରେବତୀ

         ବିସ୍ମୟ ହୃଦୟ ଧାରେ ।

ଆଜିବି ଭଗିଆ

ସାରିଆ ଜିବୀତ

      ସେହି ଜମିଦାର ଘରେ ।।

ମୁଗ୍ଧ ଅନୁସୂଚୀ

ବିମୁଗ୍ଧ ମହ୍ଲାରେ

       ଡାକମୁନିସି ର ଗଳ୍ପ ।

କାଳଜୟୀ ସୃଷ୍ଟି

ପରିପୂର୍ଣ୍ଣ କୃତି

        ଲେଖନୀର ତୂଳୀତଳ୍ପ ।।

ମନତଳେ ଆଜି

ଭାବ ତନ୍ମୟର

        କଳ୍ପନାର ଛନ୍ଦ ତୋଳେ ।

ଉଜ୍ଜୀବିତ ଆଜି

ଓଡ଼ିଆ ସାହିତ୍ୟ

        ସ୍ବର୍ଣ୍ଣିମ ସ୍ବାକ୍ଷର ବଳେ ।।

ଭାଷା ଭାରତୀଙ୍କ

ଅମୃତ ସନ୍ତାନ

       ଉତ୍କଳ ମାତାର କୋଳେ ।

ବାଣୀଭଣ୍ଡାରକୁ

ପୂର୍ଣ୍ଣ ପ୍ରାଚୁର୍ଯ୍ୟରେ

       ଶବ୍ଦ ମାଧୁରିମା ତୋଳେ ।।

ତୁମ ସ୍ବର ଲିପି

ସର୍ବଦା ଜାଗ୍ରତ

        ସୁଧାମୟ ସୂତ୍ର ଆଙ୍କି ।

ତୁମ ସାଧନାର

ମୁଗ୍ଧ ପ୍ରବଣତା

       ସାରସ୍ବତ ସୁଧା ମାଖି ।।

ତୁମ ସୃଜନୀର

ସ୍ନିଗ୍ଧ ତରଙ୍ଗିଣୀ

       ମନର ଦୂରତା ମାପି ।

ଉଦ୍ଭାସିତ ସଦା

ଓଡିଶା ମାଟିରେ

       ଧନ୍ୟ ତୁମ ଯଶକୀର୍ତ୍ତୀ ।।

ବଳିଷ୍ଠ ମସୀର

ପ୍ରଜ୍ଞା ପୁରୁଷ ହେ

       କୋଟି ପ୍ରଣମ୍ୟ ହେ ଘେନ ।

ଭାବ କୌମୁଦୀର

ଶ୍ରେଷ୍ଠ କାରୀଗର

       ଓଡ଼ିଆ ଭାଷାର ପ୍ରାଣ ।।

ଅପୂର୍ବ ଲଗନେ

ଯୋଗଜନ୍ମା ତୁମେ

       ମକରସଂକ୍ରାନ୍ତି ଦିନେ ।

ଓଡ଼ିଆ ସାହିତ୍ୟ

ଝଲସୁଥିବ ହେ

       ତୁମ ପାଇଁ ପ୍ରତିପ୍ରାଣେ ।।


ସସ୍ମିତା ପଣ୍ଡା
ଅସୁରେଶ୍ବର, କଟକ

Post a Comment

0 Comments