ଭଗ୍ନ ଓଡ଼ିଶା- ଟୁକୁନା ସାହୁ

ଭଗ୍ନ ଓଡ଼ିଶା
*******

ଦଗ୍ଧ ଆଜି କୀର୍ତ୍ତିରାଜି
ମଳିନ ଓଡ଼୍ର ଦେଶ
ସଂସ୍କୃତିର ବଳାତ୍କାରେ
ଦିଶଇ ନଗ୍ନ ବେଶ ।

ଦାଦନର ସୁଅ ଛୁଟେ
ଶାସକ ଦୂରୁବଳ
ଶାସିତ ଏଠି ଶୋଷିତ
ଜୀବନ ରସାତଳ ।

ଦାରିଦ୍ର୍ୟର ଉଗ୍ରରୂପ
କରଇ ଅଟ୍ଟହାସ୍ୟ
ସ୍ଵାର୍ଥର ସାରଥୀ ସର୍ବେ
ଧରନ୍ତି ଛଦ୍ମବେଶ ।

ସୁପ୍ତ ଆଜି ବୀର ଜାତି
ନାହିଁ ରଣ ହୁଙ୍କାର
ପ୍ରାଚୀର ଭକ୍ଷେ ଫସଲ
ଆତ୍ମୀୟ ହୁଏ ପର ।

ବିପଥରେ ଯୁବ ଗୋଷ୍ଠି
ମଦିରା କରି ପାନ
ଭୁଲି ମାତୃଭୂମି ସେବା
ଚୌର ବୃତ୍ତିରେ ମନ ।

ବିଲୁପ୍ତ ଯେ କାରୁକାର୍ଯ୍ୟ
ବିଦେଶେ ମହାରଣା
ତଇଳ ବୀଜ ଅଭାବେ
ଚାଲେନି ତେଲ ଘଣା ।

କୁମ୍ଭକାର ବୃତ୍ତି ହୀନ
ବୁଡିଲା ତା ବେଉସା
ଲୌହକାର ଶୂନ୍ୟ ହସ୍ତ
ଉଡ଼ଇ ତାର ହସା ।

ତନ୍ତିର ଚରଖା ସୁପ୍ତ
ଧୀବର ଜାଲ ହୀନ
ମୃତ୍ତିକାରେ ରାସାୟନ
କ୍ଷେତରେ ନାହିଁ ଧାନ ।

ସ୍ୱର୍ଣ୍ଣପ୍ରସୂ କଳିଙ୍ଗର
ଶ୍ରୀହୀନ ରୂପ ରାଜି
ଲୁହ ନୁହେଁ ଲହୁ ଝରେ
ଦୁଃଖରେ ହୋଇ ଭାଜି ।।


ଟୁକୁନା ସାହୁ 
ସାନ୍ତରା ପଲ୍ଲୀ, ଗଞ୍ଜାମ

Post a Comment

0 Comments