କବିର ବନିତା - କିରଣ ମନୀଷା ମହାନ୍ତି


ଗୋଟେ କବିର "ସ୍ତ୍ରୀ" ହେବା
ଅଭିଶାପ ନୁହେଁ କି ..?
ଏଠି ସ୍ୱପ୍ନ ଚୋରୀ ହୁଏ
ମେଞ୍ଚା ମେଞ୍ଚା ଅନ୍ଧାରରେ , ଅଧିକାର ବି ,
ସେ ହସନ୍ତି , ଅନ୍ୟକୁ ହସାନ୍ତି 
ମୋ' ଆଖିରେ ଲୁହର ଅସୁମାରୀ ବନ୍ୟା
ଖୁବ ଇର୍ଷାନ୍ଵିତ ହୃଦୟ
ହାତ ପାହାନ୍ତରେ ଜହ୍ନ ପରି ତାଙ୍କ ପ୍ରେମ
ଛୁଇଁଲେ ବି ଛୁଇଁ ହୁଏନି
ସେ ସ୍ୱପ୍ନ ଦେଖନ୍ତି
ଶବ୍ଦକୁ ପ୍ରେମିକା , 
ମୁଠାଏ ଶୀତକୁ ସାଥି କରି ତା'ଙ୍କ କବିପଣ
ମୋ' ଆକାଶରେ ଝଡ଼ ଆଣେ
ମୋ' ମନଠାରୁ ବେଶି 
ଦୂର ଆକାଶ, ସଂଧ୍ୟାତାରା
ପୋଖରୀ ତୁଠ, ପାଦ ଅଳତା 
ପାଉଁଜିର ଶବ୍ଦ ଆପଣାର 
ମୋ' ଧୈର୍ଯ୍ୟ 
ଯନ୍ତ୍ରଣାର ଭରା ଅସହାୟ ହୃଦୟ
ମୋ' ଯନ୍ତ୍ରଣାର ହିସାବ ପାଇଁ
ସାଧା ଫର୍ଦ୍ଦଟିଏ ନଥାଏ ତାଙ୍କ ପାଖେ
ବିନା କାଳିର ଫର୍ଦ୍ଦରେ ମୁଁ ହିସାବ ରଖିଛି
ତୁମେ  ତୁମ ଶବ୍ଦସୃଷ୍ଟି ପାଇଁ 
ଫେରେଇ ନେଇଥିବା ଦିନ ସବୁ...।।


କିରଣ ମନୀଷା ମହାନ୍ତି 
ଡେଲାଙ୍ଗ, ପୁରୀ

Post a Comment

0 Comments