*****
ମାଆ ମୋର ଅଟେ ଶାନ୍ତ ସରଳ ସେ
ବିନୟୀର ମଧୁ ଭାବ
ଦିଏ ନାହିଁ ବ୍ୟଥା କା ମନରେ କେବେ
ଘର କାମେ ଲାଗି ଥିବ ।
ମମତା ମୟୀ ସେ କରୁଣାର ଝରା
ସମସ୍ତଙ୍କ ପାଇଁ ପ୍ରିୟ
ତା କାନି ପଣନ୍ତେ ସନ୍ତାନର ସୁଖ
କେବେ ଚାହେଁ ନାହିଁ ଶ୍ରେୟ ।
ଦିନ ସାରା କାମ ତା ହାତରେ ଥାଏ
ସକାଳରୁ ରାତି ଯାଏ
ଘର ପରିବାର ସେବାରେ ସେ ଥାଏ
କେବେ ବିମୁଖ ନ ହୁଏ ।
ମୋ ମୁଖର ହସ ତା ପାଇଁ ଆନନ୍ଦ
ଫୁଲି ଉଠେ ତା ଅନ୍ତର,
ସୁଖରେ ଦୁଃଖରେ ଥାଏ ମୋ ପାଖରେ
ସେତ ଅଟେ ମାଆ ମୋର l 4l
ଦୁଃଖରେ ଥିଲେ ମୁଁ ମୋ ପାଖରେ ବସେ
କେଶ ମୋ ଆଉଁସି ଦିଏ
କଣ ହେଲା କି ରେ ଆଦରେ ପଚାରେ
ମୁଖ ଝାଳ ପୋଛି ଦିଏ ।
ତାର କଥା ଶୁଣି ମୋ ହୃଦୟର ବ୍ୟଥା
କ୍ଷଣକେ ଉଭେଇ ଯାଏ
ମାଆର ପରଶ ସ୍ନେହ ବୋଳା କଥା
ସତେ ସ୍ୱର୍ଗ ସୁଖ ଦିଏ ।
ଅନ୍ନ ଥାଳି ଆଣି ଖାଇବାକୁ ଦିଏ
ନ ଖାଇଲେ କରେ ଜିଦି
ଖୁଆଇ ଦିଏ ସେ ଆଦରରେ ମୋତେ
କୋଳ ତା ହୁଏ ମୋ ଗଦି ।
ଅସୀମ ଆନନ୍ଦ ପ୍ରାପ୍ତ ହୁଏ ମୋତେ
ଦୂର ହୁଏ କାଳ ଭୀତି
ମମତାର ମୂର୍ତ୍ତି ସ୍ନେହ ପ୍ରଦାୟିନୀ
ମାଆ ପରା ମୋ ଏମିତି ।
ଲାଳନ ପାଳନ ଧାରଣ କରେ ସେ
ନିଜ ଠାରୁ ଭଲ ପାଏ
ତାର ଋଣ ସୁଝି ନ ପାରନ୍ତି କେହି
ଯୁଗ ଜନ୍ମା ଯଦି ହୁଏ ।
ତା ବକ୍ଷର ସୁଧା ଅମୃତ ସମାନ
ନିଜ ସୁଖ ଦେଖେ ନାହିଁ
ନିଜେ କଷ୍ଟ ସହି ଆନନ୍ଦ ସେ ଦିଏ
ମାଆ ପରି କେହି ନାହିଁ ।।
ବାସନ୍ତୀ ଲତା ଜେନା
ଗାନ୍ଧିନଗର,
ପୋଷ୍ଟ /ଜିଲ୍ଲା : ନବରଙ୍ଗପୁର




0 Comments