ରାକ୍ଷୀ - ଶାନ୍ତିଲତା ରଣା


 ଭାଇ, ଭାଇ ଉଠିବୁନି କି ? ଆଜି ପରା ରାକ୍ଷୀ ପୂର୍ଣ୍ଣିମା । ଆଠଟା ବାଜିଲାଣି । ହଁ, ହଁ ଯାଉଛି କହି କଡ ଲେଉଟାଇଲା ଅଭୟ । ଆଜି ରାକ୍ଷୀ ପୂର୍ଣ୍ଣିମା । ସାନ ଭଉଣୀ ଅଲିଭା ଆଉ ଶୁଆଇ ଦେବନି । କାଲି ଦି ବୋତଲ ରକ୍ତ ଦେଇ ଭାରି ଦୁର୍ବଳ ଲାଗୁଛି, ଉଠିବାକୁ ଆଦୌ ଇଚ୍ଛା ହେଉନି । ତଥାପି ନିତ୍ୟକର୍ମ ସାରି ଡ୍ରେସ୍ ଅପ୍ ହୋଇ ଅଲିଭା ପାଖେ ପହଞ୍ଚିଲା ଅଭୟ । ଅଲିଭା ଚନ୍ଦନ ସିନ୍ଦୁର ଲଗାଇ ବନ୍ଦପନା କରି ରାକ୍ଷୀ ବାନ୍ଧିଦେଲା । ତା ପରେ ତା ହାତକୁ ଗୋଟିଏ ପ୍ୟାକେଟ୍ ବଢାଇ ଦେଲା ଅଭୟ । ପ୍ୟାକେଟ୍ ଦେଖି ଯେତିକି ଖୁସି ଅଲିଭା ହେଲା ସେତିକି ଆଶ୍ଚର୍ଯ୍ଯ ମଧ୍ୟ ହେଲା । 

ଅଲିଭା ପଚାରିଲା , ଭାଇ ତୁ ପରା ସବୁ ବର୍ଷ ବୋଉ ପାଖରୁ ପଇସା ନେଇ ମୋତେ ଦେଉ ଆଜି ୟାକୁ କେଉଁଠୁ ଆଣିଲୁ ? 

ଅଭୟ କହିଲା , ଆଉ ସବୁଦିନ କଣ ବୋଉ ପାଖରୁ ନେଇ ତୋତେ ଦେଉଥିବି , ୟାକୁ ମୋ ମେହେନତ୍ ପଇସା ରେ ଆଣିଛି । ମନ ବୁଝିଲାନି ଅଲିଭାର , ସେ ଜିଦ୍ କଲା ଜାଣିବା ପାଇଁ ପଇସା କେଉଁଠୁ ଆସିଲା ? ଭଉଣୀ ର ଜିଦ୍ ଆଗେ ହାର ମାନି ଅଭୟ ସତ କଥା ଟି କହିଲା ,  ଏଥର ନିଜେ ରୋଜଗାରରେ ତୋତେ ଉପହାର ଦେବି ବୋଲି ଭାବିଲି , ମାତ୍ର କେଉଁଠି କିଛି କାମ ମିଳିଲାନି ବାଧ୍ୟ ହୋଇ ଦି ବୋତଲ ରକ୍ତ ଦେଇ ମୁଁ ଏ ଉପହାର ତୋ ପାଇଁ ଆଣିଛି ।

ଅଭୟ ର କଥା ସରିଲା ବେଳ କୁ ଅଲିଭା ର ଦୁଇ ଆଖି ରୁ ଲୁହ ଝରି ଆସିଲା । ତା ଲୁହ ପୋଛି ଅଭୟ କହିଲା, କାନ୍ଦୁଛୁ କାହିଁକି ଲୋ ହୁଣ୍ଡୀ,  ରକ୍ତ ପୁଣି ତିଆରି ହୋଇ ଯିବନି ... ।

ଅଲିଭା ତା ଭାଇ କୁ କୁଣ୍ଢାଇ କାନ୍ଦି କାନ୍ଦି କହିଲା ତୁ ମୋ ପାଇଁ ନିଜ ଦେହ ରୁ ରକ୍ତ ବିକିଲୁ ? ଅଭୟ ସସ୍ନେହ ରେ ଅଲିଭା ମୁଣ୍ଡ କୁ ଆଉଁସି ଦେଉଥିଲା , ଆଉ ଦୂର ରେ ଠିଆ ହୋଇ ତାଙ୍କ ମାଆ ଭାଇ ଭଉଣୀଙ୍କ  ସ୍ନେହ ର ଗଭୀରତା ମାପୁଥିଲେ ।       

ଶାନ୍ତିଲତା ରଣା, ଯାଜପୁର

Post a Comment

0 Comments