ମାଟି ଆମ ମାଆ ଭାଷା ଆମ ମାଆ
କର୍ତ୍ତବ୍ୟ ଆମ ସୁରକ୍ଷା
ହାତେ ଦେଇ ହାତ ଆମେ ତା ସନ୍ତାନ
ସାହିତ୍ୟର ରଥି ଦୀକ୍ଷା ।
କହିବା ଓଡିଆ ଲେଖିବା ଓଡିଆ
ପଢିବା ପୁଣି ଓଡିଆ
ପଢାଇ ଓଡିଆ ବଢାଇ ଓଡିଆ
ଉଚ୍ଚ କରିବା ଓଡିଆ ।
ଆମ ପୂର୍ବ ସୁରୀ ତାହାରି ସମ୍ମାନେ
ବରିଛନ୍ତି କେତେ କଷ୍ଟ
ହୃଦେ କରି ପଣ ମନ କରି ଟାଣ
ନ ଦେଲେ ହେବାକୁ ଭ୍ରଷ୍ଟ ।
ମଞ୍ଜିରୁ ଉଠିବ ଗଜା ଭଲ ବୋଲି
ଶିଶୁ ସାହିତ୍ୟ ର ସୃଷ୍ଟି
ଶୃଙ୍ଖଳିତ ହେବ ସମାଜ ବୋଲିକି
ତହିଁ କି ଦେଲେ ବି ଦୃଷ୍ଟି ।
ଆମେ ସବୁ ଚାଲ ପଦ ଅନୁଗତେ
ଲକ୍ଷ୍ୟକୁ ଦୃଷ୍ଟି ରେ ରଖି
ଉନ୍ନତ ମାନର ଶବ୍ଦ ଅଳଙ୍କାରେ
ଭାଷାକୁ ଲେଖିବା ରଖି ।
ମାଟିର ମଙ୍ଗଳ ଭାଷାର ମଙ୍ଗଳ
ଜନତାର ସର୍ବୋନ୍ନତି
ଶୃଙ୍ଖଳିତ ହେବ ସଂସ୍କାର ଯାବୋଡି
ପର ହିତେ ଥିବ ମତି ।
ସତ୍ମାର୍ଗ ସୁ କର୍ମ ସତ୍ୟ ନ୍ୟାୟ ଧର୍ମ
ଲିପିବଦ୍ଧ ହେବ ତହିଁ
ଅନ୍ୟାୟ ବିରୁଦ୍ଧେ ସ୍ବର ଉତ୍ତୋଳନ
ସାହସ ରହିବ ଯହିଁ ।
ଆମ ମାଟି ଆମ- ଭାଷା ଉଚ୍ଚ ହେଲେ
ମଥା ଆମ ଉଚ୍ଚ ହେବ
ତ୍ୟାଗ ବଳିଦାନ କର୍ମ ସହଯୋଗ
ଭାଷାକୁ ଆଗକୁ ନେବ ।
ପ୍ରତିମା ବାରିକ



0 Comments