********
ସେନେହ ଶରଧା ମମତାରେ ବୋଳା
ମୋ ଗାଆଁ, ମୋ ମାଆ,
ବାରମାସେ ତେର ପୁନେଇ ପରବେ
ପାଳନ୍ତି ସାରା ଓଡ଼ିଆ।
ପୁରୁବ ପୁରୁଷ ରଖି ଯାଇଛନ୍ତି
କେତେ ଯେ ନୀତି ନୀୟମ,
ପରବପର୍ବାଣୀ ପିଠା ପଣା ପୁଣି
କରିବାକୁ ନାନା କରମ।
ପରିବାରର ଯେ ବଡ଼ପୁଅ ଝିଅ
ସହିଥାନ୍ତି ଯେ କଷଣ,
ବନ୍ଦାପନା କରି ନୂଆବସ୍ତ୍ର ଦେଇ
ବରନ୍ତି ଶ୍ରେଷ୍ଠ ବରଣ।
ରଜପର୍ବ, ପୁଣି ପ୍ରଥମା ଅଷ୍ଟମୀ
ଆଉ ଯେତେ ଓଷା ବାର,
ପାଳନରେ ଅବହେଳା ନ କରନ୍ତି
ଆମସଂସ୍କୃତି ଓ ପରମ୍ପରା ର।
ସୂରୁଜ ବୁଡିଲେ ଗୋଠରୁ ଗାଈ
ପଲ ଧରି ଆସେ ଗାଈଆଳ,
କୂଳବଧୂ ମାନେ ସଞ୍ଜ ଆଳତୀରେ
ପୂଜନ୍ତି ତୁଳସୀର ମୂଳ।
ଝୁଣା,ଧୂପ ବାସ ଚହଟୁଥାଏ ତ ସାରା
ଗାଆଁ ଦାଣ୍ଡ ସାରା,
ଗୁଣ୍ଡା,ଛଣ ଜାଳି ଚାହା ପିଇ ଯା'ନ୍ତି
ଗୁରୁ ଗୁରୁଜନ ପରା।
ଭାଗବତ ଟୁଙ୍ଗି ଉଛୁଳି ଉଠଇ
ହରେକୃଷ୍ଣ ସଂକୀର୍ତ୍ତନେ,
ଗାଆଁ ଭଲମନ୍ଦ ଆଲୋଚନା ହୁଏ
ସୁଖ ବିରାଜେ ସବୁ ସ୍ଥାନେ।
ଭାଇଚାରା ଥାଏ ମୋହରି ଗାଆଁରେ
ଥାଏ କେତେ ସ୍ନେହ ପୁରି,
ଗାଆଁର ମମତା ମାଆର ସେନେହ
ଅଛି କି କେହି ତା ସରି।
ପଢୁଆଁ ଅଷ୍ଟମୀ ଦିନ ପରା ଭାଇ
ମନେ ପଡେ ମୋର ଭାରି,
ବଡିଭୋରରୁ ହଳଦୀପତରେ ମାଆ
କରେ ପିଠା ଏଣ୍ଡୁରି ,
ଗାଧୋଇ ପାଧୋଇ ନୂଆ ଜାମା ପିନ୍ଧି
ଆନନ୍ଦରେ ଖାଉ ପିଠା ମିଠା।
ଭାଇଭଉଣୀଙ୍କୁ କେଡ଼େ ସରାଗରେ
ମାଆ ଦେଉଥାଏ ଖୋଇ,
କିଏ ଖୋଇଦେବ ବହୁତ ଦୂରେ ମୁଁ
ମାଆ ଯେ ମୋ ପାଖେ ନାହିଁ।
ଆଖିରୁ ଟୋପାଏ ଲୁହ ଝରିଗଲେ
କାନିରେ ପୋଛି ସେ ଦିଏ,
ବାହାକରି ପରଘରକୁ ପଠାଇ
କିଏ କେତେ ପର କରିଦିଏ।
ମାଆ ଅଛି ସିନା ପାଖେ ମୋର ନାହିଁ
କିଏ ବୁଝିବ ମୋ ମନ କଥା,
ସବୁବେଳେ ତାକୁ ଭାଳିହୁଏ ସିନା
ଆଉ ବୁଝିବ କିଏ ମୋ ମନବ୍ୟଥା।
ଯେତେଦୁଷ୍ଟ ହେଲେଯେତେକଷ୍ଟ ଦେଲେ
ସହେ ମାଆ ମୋ ଗାଆଁ,
ପରକରି ଦେଇ କେମିତି ରହୁଛୁ
କହିବୁ କି ଥରେ ମାଆ ।।
ପ୍ରଣତି ମହାପାତ୍ର
ଫକୀରମୋହନ ନଗର
ଆଇଟିଆଇ ଛକ
ବାଲେଶ୍ଵର




0 Comments