ପ୍ରଣୟିନୀ
*******
         
ତୁମ ପାପୁଲିର କେଉଁ  ରେଖାରେ
ମୋ ଭାଗ୍ୟକୁ ଥୋଇ ଦେଲାପରେ
ମୋ ପ୍ରସିଦ୍ଧି କୁ ମୁଁ ଦେଖିଛି
କବି ପିପାସାର ଅମୃତ ତୃଷ୍ନାରେ ।
ବିଚିତ୍ର ଚରିତ୍ରବାନ୍ ପୁରୁଷ ମୁଁ
ତୁମ ପ୍ରଣୟ ତୀର୍ଥଭୂମିରେ,
ନିଷିଦ୍ଧ ନିଷ୍ପତ୍ତି ନେଇଗଲା ପରେ
ମୁଁ ପ୍ରିୟତମ ପରପୁରୁଷ ତୁମପାଇଁ,
କବିତାର କିଛି ପୃଷ୍ଠାରେ ।
ତୁମେ ମୋତେ ଭଲପାଅ କାହିଁକି?
କବିଟିଏ ବୋଲି ବୋଧେ
ଶବ୍ଦରେ ସାବାଡ଼ ହୁଅନ୍ତି ବୋଲି
ସହସ୍ରାଧିକ ଯାତନା ସବୁ
ବିମର୍ଷ କଳହଂସ କେଦାରେ ।
ମୋ ଭାଗ୍ୟର ଅନାଟନରେ
କେତେ ସକ୍ରିୟ ଉଚ୍ଚାଟନ ହୁଅନ୍ତି
ପ୍ରିୟତମ ସଂଘର୍ଷ  ମୋ ସାଥିରେ ।
ତୁମ କୋଳାଗ୍ରତ ସ୍ନେହ ସବୁ
ସ୍ୱପ୍ନରେ ଧର୍ଯ୍ୟଭଙ୍ଗ ହେଲାପରେ
ଅଚାନକ ମୋହଗ୍ରସ୍ତ ହୁଏ ରାତି,
ନିର୍ଯ୍ୟାତିତ ନାଁ ସବୁ ବ୍ୟାଧିଗ୍ରସ୍ଥ
ତୁମ ଓଠର ନୀରବ ଆଶାରେ ।
ବାଦ ବିବାଦ ନିନ୍ଦା ଅପମାନ
ସବୁ ସଜାଡି ହୁଅନ୍ତି ଶବ୍ଦରେ
ଆତ୍ମାର ମିଳନ ପରେ ପରେ,
ବର୍ଷ ବର୍ଷର ପ୍ରତୀକ୍ଷାର ଅନ୍ତହୁଏ
ପୁଣି ଆନ୍ଦୋଳିତ ଆନନ୍ଦରେ
ପ୍ରିୟା ରୂପେ ପୃଷ୍ଠା ଡ଼େଉଁଥିବା ବେଳେ ।
ମୁଁ ଧ୍ୟାନମଗ୍ନରେ ଦେଖେ ନିଶ୍ଚିତ
ତୁମର ସେ ଲାସ୍ୟଲାବଣ୍ୟ ବେଶ
କେଳି କଦମ୍ବର ଶ୍ୟାମଳତାରେ
ଆଲୋକ ଅନ୍ଧାରର ସନ୍ନିପାତରେ,
ମୁଁ ଜଳେ ଓ ଜଳାଏ ମୋ କବିତ୍ୱ କୁ
ଏକାକିତ୍ୱ ଅନୁଭବରେ କୃଷ୍ଣ ହୋଇ
ଆବେଗର ଯମୁନା ତୁଠରେ ।।

ସୀମାଞ୍ଚଳ ରଣା
ଚନ୍ଦାପୁରା, ବାଙ୍ଗାଲୋର

Post a Comment

0 Comments