ସମ୍ପାଦକୀୟ.......
ଶିଳ୍ପୀର ମନ ବିଦ୍ରୋହ କରିଛି । ଏମିତି ଥରେ ହୋଇନି ଅନେକ ଥର ହୋଇଛି । ସବୁ କ୍ଷେତ୍ରରେ ଝିଅ ପୁଅର ପାର୍ଥକ୍ୟ । ଲୋକ ଦେଖାଣିଆ ସମସ୍ତେ କହନ୍ତି ଝିଅ ପୁଅ ସମାନ ବୋଲି କିନ୍ତୁ ପ୍ରକୃତ କଥା ଅଲଗା । ଯଦି ଝିଅ ପୁଅ ସମାନ ତେବେ ପୁଅ ବଂଶ ରକ୍ଷକ, ଝିଅ କାହିଁକି ନୁହେଁ ? ସେ ତ ପୁଣି ବଂଶ ରକ୍ଷକକୁ ଜନ୍ମ କରେ ନା !!! ଘରେ କାହାର ମୃତ୍ୟୁ ହେଲେ ପୁଅ ମୁଖାଗ୍ନି ଦିଏ ଝିଅ କାହିଁକି ନୁହେଁ ? ଜଣେ ଝିଅ ଅର୍ଦ୍ଧ ରାତ୍ରିରେ ନିଜକୁ କାହିଁକି ସୁରକ୍ଷିତ ମଣେ ନାହିଁ ? କନ୍ୟାଦାନ ମହାପୂଣ୍ୟ କାହିଁକି ? ଝିଅ ଜନମ ପର ଘରକୁ କାହିଁକି ......... ? ଏମିତି ଅନେକ "କାହିଁକି" ତା'ର ଚାରିପଟେ ବାରମ୍ବାର ଚିତ୍କାର କରନ୍ତି । ଶିଳ୍ପୀ ସେସବୁର ସଠିକ ଉତ୍ତର ପାଇ ପାରେ ନାହିଁ । ପ୍ରାୟ ସମସ୍ତେ ସାମାଜିକ ନିୟମ, ପୋଥି ପୁରାଣ, ଇତିହାସର ଉଦାହରଣ ଦିଅନ୍ତି । ଏତେ ସବୁ କଥା , ବ୍ୟାଖ୍ୟା ଶୁଣି ଶୁଣି ଶିଳ୍ପୀକୁ ବେଳେବେଳେ ବହୁତ ଖରାପ ଲାଗେ । ସିଏ ଯେବେ ପ୍ରଶ୍ନ କରେ ତା' ପ୍ରଶ୍ନକୁ ମୂଲ୍ୟହୀନର ଆଖ୍ୟା ମିଳେ ।
ଶିଳ୍ପୀ ପ୍ରଶାସନିକ ବିଭାଗରେ ଚାକିରୀ କରୁଛି । ଅନେକ ସମୟରେ ଏହି ସବୁ ପ୍ରଶ୍ନ ପାଇଁ ସିଏ ନିଉଜରେ ରୁହେ । ଆଜିବି ସେମିତି କିଛି ହେବ । ଶିଳ୍ପୀର ବାପା ଆଉ ଦୁନିଆରେ ନାହାନ୍ତି । ଗତ ରାତ୍ରିରେ ତାଙ୍କର ମୃତ୍ୟୁ ହୋଇ ଯାଇଛି । ଶିଳ୍ପୀ ଜିଦ୍ ଧରିଛି ତା' ବାପାକୁ ସିଏ ମୁଖାଗ୍ନି ଦେବ । ବାପା ବୋଉଙ୍କର ସିଏ ଏକ ମାତ୍ର ସନ୍ତାନ , ତେଣୁ ମୁଖାଗ୍ନିରେ ତା' ଛଡ଼ା କାହାରି ଅଧିକାର ନାହିଁ । ଶିଳ୍ପୀର ସମ୍ପର୍କୀୟମାନେ ବହୁତ ବୁଝେଇଛନ୍ତି, କିନ୍ତୁ ଶିଳ୍ପୀର ପ୍ରଶ୍ନରେ ସମସ୍ତେ ଚୁପ ହୋଇଯାଇଛନ୍ତି । ଅନେକ ସାମ୍ବାଦିକ ତା' ଘର ସାମ୍ନାରେ ଭିଡ଼ ଜମେଇଛନ୍ତି ।
ଶେଷରେ ଶିଳ୍ପୀ ହିଁ ତା' ବାପାଙ୍କୁ ମୁଖାଗ୍ନି ଦେଇଛି । ମଶାଣୀରୁ ଘରକୁ ଫେରିଲା ବେଳେ ସିଏ ନିଜ ପ୍ରଶ୍ନର ଉତ୍ତର ହୋଇ ସାରିଥିଲା । ନିୟମ ବଦଳିବାକୁ ସମୟ ଲାଗେ ଏବଂ ସମୟ ଅନୁସାରେ ଅନେକ କିଛି ବଦଳିବ ସିଏ ବୁଝି ସାରିଥିଲା ।
ସଞ୍ଜିତା ପ୍ରଧାନ
ମୁଖ୍ୟ ସମ୍ପାଦିକା




4 Comments
Very nice👍 keep it up all
ReplyDeleteଅ' ପରିବାର ଆପଣଙ୍କୁ ଧନ୍ୟବାଦ ଜଣାଉଛି
Deleteସମସ୍ତ ଲେଖା ଗୁଡିକ ମନକୁ ଛୁଇଁଛି। ଧନ୍ୟବାଦ ସମ୍ପାଦକ ମହୋଦୟ।ଓ ସମସ୍ତ ସଦସ୍ୟ ଯେଉଁ ମାନଙ୍କ ପାଇଁ ଏହା ସଫଳ ରୂପ ନେଇଛି। ଆମ ଲେଖାଗୁଡିକୁ ଏକ ନୂତନ ରୂପ ଦେଇ ପ୍ରକାଶିତ କରି ଲୋକଲୋଚନକୁ ଆଣୁ ଥିବାରୁ ଧନ୍ୟବାଦ୍।
ReplyDeleteଖୁବ ହୃଦୟସ୍ପର୍ଶୀ ହୋଇଛି ସମସ୍ତ ଲେଖା ଗୁଡିକ 🙏🏻🙏🏻🙏🏻
ReplyDelete