ପଉଷ ତିଥିର
ଏ ଶୁଭ ଲଗନେ
ଛୁଇଁଲ ଉତ୍କଳ ଧାମ ।
ଯୋଗଜନ୍ମା ତୁମେ
ଭାଷା ସାହିତ୍ୟର
ତୁମେ ପୂଣ୍ୟ ନିଦର୍ଶନ ।।
ସୁକର୍ମ ମହକେ
ମହକିତ କବି
ଅନୁପମ ଶବ୍ଦ ଶିଳ୍ପୀ ।
ଶବ୍ଦ ପଦ୍ମବନେ
ପ୍ରସ୍ଫୁଟିତ ଭାଷା
ଭାବନାର ରୂପକଳ୍ପି ।।
ଆଜିବି ପ୍ରତିକ୍ଷା
କରିଛି ରେବତୀ
ବିସ୍ମୟ ହୃଦୟ ଧାରେ ।
ଆଜିବି ଭଗିଆ
ସାରିଆ ଜିବୀତ
ସେହି ଜମିଦାର ଘରେ ।।
ମୁଗ୍ଧ ଅନୁସୂଚୀ
ବିମୁଗ୍ଧ ମହ୍ଲାରେ
ଡାକମୁନିସି ର ଗଳ୍ପ ।
କାଳଜୟୀ ସୃଷ୍ଟି
ପରିପୂର୍ଣ୍ଣ କୃତି
ଲେଖନୀର ତୂଳୀତଳ୍ପ ।।
ମନତଳେ ଆଜି
ଭାବ ତନ୍ମୟର
କଳ୍ପନାର ଛନ୍ଦ ତୋଳେ ।
ଉଜ୍ଜୀବିତ ଆଜି
ଓଡ଼ିଆ ସାହିତ୍ୟ
ସ୍ବର୍ଣ୍ଣିମ ସ୍ବାକ୍ଷର ବଳେ ।।
ଭାଷା ଭାରତୀଙ୍କ
ଅମୃତ ସନ୍ତାନ
ଉତ୍କଳ ମାତାର କୋଳେ ।
ବାଣୀଭଣ୍ଡାରକୁ
ପୂର୍ଣ୍ଣ ପ୍ରାଚୁର୍ଯ୍ୟରେ
ଶବ୍ଦ ମାଧୁରିମା ତୋଳେ ।।
ତୁମ ସ୍ବର ଲିପି
ସର୍ବଦା ଜାଗ୍ରତ
ସୁଧାମୟ ସୂତ୍ର ଆଙ୍କି ।
ତୁମ ସାଧନାର
ମୁଗ୍ଧ ପ୍ରବଣତା
ସାରସ୍ବତ ସୁଧା ମାଖି ।।
ତୁମ ସୃଜନୀର
ସ୍ନିଗ୍ଧ ତରଙ୍ଗିଣୀ
ମନର ଦୂରତା ମାପି ।
ଉଦ୍ଭାସିତ ସଦା
ଓଡିଶା ମାଟିରେ
ଧନ୍ୟ ତୁମ ଯଶକୀର୍ତ୍ତୀ ।।
ବଳିଷ୍ଠ ମସୀର
ପ୍ରଜ୍ଞା ପୁରୁଷ ହେ
କୋଟି ପ୍ରଣମ୍ୟ ହେ ଘେନ ।
ଭାବ କୌମୁଦୀର
ଶ୍ରେଷ୍ଠ କାରୀଗର
ଓଡ଼ିଆ ଭାଷାର ପ୍ରାଣ ।।
ଅପୂର୍ବ ଲଗନେ
ଯୋଗଜନ୍ମା ତୁମେ
ମକରସଂକ୍ରାନ୍ତି ଦିନେ ।
ଓଡ଼ିଆ ସାହିତ୍ୟ
ଝଲସୁଥିବ ହେ
ତୁମ ପାଇଁ ପ୍ରତିପ୍ରାଣେ ।।
ଅସୁରେଶ୍ବର, କଟକ



0 Comments