ଲକ୍ଷ୍ନୀ ଭାଉଜଙ୍କ ଫୋନ ଶୁଣି ବିବ୍ରତ ହେଇଗଲି ।
ଗାଁରୁ ଫୋନ୍ କରିଛନ୍ତି ଲକ୍ଷ୍ମୀ ଭାଉଜ। କହୁଥିଲେ,
ତମ ବାପା ସକାଳୁ ସକାଳୁ ବେହୋସ ହେଇ ଗଲେ । ଚେୟାରରେ ଦାଣ୍ଡ ପିଣ୍ଡାରେ ବସି ଥିଲେ । କଣ୍ ହେଲା କେଜାଣି ? ହଠାତ୍ ପଡିଗଲେ ।
ସାହି ରୁ ଲୋକେ ଆସି ଦେଖା ଦେଖି କରୁଛନ୍ତି । ତମ ବୋଉ ହତାଶ ହେଇ କାନ୍ଦୁଛନ୍ତି । ଶୀଘ୍ର ଆସିଲେ ଭଲ ହୁଅନ୍ତା ତମ ବୋଉ ଅସହାୟ ହେଇ ପଡିଛନ୍ତି ।
ମୁଁ ଅସ୍ଥିର ହେଇଗଲି କଥାଟା ଶୁଣି ।
ସ୍ତ୍ରୀ ସୁଜାତା ଆର ଘରେ ବସିଥିଲେ ତାଙ୍କୁ ଯାଇକହିଲି ।ମୁଁ ଆଜି ଅଫିସ ନ ଯାଇ ଗାଁ କୁ ଯାଉଛି, ବାପା ଅସୁସ୍ଥ ଅଛନ୍ତି । ବେହୋସ ହୋଇ ଗଲେ ବୋଲି ପଡୋଶୀ ଲକ୍ଷ୍ମୀ ଭାଉଜ ଫୋନ କରିଥିଲେ ।
ସୁଜାତାଙ୍କର ସେମିତି କିଛି ବିଶେଷ ପ୍ରତିକ୍ରିୟା ନଥିଲା । ଜବାବ ରେ ଏତିକି କହିଲେ ଯାଅ ବୁଲିଆସ ।
ମୁଁ ପଚାରିଲି ତମେ ଯିବନି ସାଙ୍ଗରେ ?
ସୁଜାତା ମନାକଲେ ନାଁ ପିଲାଙ୍କ ପରୀକ୍ଷା ଆଗକୁ ପିଲାମାନେ ଅନ୍ୟ ମନସ୍କ ହୋଇଯିବେ । ଗାଁ ର ବାତାବରଣ ରେ ତାଙ୍କ ଦେହ ଖରାପ ହେଇ ଯିବ । ଗରମ୍ ପ୍ରବଳ। ତମେ ଯାଅ । ବେଶି କିଛି ହେଇଥିଲେ ଦେଖିବା ।
ମୁଁ ବାଧ୍ୟ କଲି ନାହିଁ ।
ଗାଡ଼ି ଧରି ବାହାରି ପଡ଼ିଲି ଭୁବନେଶ୍ୱର ରୁ ଗାଆଁକୁ । କାର ରେ ତିନି ଘଣ୍ଟାର ରାସ୍ତା।
ପାଞ୍ଚ ବର୍ଷ ହେଲା ଗାଆଁକୁ ଆସିନି ।
ଯେଉଁଠି ପାଠପଢ଼ାପିଲା ଦିନ ବିତିଛି । ଗାଁ ସାଙ୍ଗ ସାଥୀ । ଗାଁ ପୋଖରୀ ମନ୍ଦିର , ଖେଳ ପଡିଆ, ଗାଆଁ ରାସ୍ତାରେ ହାପ୍ ପାଇଡଲ କରି ସାଇକଲ ଦଉଡେଇବା ସବୁ ଯେମିତି ଏ ପନ୍ଦର୍ ବର୍ଷ ସଂସାରୀ ଜୀବନରେ ଭୁଲିଗଲି? ସବୁ କିଛି ଜଳାଞ୍ଜଳି ଦେଇ ଦେଲି ?
ସକାଳର ପଖାଳ ,ବୋଉର ଆଦର , ଗାଆଁ ପିଲାଙ୍କ ସହିତ ଘଣ୍ଟା ଘଣ୍ଟା ଧରି ଖେଳ , ଦେହ ଖରାପ ହେଲେ ବୋଉର ରାତି ରାତି ଜଗି ବସିବା । ଗାଁ ପୋଖରୀ ଗାଧୁଆ, ମନ୍ଦିରରେ ପ୍ରସାଦ ଖାଇବା। ସବୁ ଭୁଲି ଗଲି।
ଏତେ ସବୁ ମଣିଷ ଜୀବନର ଅଙ୍ଗେ ନିଭା କଥା ଏତେ ଜଲ୍ଦୀ ଭୁଲି ଯାଏ ମୁଁ ନିଜକୁ ବି ବିଶ୍ୱାସ କରି ପାରୁ ନଥିଲି ।
ଆଜିକାଲି ସଂସାରର ଜଟିଳତା ଭିତରେ ମଣିଷ ଏତେ ଆତ୍ମ କୈନ୍ଦ୍ରିକ ହେଇ ଗଲାଣି ଯେ ବାସ ସ୍ତ୍ରୀ ପିଲା ଙ୍କୁ ହିଁ ପରିବାର କୁହାଯାଉଛି । ମା ବାପା ଆଉ ପରିବାର ସଦସ୍ୟରେ ଗଣା ଯାଉ ନାହାଁନ୍ତି । ସେମାନଙ୍କ ବିଷୟରେ ଭାବିବାକୁ ସମୟ ନାହିଁ । ସେମାନଙ୍କ ବିଷୟରେ ଯଦି ଥରେ ବି ଆଲୋଚନା ହେଉଛି ତା ହେଲେ ଯୁକ୍ତି ତର୍କ ଏପରିକି ଅଶାନ୍ତି ଝଗଡା ରେ ପରିଣତ ହେଇଛି । ଅତି ଆବଶ୍ୟକ ନ ହେଲେ ବାପା ବୋଉଙ୍କ ବିଷୟରେ କଥା ହେବା ବି ଭୁଲ ଭଳି ଲାଗୁଛି ।
ଏଇ କାରଣରୁ ଗାଁକୁ ଆସିବା ବି କମ ହେଇ ଯାଇଥିଲା ।
ବାପାଙ୍କ ସହିତ ସମ୍ପର୍କ ଭଲ ନଥିଲା । ପିଉଷୀଙ୍କ ନାଁ ରେ ଯେଉଁ ଦିନ ବାପା କିଛି ଜମି ରେଜିଷ୍ଟ୍ରି କରି ଦେଲେ ସେ ଦିନୁ ମୁଁ ବାପାଙ୍କ ସହିତ କଥା ହୁଏନି । ଏହାର ମୁଁ ଓ ସୁଜାତା ଦୃଢ଼ ପ୍ରତିବାଦ କରିଥିଲୁ । ବାପାଙ୍କ ର ବାସ୍ ଏକ ଉତ୍ତର ଥିଲା ତୋ ପିଉଷା ଙ୍କ ଅକାଳ ବିୟୋଗ ହେଲା ପରେ ପିଉଷୀ ପିଲାଙ୍କ ଥାଇ ଥାନ ପାଇଁ ମୁଁ ଏହା କଲି ।
ଉଚ୍ଚ ଶିକ୍ଷିତ ଓ ଅତି ଉଚ୍ଚ ପଦରେ ସରକାରୀ ଚାକିରୀ କଲା ପରେ ଏ ସବୁ ଛୋଟ କଥାକୁ ଧ୍ୟାନ ଦେବା ଅନୁଚିତ୍ ବୋଲି ବାପା ମୋତେ କହିଲେ।
ବାପା ପାଞ୍ଚ ଖଣ୍ଡ ଗାଆଁ ରେ ଗ୍ରାମ୍ୟ ସମସ୍ୟା କୁ ନେଇ ନିଷ୍ପତ୍ତି କରନ୍ତି ଓ ସମସ୍ତେ ନ୍ୟାୟ ପୁରୁଷ ବୋଲି ମାନନ୍ତି। ଗାଆଁରେ ବାପାଙ୍କର ଜମିଦାରୀ ।ସେଥିରେ ରୋଜଗାର ବହୁତ୍ । ବାପାଙ୍କୁ କେବେ ପଇସାର ଅଭାବ ନ ଥାଏ ।
କିନ୍ତୁ ମୋତେ ପିଉଷୀ ଙ୍କୁ ଜମି ଦେବା କଥା ପସନ୍ଦ ଆସିଲାନି। ସୁଜାତାଙ୍କୁ ତ ବିଲକୁଲ୍ ପସନ୍ଦ୍ ଆସିଲାନି । ସୁଜାତା ବି ଏଇ କଥା ନେଇ ରାଗି କରି ବାପଘରକୁ ଚାଲି ଯାଇଥିଲେ କେଇଦିନ ପାଇଁ ।
ସେଇଦିନୁ ମୁଁ ଗାଆଁ କୁ ଆସେନି ନା ବାପା କେବେ ଭୁବନେଶ୍ୱର ଆସନ୍ତିନି । କଥାବାର୍ତ୍ତା ବି ନାହିଁ କହିଲେ ଚଳେ
ଭୁବନେଶ୍ୱରରେ ଉଚ୍ଚ କୋଟିର ରହିବା ଶୈଳୀ । ଏ ଗ୍ରେଡ ଲୋକଙ୍କ ସହିତ ଉଠାବସା । ସବୁଠୁ ବ୍ୟୟ ସାପକ୍ଷ ସ୍କୁଲରେ ପିଲାଙ୍କ ପାଠପଢା । କୋଠିଗେଟ ରେ ଦୁଇ ସ୍ତରରେ ସୁରକ୍ଷା ବ୍ୟବସ୍ଥା ।
ତେଣୁ ଗାଆଁ ଲୋକେ , ସାଧାରଣ ଜଣା ଶୁଣା ଲୋକେ ସାହସ କରନ୍ତିନି ମୋ କୋଠିକୁ ଆସିବାକୁ । ବାପା ବି କେବେ ଆସନ୍ତିନି ନା ବୋଉ । ତାଙ୍କ ପାଖରେ ପଇସା ପତ୍ର ର କମ୍ ନ ଥାଏ ।ମୁଁ ବି କେବେ ଏସବୁ କୁ ନେଇ ଚିନ୍ତିତ ହୁଏନା ।
ଆଜି କାହିଁକି ବାପାଙ୍କ ଦେହ ଖରାପ ଶୁଣି ମନଟା ଦୁର୍ବଳ ହେଇଗଲା । ବାପା , ଗାଆଁ , ଘର , ବାପାଙ୍କ ତ୍ୟାଗ ମନେ ପଡିଗଲା । ବୋଉର ଆଦର ଆଖି ଆଗରେ ନାଚି ଉଠିଲା ।
ଛୋଟ ବେଳେ ଭାରି ଜିଦ୍ ଖୋର୍ ଥିଲି । କଥା କଥାକେ ଆକାଡୁ ଥିଲି । ଗୋଟିଏ ପୁଅବୋଲି ,ବୋଉ ମୋତେ ସବୁବେଳେ ମୋ ପକ୍ଷ ନେଉଥିଲା । କେତେକ ଭୁଲ୍ କୁ ବି ବୋଉ ବାପାଙ୍କ ଆଗରେ ଠିକ୍ ପ୍ରମାଣ କରିବାକୁ ଚେଷ୍ଟା କରୁଥିଲା ।
ଏହି କାରଣରୁ ମୁଁ ପ୍ରାୟ ଜିଦ୍ ଖୋର ଓ ଭାରି ରାଗି ସ୍ୱଭାବର ଥିଲି ।
ଥରେ ମୁଁ ଭଲ ରୋଷେଇ ନ ହେଇଥିବାକୁ ନେଇ ଖାଇବିନି ବୋଲି ଜିଦ୍ କରିଗଲି । ଯେତେ ଡାକିଲେ ବି ମୁଁ ଖାଇଲିନି । ବାପା ନିଜେ ଖାଇ ବସିଲେ ମୁଁ ରାଗରେ ଘରୁ ବାହାରକୁ ଚାଲିଗଲି । ବୋଉ ଖାଇ ନଥାଏ ।ମୋ ଅପେକ୍ଷାରେ ବସି ଥାଏ ।ବାପା ଜୋର ସୋର ରେ ବୋଉକୁ ଫୈସଲା ଶୁଣେଇ ଦେଲେ ଯେ ,ଆଉ ଡାକନି ।
ଭୋକକଲେ ଛାୟେଁ ଆସି ଖାଇବ ।
ବାପା ଏ କଥା କହି ଶୋଇ ପଡ଼ିଲେ । ବୋଉ ଘର ଭିତରେ ମାେ ଅପେକ୍ଷା ରେ । ମୁଁ ବାହାରେ । କେତେ ସମୟ ପରେ ମୋତେ ଭାରି ଭୋକ ଲାଗିଲା । ଘର ସାମ୍ନା ଦାଣ୍ଡରେ ବସି ଗଲି । କାଠି ଖଣ୍ଡରେ ଧୂଳି ଉପରେ ଲେଖିଲି
ଆଉ ଥରେ ଡାକିଲେ ଖାଇବି.......ଆଉ ଥରେ ଡାକିଲେ ଖାଇବି
ବୋଉ ଦୂରରୁ ଦେଖିନେଲା ଓ ବାପାଙ୍କୁ କହିଲା । ବାପା କହିଲେ ଏବେ ଡାକ ଖାଇବାକୁ ।
ବାପା ବି ଜିଦ୍ ଖାେରଥିଲେ ।
ପୁଅର ହଜାରର ଭୁଲ୍ କୁ ଏକ ବାପ କ୍ଷମା କରି ଦିଏ କିନ୍ତୁ ବାପାର ଏକ ସାମାନ୍ୟ ତ୍ରୁଟି କୁ ଆଜି କାଲିର ପିଲା କ୍ଷମା କରୁ ନାହାନ୍ତି ବରଂ ବାପ ମାଆ ଙ୍କ ଗାଳି ଗୁଲଜ୍ ମାଧ୍ୟମରେ ଚରିତ୍ର ସଂହାର କରୁଛନ୍ତି ।
ମାଆ ତ କଷ୍ଟ ହେଲେ କାନ୍ଦି ପକାଏ ହେଲେ ବାପା କେବେ କିଛି କହି ପାରନ୍ତିନି ।
କାହିଁକି ମୋ ଆଖିରେ ଲୁହ ଆସିଗଲା । ମନରେ କୋହ ଆସିଲା ଏକଥା ଭାବୁ ଭାବୁ। ଗାଡ଼ିକୁ ରାସ୍ତା କଡ଼ରେ ଛିଡ଼ା କଲି । ମୁହ୍ ଧୋଇଲି ବୋତଲ ପାଣିରେ ।
ପୁଣି ଗାଡ଼ି ଚଳେଇଲି । ଆଉ ଅଧ ଘଣ୍ଟାର ରାସ୍ତା । ଗାଆଁ ରେ ପହଞ୍ଚିବି। ଭାବନା ରେ ପାଗଳ ହେଇ ଯାଉଥିଲି ।ବାପାଙ୍କ ପାଖରେ ଶୀଘ୍ର ପହଂଚି ବାକୁ ବ୍ୟାକୁଳ ହେଉଥିଲି । ଏଇ ପାଞ୍ଚ ବର୍ଷର ମାନ ଅଭିମାନ ପାଇଁ କ୍ଷମା ମାଗି ନେବି ବାପାଙ୍କ ଠାରୁ ।
ବାପା ରାଗି ହେଲେବି ଭଲ ପାଉଥିଲେ ମୋତେ । ମୋତେ ଅତି ଉଚ୍ଚ ଶିକ୍ଷିତ କରିବାର ଓ କ୍ଲାସ୍ ୱାନ୍ ଅଫିସର କରିବାର ପ୍ରବଳ ଇଚ୍ଛା ରଖି ଥିଲେ । ମୋତେ ସଫଳ ନ ହେବା ଯାଏ ମୋ ପଛେ ପଛେ ଲାଗି ରହି ଥିଲେ ବାପା ।
କିନ୍ତୁ ମଣିଷର ଅସହିଷ୍ଣୁତା ଅହଙ୍କାର କେଇ ବର୍ଷର ଜୀବନକୁ ବି ବାପପୁଅ ର ସମ୍ପର୍କ ଭିତରେ ଆମକୁ ବଞ୍ଚିବାକୁ ଦେଲାନି ।
ଏଇଥର ଭାବୁଛି ବାପା ବୋଉକୁ ଭୁବନେଶ୍ୱର ନେଇ ଯିବି ସାଙ୍ଗରେ। ବଡ଼ ହସ୍ପିଟାଲ୍ ରେ ଠିକ୍ ଭାବରେ ଚିକିତ୍ସା କରେଇବି । ଆନନ୍ଦରେ ରହିବେ ମୋ ପାଖରେ।
ଭାବୁ ଭାବୁ ଗାଆଁ ଆସିଗଲା । ଉଦୁ ଉଦିଆ ଖରାବେଳ । କେହି ଦିଶୁ ନଥିଲେ ଦାଣ୍ଡ ରାସ୍ତାରେ। ଖାଁ ଖାଁ ଲାଗୁଥିଲା ଗାଆଁ ଗୋଟାକ ।
ଘର ଆଗରେ ଗାଡ଼ି ରଖିଲି । ଦେଖିଲି ଆମ ଦୁଆର ମୁହଁରେ କେତେ ଜଣ ଲୋକଙ୍କ ଭିଡ଼ଥିଲା ।
ଜଲ୍ଦୀ ପାଦରେ ଆଗକୁ ବଢିଲି । ଘର ଅଗଣାରେ ପହଞ୍ଚିଲି।
ବାପା ଉପର ମୁହାଁ ହେଇ ଶୋଇ ଥିଲେ । ଧଳା ଚାଦର ଖଣ୍ଡେ ବାପାଙ୍କ ଉପରେ ଢଙ୍କା ହେଇଥିଲା ।
ଲକ୍ଷ୍ମୀ ଭାଉଜ କାନ୍ଦ କାନ୍ଦ ହେଇ ମୁଁହ ରେ ଲୁଗା ଯାକି କହୁଥିଲେ । ପ୍ରାଇ ମେରୀ ହେଲଥ୍ ସେଣ୍ଟର୍ ଡକ୍ଟର ଆସି ଥିଲେ । କହିଲେ ହାର୍ଟ ଆଟାକ ରେ ମୃତ୍ୟୁ ହୋଇଛି ।
ଅକ୍ଷୟ ଓଝା
ରାଇଁଲୋ,ନୂଆପଡ଼ା, ଆଳି, କେନ୍ଦ୍ରାପଡ଼ା
0 Comments